କରୋନା ଛଡ଼େଇ ନେଇଛି ମୁହଁରେ ନିଆଁ ! ପରିବାର ସଦସ୍ୟଙ୍କ ବଦଳରେ ମୁଖାଗ୍ନି ଦେଉଛନ୍ତି ଶ୍ମଶାନ କର୍ମଚାରୀ

ଭୁବନେଶ୍ବର : ହିନ୍ଦୁ ଧର୍ମରେ ଲୋକମାନଙ୍କର ବିଶ୍ବାସ ରହିଛି ମଲା ବେଳକୁ ପୁଅ ମୁହଁରେ ନିଆଁ ଦେବ। ଏଥିପାଇଁ ଲୋକମାନେ ପୁଅ ହେଉନଥିଲେ ବହୁ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବା ଠାରୁ ଆରମ୍ଭ କରି ବହୁ ପ୍ରକାରର ଚିକିତ୍ସା କରିଥାନ୍ତି। ଏପରିକି ଯାହାର ବାପା ମା’ ବଞ୍ଚି ଥାଉ ଥାଉ ପୁଅ ଚାଲିଯାଏ ସେମାନଙ୍କର କ୍ଷୋଭ ରହିଯାଏ ଯେ, ତାଙ୍କ ମୁହଁରେ କିଏ ନିଆଁ ଦେବ। ମୃତ୍ୟୁ ପରେ ଶେଷକୃତ୍ୟ ହେଲାବେଳେ ପୁଅ ମୁହଁରେ ନିଆଁ ଦେବା ଠାରୁ ଆରମ୍ଭ କରି ବିଭିନ୍ନ କର୍ମ କରିଥାଏ। ଏପରିକି ଯେଉଁ ପିଲା ବାପା-ମା’ଙ୍କୁ ପଚାରନ୍ତିନି ସେମାନେ ପିଲା‌ଙ୍କୁ ବି ମୁହଁରେ ନିଆଁ ଦେବୁନି ବୋଲି ଅଭିଶାପ ଦେବାର ନଜିର୍ ରହିଛି। କିନ୍ତୁ ଏବେ କରୋନା ଏମିତି ପରିସ୍ଥିତି ସୃଷ୍ଟି କରିଛି ଯେ, ବାପ-ମା’ ପୁଅକୁ ଯେତେ ଭଲ ପାଉଥିଲେ ବି ଯଦି କରୋନାରେ ମରୁଛନ୍ତି ତେବେ ପୁଅ ମୁହଁରେ ନିଆଁ ଦେଇପାରୁନି। କରୋନା ଏବେ ମୁହଁରୁ ନିଆଁ ଛଡ଼େଇ ନେଇଛି।

ରାଜଧାନୀର ଦୁଇଟି କୋଭିଡ୍‌ ହସ୍ପିଟାଲରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେଉଛି। ଏଠାରେ ଆଜି ସଂଧ୍ୟା ସୁଦ୍ଧା ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତଦେହ ଆସିଥିଲା। ପରିବାର ଲୋକ ଶ୍ମଶାନ ନିକଟକୁ ଆସିଥିଲେ। କିନ୍ତୁ ମୃତକଙ୍କ ପୁଅ କି ସମ୍ପର୍କୀୟ କେହି ମୁହଁରେ ନିଆଁ ଦେଇପାରିନଥିଲେ। ସେମାନେ ଶ୍ମଶାନ ବାହାରେ କାନ୍ଦି କାନ୍ଦି କହୁଥିଲେ କି ପାପ କରିଥିଲୁ ଯେ, ବାପାଙ୍କ ମୁହଁରେ ଟିକେ ନିଆଁ ଦେଇପାରିଲୁନି। ମୁହଁରେ ନିଆଁ ଦେବା ଦୂର କଥା। ଶ୍ମଶାନ କର୍ମ କିଛି ବି କରିପାରିନଥିଲେ। କେବଳ ଶ୍ମଶାନ ପାଚେରି ନିକଟରେ ଛିଡ଼ା ହୋଇ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନଥିଲା। ଶ୍ମଶାନ କର୍ମଚାରୀ ଶବଦାହ ଶେଷ ହୋଇଗଲା ବୋଲି କହିବା ପରେ ଘରକୁ ଫେରିଥିଲେ।

ଆଜି ଜଣେ ବିଧାୟକଙ୍କ ବାପା କରୋନା ଆକ୍ରାନ୍ତ ହୋଇ ମରିବା ପରେ ତାଙ୍କର ଶବ ସତ୍କାର ସତ୍ୟନଗର ଶ୍ମଶାନରେ ହୋଇଥିଲା। ବିଧାୟକଙ୍କ ବାପା ମରିଥିବାରୁ ଶ୍ମଶାନ ନିକଟରେ ବହୁ ନେତା ମନ୍ତ୍ରୀଙ୍କ ଭିଡ଼ ଜମିଥିଲା। ଭୁବନେଶ୍ବରର ଜଣେ ବିଧାୟକଙ୍କ ସମେତ ବାହାର ଜିଲ୍ଲାର ନେତାମାନେ ଆସିଥିଲେ। କିନ୍ତୁ କାହାକୁ ଶ୍ମଶାନ ଭିତରକୁ ଛଡ଼ା ଯାଇନଥିଲା। ଆଜିର ଘଟଣାରେ କେବଳ ମୃତକଙ୍କ ପରିବାର ଲୋକ ମୁହଁରେ ନିଆଁ ଦେଇପାରି ନଥିଲେ ତାହା ନୁହେଁ। ଗତ ତିନି ମାସ ମଧ୍ୟରେ କରୋନାରେ ଯେଉଁମାନେ ମରିଛନ୍ତି ସେମାନଙ୍କ ମଧ୍ୟରୁ କାହା ମୁହଁରେ ବି ପରିବାର ଲୋକ ନିଆଁ ଦେଇନାହାନ୍ତି। ଶ୍ମଶାନ କର୍ମଚାରୀ ହିଁ ଶବଦାହ କରିଛନ୍ତି। ପରିବାର ଲୋକ ଛୁଇଁବା ‌ଦୂର କଥା ପାଖକୁ ବି ଯାଇନାହାନ୍ତି। ହିନ୍ଦୁ ଧର୍ମାବଲମ୍ବୀଙ୍କ ବାଦ୍‌ ଅନ୍ୟ ଯେଉଁମାନେ ମରିଛନ୍ତି ସେମାନଙ୍କୁ ଶ୍ମଶାନ ପରିସରରେ କବର ଦିଆଯାଇଛି।

ଶବ ସତ୍କାରର ବହୁ ଦିନ ପରେ କେମିତି ମରୁଛନ୍ତି କୁହାଯାଉଛି
କୋଭିଡ୍‌ ହସ୍ପିଟାଲରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେଥିରୁ କିଏ କୋଭିଡ୍‌ ମୃତକ ଓ କିଏ ଅଣ କୋଭିଡ୍‌ ମୃତକ ତାହା ବିଏମ୍‌ସି ୪ରୁ ୫ଦିନ ପରେ କହୁଛି। ଫଳରେ ପରିବାର ଲୋକ ଦ୍ବନ୍ଦ୍ବରେ ପଡ଼ିଯାଉଛନ୍ତି। ହସ୍ପିଟାଲରୁ ମୃତଦେହ ଛାଡ଼ିବା ଠାରୁ ଆରମ୍ଭ କରି ଶବଦାହ ହେବା ପର୍ଯ୍ୟନ୍ତ କୁହାଯାଉଛି କରୋନା ଆକ୍ରାନ୍ତ। କିନ୍ତୁ ମୃତ୍ୟୁର ତିନି ଚାରିଦିନ ପରେ ବିଏମ୍‌ସି କହୁଛି ଅଣକୋଭିଡ୍‌ରେ ମୃତ୍ୟୁ। ପରିବାର ଲୋକ ଯେପରି ଅଭିଯୋଗ ନକରିବେ ସେଥିପାଇଁ ପୂର୍ବରୁ ଥିବା ରୋଗ କାରଣରୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଏନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ କରୋନା ଆକ୍ରାନ୍ତଙ୍କ ନେଇ ଯାହା ରିପୋର୍ଟ ଦେଉଛି ତାହା ଆମେ ପାଳନ କରୁଛୁ। କିଏ କେଉଁ ରୋଗରେ ମରୁଛନ୍ତି ତାହା ସ୍ବାସ୍ଥ୍ୟ ବିଭାଗ ଆମକୁ ଜଣାଉଛି। ଆମେ କେବଳ ବିଏମ୍‌ସି ଅଞ୍ଚଳର ତଥ୍ୟକୁ ଉପସ୍ଥାପନ କରୁଛୁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସତ୍ୟନଗର ଶ୍ମଶାନରେ ୩ଜଣ, ମଙ୍ଗଳବାର ୬ଜଣ, ଆଜି ୨ଜଣ କରୋନା ଆକ୍ରାନ୍ତଙ୍କର ଶବ ସତ୍କାର ହୋଇଛି। ହେଲେ ଏପର୍ଯ୍ୟନ୍ତ ନା ବିଏମ୍‌ସି ନା ସ୍ବାସ୍ଥ୍ୟ ବିଭାଗ ଏନେଇ କିଛି ସୂଚନା ଦେଇନାହାନ୍ତି।

ବିଦ୍ୟୁତ ଚୁଲା କାମ କରୁନି କି ଶବ ପୋତା ହେଉନି
କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ କରୋନା ଆକ୍ରାନ୍ତଙ୍କ ମୃତଦେହ ପୋତାଯିବ। କିନ୍ତୁ ଭୁବନେଶ୍ବରରେ କରୋନା ହସ୍ପିଟାଲରେ ଯେଉଁମାନେ ମରୁଛନ୍ତି ତାଙ୍କୁ ପୋଡ଼ାଯାଉଛି। ହିନ୍ଦୁଧର୍ମ ବ୍ୟତୀତ ଅନ୍ୟ ଧର୍ମର ହୋଇଥିଲେ ପୋତାଯାଉଛି। କାଠରେ ପୋଡ଼ିବା ଦ୍ବାରା ପାଉଁଶ ଉଡ଼ିବା ସହ ସଂକ୍ରମଣ ହେବାର ଭୟ ରହୁଥିବାରୁ କେତେକ ସ୍ଥାନରେ ବିଦ୍ୟୁତ ଚୁଲାରେ ପୋଡ଼ାଯାଉଛି। କିନ୍ତୁ ସତ୍ୟନଗର ଶ୍ମଶାନରେ ଥିବା ବିଦ୍ୟୁତ ଚୁଲା କାମ କରୁନଥିବାରୁ ସବୁ ଶବ କାଠରେ ପୋଡ଼ାଯାଉଛି। ବିଏମ୍‌ସିର ଅପାରଗତା ପାଇଁ ଏବେ କୋଭିଡ୍‌ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବର୍ଷକୁ ୮ମାସ ବିଦ୍ୟୁତ ଚୁଲା ‌ଖରାପ ରହୁଥିଲେ ହେଁ ଏହାର ମରାମତି ହୋଇପାରୁନି। ଲୋକ ବିଦ୍ୟୁତ ଚୁଲାରେ ଶବ ପୋଡ଼ିବାକୁ ଚାହିଁଲେ ବି ଶ୍ମଶାନ କର୍ମଚାରୀ କଏଲ୍‌ ପୋଡ଼ିଯାଇଥିବା କହି କାଠରେ ପୋଡ଼ୁଛନ୍ତି।

ସମ୍ବନ୍ଧିତ ଖବର