ଭୁବନେଶ୍ୱରରେ ତିନିଟି ହୋଟେଲରେ ମିଳିବ ସଙ୍ଗରୋଧ ସୁବିଧା

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୬୭ଟି ୱାର୍ଡରେ ସଙ୍ଗରୋଧ ସୁବିଧା କରାଯାଇଛି। ଏହାଛଡ଼ା ଅନ୍ୟ ତିନିଟି ହୋଟେଲରେ ବି ଏହି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଜୟଦେବବିହାରସ୍ଥିତ ଜିଞ୍ଜର ହୋଟେଲ, ସହିଦନଗରର ଏମ୍ପାୟର୍ସ ହୋଟେଲ, କଳ୍ପନା ଛକ ସ୍ଥିତ ହୋଟେଲ କଳିଙ୍ଗ ଅଶୋକରେ ଏହି ସଙ୍ଗରୋଧ ସୁବିଧା ଉପଲବ୍ଧ ହେବ। ଏଠାରେ ଯେ କେହିବି କରୋନା ସନ୍ଦିଗ୍ଧ ବା ବିଦେଶରୁ ଫେରିଥିବା ବ୍ୟକ୍ତି ଦୈନିକ ୨୫୦୦ଟଙ୍କା ଏବଂ ଟିକସ ଦେଇ ରହିପାରିବେ।

ଏହି ତିନିଟି ହୋଟେଲରେ ରହିବାକୁ ଥିବା ଲୋକଙ୍କୁ ୨୫୦୦ଟଙ୍କାରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ର ଭୋଜନ ଏବଂ ଦୁଇଟି ପାଣି ବୋତଲ ଯୋଗାଇ ଦିଆଯିବ। ଏଠାରେ ସଙ୍ଗରୋଧ ଅବସ୍ଥାରେ ରହିବାକୁ ଥିବା ଲୋକଙ୍କୁ ଗୋଟିଏ ରୁମ୍‌ରେ ଜଣେ ‌ରହିବା ବ୍ୟବସ୍ଥା ଉପଲବ୍ଧ ହେବ। ଏହି ରୁମ୍ ବାହାରକୁ ସେମାନେ ବାହାରିବେନି। ହୋଟେଲ କର୍ତ୍ତୃପକ୍ଷ ସମସ୍ତ ସୁବିଧା ଏହି ହୋଟେଲ ରୁମ୍‌ରେ ଯୋଗାଇବେ। ଥରେ ବ୍ୟବହାରଯୋଗ୍ୟ ପ୍ଲେଟ୍‌ରେ ଖାଦ୍ୟ ପରଷିବା ସହ, ଗୋଟିଏ ମିଟର ଦୂରତା ଅବଲମ୍ବନ କରି ସମସ୍ତ ପ୍ରକାରର ସେବା ଯୋଗାଇବେ। ହୋଟେଲ ରୁମ୍‌ର ଝରକା ଦିନବେଳା ଖୋଲା ହେବ, ସମସ୍ତ ସାମଗ୍ରୀ ବିଶୋଧକ ଦ୍ବାରା ସଫା ହେବ, କେବଳ ଡାକ୍ତରଙ୍କ ବ୍ୟତୀତ କେହି ଏମାନଙ୍କୁ ଭେଟି ପାରିବେନି। ସଙ୍ଗରୋଧ ଭାବେ ରହିବାକୁ ଥିବା ଲୋକଙ୍କ ଉପରେ ହୋଟେଲ କର୍ତ୍ତୃପକ୍ଷ ନଜର ରଖିବେ। ଯଦି କିଛି ସମସ୍ୟା ଉପୁଜେ ତେବେ ବିଏମ୍‌ସି ଓ ପୁଲିସ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର