ହାତରୁ ଖସୁଛି ରାଜଧାନୀ ଆଇନଶୃଙ୍ଖଳା! କଥାକଥାକେ ହଣାକଟା, ରକ୍ତପାତ

ପତିଆରା ପାଇଁ ଆତଙ୍କରାଜ, ଗୋଷ୍ଠୀ ସଂଘର୍ଷ, ନିଶା କାରବାର ଉପରେ ପୁଲିସର ନିୟନ୍ତ୍ରଣ ନାହିଁ

ଭୁବନେଶ୍ବର : କରୋନା କଟକଣା ଯୋଗୁଁ ରାଜଧାନୀରେ ଲୋକେ ଘରୁ ପଦାକୁ କମ୍ ବାହାରୁଛନ୍ତି। ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍ ଏବେ ବି ଜାରି ଅଛି। କିନ୍ତୁ ଅପରାଧ କମିବା ନାଁ ନେଉନାହିଁ। ପତିଆରା ପାଇଁ କଥାକଥାକେ ଘଟୁଛି ହଣାକଟା, ରକ୍ତପାତ। ଗଳିକନ୍ଦିଠୁ ନେଇ ରାଜରାସ୍ତା ଯାଏ ବୁଲୁଛି ଖଣ୍ଡା, ଭୁଜାଲି। ସୃଷ୍ଟି ହେଉଛି ଆତଙ୍କରାଜ। ବସ୍ତି-ବସ୍ତି, ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି କେତେବେଳେ ମୁଣ୍ଡ ଗଡ଼ୁଛି ତ କେତେବେଳେ ପୂରା ଇଲାକା ରକ୍ତରଞ୍ଜିତ ହେଉଛି। ଲୁଟତରାଜଠୁ ନେଇ ନିଶା କାରବାର ପର୍ଯ୍ୟନ୍ତ, ବିଭିନ୍ନ ଅପରାଧ ଉପରେ ପୁଲିସର ନିୟନ୍ତ୍ରଣ ନାହିଁ। ସତେ ଯେମିତି ରାଜ୍ୟର ସବୁଠାରୁ ଶକ୍ତ ଓ ସୁଦୃଢ଼ ପୁଲିସ ବ୍ୟବସ୍ଥା ଥିବା ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ପୁଲିସ ହାତରୁ ଖସି ଖସି ଯାଉଛି। ଶୁକ୍ରବାର ରାଜଧାନୀର ମୁଣ୍ଡାସାହି ଓ କେନାଲବନ୍ଧ ସାହି ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଏବଂ ଏହା ପରେ ପରେ ଶହଶହ ଉତ୍ତ୍ୟକ୍ତ ‌ଲୋକଙ୍କ ଜାତୀୟ ରାଜପଥ ଅବରୋଧ ଘଟଣାରୁ ସାଧାରଣରେ ଏଭଳି ଧାରଣା ସୃଷ୍ଟି ହୋଇଛି।

ଗତ କିଛି ମାସ ଭିତରେ ପତିଆରା ଓ ନିଶା କାରବାରକୁ ନେଇ ରାଜଧାନୀରେ ଘଟିଥିବା ଏମିତି କିଛି ସଂଘର୍ଷ ଓ ରକ୍ତପାତ ଉପରେ ଆଖି ପକାଇଲେ; ସହରର ଯେ କୌଣସି ସଚେତନ ନାଗରିକ ବିସ୍ମିତ ହେବେ। ପ୍ରଶ୍ନ ଉଠୁଛି; ଶିକ୍ଷା ଓ ଐତିହ୍ୟର ନଗରୀ ଭାବେ ପରିଚୟ ସୃଷ୍ଟି କରି ପ୍ରଶଂସା ସାଉଁଟିଥିବା ଭୁବନେଶ୍ବର କ୍ରମଶଃ ୟୁପି, ବିହାରର ସହର ଭଳି ଆପରାଧିକ କ୍ଷେତ୍ରରେ ବି ଅଲୋଡ଼ା ପରିଚୟ ସୃଷ୍ଟି କରିବାକୁ ଯାଉଛି କି? ରାଜଧାନୀର ଶାନ୍ତିପ୍ରିୟ ନାଗରିକଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଥିବାବେଳେ ଅପରାଧକୁ ନିୟନ୍ତ୍ରଣ କରିବା କମିସନରେଟ୍‌ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

India.com

ମାର୍ଚ୍ଚ ୬: ନୂଆପଲ୍ଲୀ ଏନ୍-୬ରେ ସାଲିଆସାହିର ଟୁକୁନା ଓରଫ୍ ଜଟକୁ ସେହି ଅଞ୍ଚଳର ସୁଧୀର ଓ ସାଗର ଦିନ ଦ୍ବିପହରରେ ଏକ ଚଳନ୍ତା ଗାଡ଼ିରେ ଛୁରି ଭୁସି ନୃଶଂସ ଭାବେ ହତ୍ୟା କରିଥିଲେ। ଟୁକୁନା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କଠାରୁ ଦାଦାବଟି ଆଦାୟ କରିବା ସହିତ ଲୋକଙ୍କୁ ମାରଧର କରୁଥିଲା। ସାଗର ଓ ସୁଧୀରଙ୍କୁ ମଧ୍ୟ ସେ ଏକାଧିକ ଥର ଆକ୍ରମଣ କରିଥିଲା। ତେଣୁ ଟୁକୁନାକୁ ରାସ୍ତାରୁ ହଟାଇ ନିଜର ପତିଆରା ବଢ଼ାଇବା ପାଇଁ ଦୁଇଭାଇ ତାକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ଏହାକୁ ନେଇ ନୂଆପଲ୍ଲୀ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଉତ୍ତ୍ୟକ୍ତ ଜନତା ଗାଡ଼ି ଭିତରୁ ଟାଣି ଆଣି ଦୁଇଭାଇଙ୍କୁ ନିସ୍ତୁକ ପିଟିଥିଲେ।

୨୦୨୧ ମାର୍ଚ୍ଚ ୧୬: ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ଏକ କନ୍‌ଷ୍ଟ୍ରକସନ୍ ସଂସ୍ଥାର ମାଲିକ ପ୍ରଣବ କୁମାର ରାୟ ଭଡ଼ାଘର ନ ଛାଡ଼ିବାରୁ ବିଜେପି ନେତା ଶାରଦା ପ୍ରଧାନ ଓ ଉପାସନା ମହାପାତ୍ରଙ୍କ ନେତୃତ୍ବରେ ୫୦ରୁ ଅଧିକ ଯୁବକ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବା ସହିତ ୩ ଘଣ୍ଟା ଧରି ଆତଙ୍କରାଜ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ପୁଲିସ କର୍ମଚାରୀ ମଧ୍ୟ ରହିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସେତେବେଳେ ରାଜନୈତିକ ରୂପ ନେବାରୁ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟମା‌ନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିଲେ।

Sambad English

ଏପ୍ରିଲ ୧: ଏୟାରଫିଲ୍ଡ ଥାନା ଅଧୀନସ୍ଥ ଆଜାଦନଗର ବସ୍ତିରେ ପଶି ୨୦ରୁ ଅଧିକ ଯୁବକ ଖଣ୍ଡା, ଭୁଜାଲିରେ ଲୋକଙ୍କୁ ଆକ୍ରମଣ କରିବା ସହ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ। କିଛି ଲୋକଙ୍କ ଘର ଓ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ଯୁବତୀଙ୍କ ବିବାହକୁ ନେଇ ଗ୍ରାମ କମିଟିରେ ବସିଥିବା ବୈଠକରେ ଦୁଇଗୋଷ୍ଠୀ ମୁହାଁମୁହିଁ ହେବା ପରେ ଏପରି ଗଣ୍ଡଗୋଳ ହୋଇଥିଲା।

ଜୁନ୍ ୧୭: ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡା ଲେନ୍-୪ ବସ୍ତିରେ ୧୦ରୁ ଅଧିକ ଦୁର୍ବୃତ୍ତ ହାତରେ ଖଣ୍ଡା, ଭୁଜାଲି ଓ ରଡ୍ ଧରି ଆତଙ୍କରାଜ ସୃଷ୍ଟି କରିଥିଲେ। ଦୁର୍ବୃତ୍ତମାନେ ୫ରୁ ଅଧିକ କାର୍ ଓ ବାଇକ୍ ଭାଙ୍ଗିବା ସହ ବସ୍ତିରେ ଥିବା ଲୋକଙ୍କ ଘରକୁ ମାରଣାସ୍ତ୍ରରେ ବାଡ଼େଇ ବାଡ଼େଇ ଧମକ ଦେଇଥିଲେ। ଏହା ପଛରେ ଥିଲା ଦୁଇଟି ଆପରାଧିକ ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଝା ଏବଂ ପତିଆରା ପାଇଁ ଲଢ଼େଇ। ସେଥିପାଇଁ ଗୋଟିଏ ଗୋଷ୍ଠୀ ସ୍ଥାନୀୟ ଅଞ୍ଚଳରେ ନିଜ ଦବ୍‌ଦବା ଦେଖାଇବାକୁ ଏପରି କରିଥିଲେ।

ଜୁଲାଇ ୨୬: ମାଷ୍ଟରକ୍ୟାଣ୍ଟିନ୍‌ର ପ୍ରବେଶ ପଥରେ ନିଶା କାରବାରକୁ ନେଇ ଏବଂ ସ୍ଥାନୀୟ ଅଞ୍ଚଳରେ ପତିଆରା ସୃଷ୍ଟି ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ମସଜିଦ୍ କଲୋନିରୁ ଏକ ଗୋଷ୍ଠୀ ମାଷ୍ଟରକ୍ୟାଣ୍ଟିନ୍‌ରେ ଫାଳିକିଆ ବସ୍ତିର ପିଲାଙ୍କୁ ଆକ୍ରମଣ କରିବାକୁ ଆସିଥିବା ବେଳେ ପାଲଟା ଆକ୍ରମଣର ଶିକାର ହୋଇଥିଲେ। ହାତରେ ମାରଣାସ୍ତ୍ର ଓ ରଡ୍‌ ଧରି ଆସିଥିବା ୩ଜଣ ଯୁବକଙ୍କୁ ଅପର ଗୋଷ୍ଠୀର ପିଲାମାନେ ପିଟି ପିଟି ଲହୁଲୁହାଣ କରିଦେଇଥିଲେ।

ଅଗଷ୍ଟ ୬: କ୍ୟାରମ୍ ଖେଳକୁ କେନ୍ଦ୍ର କରି ମୁଣ୍ଡା‌ସାହି ବସ୍ତିରେ ପଣି କେନାଲବନ୍ଧସାହିର ୫୦ରୁ ଅଧିକ ଯୁବକ ଖଣ୍ଡା, ଭୁଜାଲି ଓ ବିଭିନ୍ନ ମାରଣାସ୍ତ୍ରରେ ହଣାକଟା ଓ ଭଙ୍ଗାରୁଜା କରିବା ସହ ଆତଙ୍କ ସୃଷ୍ଟି କରିଥିଲେ। ପରେ ଏହାର ପ୍ରତିବାଦରେ ମୁଣ୍ଡାସାହିତ ଶହଶହ ଲୋକ ପଳାସୁଣୀ ନିକଟରେ ଜାତୀୟ ରାଜପଥ ଅବରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

କୁଆଡ଼େ ଗଲା ଗୁଇନ୍ଦା ବିଭାଗ, ଟିମ୍‌-୬୦?
ରାଜଧାନୀରେ ଏହିସବୁ ରକ୍ତପାତ ବା ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ପୂର୍ବରୁ ଘଟିଥିବା ଛୋଟମୋଟ ଗଣ୍ଡଗୋଳରୁ ହିଁ ହୋଇଥିଲା। ପୁଲିସ ଆଗୁଆ ଖବର ପାଇ ସଜାଗ ହୋଇଥିଲେ ଅଧିକାଂଶ ସଂଘର୍ଷକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ମାତ୍ର କମିସନରେଟ୍ ପୁଲିସର ଗୁଇନ୍ଦା ବିଭାଗ ଏହାର ଟେର୍ ନପାଇବା ଆଶ୍ଚର୍ଯ୍ୟଜନକ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବସ୍ତି ଓ ସାହିରେ ଦେଖାଦେଉଥିବା ଗୋଷ୍ଠୀ ସଂଘର୍ଷ ତଥା ନିଶା କାରବାରକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୨୦୧୯ରେ ‘ଆପୋସ’ ଓ ପରେ ପରେ ‘ବସ୍ତିକୁ ଚାଲ’ ଅଭିଯାନ କରାଯାଇଥିଲା। ହେଲେ କମିସନରେଟ୍ ପୁଲିସ୍‌ର ଏହି ଯୋଜନା ବିଶେଷ ଫଳପ୍ରଦ ହେଲାନାହିଁ। ଦ୍ବୈତନଗରୀର ନୂଆ କମିସନର ଭାବେ ଯୋଗ ଦେବା ପରେ ସୌମେନ୍ଦ୍ର ପ୍ରିୟଦର୍ଶୀ ବଛାବଛା କନେଷ୍ଟବଳଙ୍କୁ ନେଇ ଟିମ୍‌-୬୦ ଗଠନ କରିଥିଲେ। ଏହି ଟିମ୍ ବସ୍ତି ଅଞ୍ଚଳ ଓ ରାସ୍ତାଘାଟରେ ସାଦା ପୋଷାକରେ ରହି ଗୁଇନ୍ଦା ସୂଚନା ସଂଗ୍ରହ କରିବ ଏବଂ ବିଭିନ୍ନ ଥାନା ସହିତ ଯୋଗାଯୋଗ କରି ସଂଘର୍ଷ ଓ ଅପରାଧ ରୋକିବ ବୋଲି କୁହାଯାଇଥିଲା। ମାତ୍ର ଶୁକ୍ରବାର କେନାଲନ୍ଧସାହି ପିଲାମାନେ ମୁଣ୍ଡାସାହିରେ ପଶି ଆକ୍ରମଣ କରିବା ପୂର୍ବରୁ ପ୍ରଥମ ଗଣ୍ଡଗୋଳ ସଂପର୍କରେ ଏହି ସ୍ବତନ୍ତ୍ର ଟିମ୍ କେମିତି ଜାଣି ପାରିଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। ବସ୍ତି ଲୋକଙ୍କ ସହିତ ସୁସଂପର୍କ ସ୍ଥାପନା କରି ବସ୍ତିର ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ଉପରେ ଟିକିନିଖି ନଜର ରଖିବାରେ କମିସନରେଟ୍ ପୁଲିସ ଫେଲ୍ ମାରୁଥିବାରୁ ବାରମ୍ବାର ଏପରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର