ବିଦ୍ୟୁତ ଆଘାତରେ ଆପ୍ରେଣ୍ଟିସ୍‌ ଭିନ୍ନକ୍ଷମ ହେବା ଘଟଣା : ପୀଡ଼ିତଙ୍କୁ ୧୫ଲକ୍ଷର କ୍ଷତିପୂରଣ ଦେବାକୁ ଓଏଚଆରସିଙ୍କ ନିର୍ଦେଶ

ଭୁବନେଶ୍ବର : ୫ବର୍ଷ ତଳେ ଭଦ୍ରକ ବିଦ୍ୟୁତ ଡିଭିଜନର ଧାମନଗରଠାରେ ବିଦ୍ୟୁତ ଲାଇନ ମରାମତି କରୁଥିବା ବେଳେ ବିଦ୍ୟୁତ ଦୁର୍ଘଟଣାରେ ଶତ ପ୍ରତିଶତ ଶାରୀରିକ ଭିନ୍ନକ୍ଷମ ହୋଇଥିବା ଜଣେ ଆପ୍ରେଣ୍ଟିସ ତାଲିମ୍ ନେଉଥିବା ଯୁବକଙ୍କୁ ପନ୍ଦର ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ରାଜ୍ୟ ମାନବିକ ଅଧିକାର କମିସନ (ଓଏଚଆରସି) ନିର୍ଦେଶ ଦେଇଛନ୍ତି। କମିସନର ସଦସ୍ୟ ବିଚାରପତି ରଘୁବୀର ଦାଶ ଆବେଦନକାରୀ ପବିତ୍ର ବାରିକଙ୍କ ଅଭିଯୋଗର ତଦନ୍ତ କରି ଶକ୍ତି ବିଭାଗ ଓ ନେସ୍କୋର ଭଦ୍ରକ ଡିଭିଜନର କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କୁ ୨ମାସ ଭିତରେ ଏହା ପ୍ରଦାନ କରିବା ଲାଗି ଆଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ପବିତ୍ର ନେସ୍କୋ ଅଧୀନରେ ଧାମନଗର ବିଦ୍ୟୁତ ସେକ୍‌ସନରେ ଆପ୍ରେଣ୍ଟିସ ଟ୍ରେନି ଭାବେ କାମ କରୁଥିଲେ। ୨୦୧୫ ମସିହା ଏପ୍ରିଲ ୧୩ତାରିଖ ପୂର୍ବାହ୍ନରେ ଧାମନଗର ଠାରେ ଖୁଣ୍ଟରେ ଚଢ଼ି ଜମ୍ପର କାମ କରୁଥିବା ବେଳେ ହଠାତ ବିଦ୍ୟୁତ ଚାର୍ଜ ହୋଇଯିବା ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ l ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ୩ମାସ ପର୍ଯ୍ୟନ୍ତ ଚିକିତ୍ସା ହୋଇଥିଲେ। ଚିକିତ୍ସା ବାବଦରେ ତାଙ୍କର ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ଏହି ଦୁର୍ଘଟଣାରେ ସେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଯାଇଥିବା ଡାକ୍ତରୀ ରିପୋର୍ଟ କମିସନଙ୍କ ପାଖରେ ଦାଖଲ କରାଯାଇଥିଲା। କମିସନ ଏହି ମାମଲାରେ ନେସ୍କୋ ଅଧିକାରୀଙ୍କୁ ରିପୋର୍ଟ ମାଗିଥିଲେ ଓ ଏହି ଦୁର୍ଘଟଣା ପାଇଁ ପବିତ୍ର ନିଜେ ଦାୟୀ ବୋଲି ନେସ୍କୋର ଅଧିକାରୀ କହିଥିଲେ। ସହକାରୀ ବିଦ୍ୟୁତ ନିରୀକ୍ଷକ କିନ୍ତୁ ଆବେଦନକାରୀଙ୍କର କିଛି ତ୍ରୁଟି ନାହିଁ ବୋଲି ରିପୋର୍ଟ ଦାଖଲ କରିଥିଲେ। ସୁପ୍ରିମକୋର୍ଟଙ୍କ ଏକ ରାୟର ନଜିର ଦେଇ ଆବେଦନକାରୀଙ୍କ ପକ୍ଷରୁ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋ ଏହି ଦୁର୍ଘଟଣା କ୍ଷତିଗ୍ରସ୍ତ ସବୁଦିନ ପାଇଁ ଶାରୀରିକ ଭିନ୍ନକ୍ଷମ ହୋଇଥିବା କାରଣରୁ ତାଙ୍କୁ ସର୍ବନିମ୍ନ ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ଉଭୟ ପକ୍ଷଙ୍କ ଶୁଣାଣି ପରେ କମିସନଙ୍କ ପକ୍ଷରୁ ଏହି ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର