ଟ୍ରେନ୍‌ ଦୁର୍ଘଟଣା ଟଳିବା ଘଟଣା: ନିଶାସକ୍ତ ଲୋକୋ ପାଇଲଟ ନିଲମ୍ବିତ

ଚନ୍ଦ୍ରଶେଖରପୁର : ଗତକାଲି ନିୟୁ ଭୁବନେଶ୍ବର ଷ୍ଟେସନରେ ଅଳ୍ପକେ ଟଳି ଯାଇଥିବା ରେଳ ଦୁର୍ଘଟଣା ମାମଲାରେ ‌କର୍ତ୍ତୃପକ୍ଷ ଲୋକୋ ପାଇଲଟ ସୋମନାଥ ସେଠୀଙ୍କୁ ନିଲମ୍ବନ କରାଯାଇଛି। ଡ଼୍ୟୁଟିରେ ଥାଇ ମଦ୍ୟପାନ କରିବା ଓ ‌ଷ୍ଟେସନ୍ ମାଷ୍ଟରଙ୍କ ନିର୍ଦେଶ ନମାନି ଟ୍ରେନ୍ ଚଳାଇବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ବୁଧବାର ରେଳ କର୍ତ୍ତୃପକ୍ଷ ଏକ ଉଚ୍ଚସ୍ତରୀୟ ତଦନ୍ତ କରିଛନ୍ତି। ହୋଇଛି। ଏହି ମାମଲାରେ ଟ୍ରେନ୍‌ର ଗାର୍ଡଙ୍କ ଭୂମିକା କ’ଣ ଥିଲା, ତାହା ଉପରେ ଖୋଳତାଡ୍ କରାଯାଉଛି।

ବୁଧବାର ଏକ ଡାକ୍ତରୀ ଦଳ ଅଭିଯୁକ୍ତ ଲୋକୋ ପାଇଲଟ୍ ଶ୍ରୀ ସେଠୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ସେହିଭଳି ଜିଆର୍‌ପି ଓ ଆର୍‌ପିଏଫ୍ ଟିମ୍‌ ସହିତ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ପୁଣି ଘଟଣାସ୍ଥଳରେ ଛାନ୍‌ଭିନ୍ କରିଛନ୍ତି। ସୂଚନାଯୋଗ୍ୟ ମଙ୍ଗଳବାର ମାଲଗାଡ଼ି ସଂଖ୍ୟା ୩୧୪୭୬ ନିୟୁ ଭୁବନେଶ୍ବର ଷ୍ଟେସନରେ ଅଟକିଥିଲା। ମାତ୍ର ହଠାତ୍ ଚାଳକ ଶ୍ରୀ ସେଠୀ ବିନା ଗ୍ରୀନ୍‌ ସିଗନାଲ୍‌ରେ ଟ୍ରେନ୍ ଆଗକୁ ଗଡ଼ାଇଥିଲେ। ସୌଭାଗ୍ୟକୁ ଷ୍ଟେସନ ମାଷ୍ଟରଙ୍କ ତ୍ବରିତ୍ ପଦକ୍ଷେପ ଯୋଗୁଁ ଖୋର୍ଦ୍ଧାରୋଡ୍‌ରୁ ବିଦ୍ୟୁତ୍ ନିୟନ୍ତ୍ରକ ଟ୍ରେନ୍‌ ବିଦ୍ୟୁତ୍ ହୁକକୁ ନିଷ୍କ୍ରିୟ କରିବା ଯୋଗୁଁ ଟ୍ରେନ୍‌ଟି ପ୍ରାୟ ୬ ଶହ ମିଟର ଦୂର ଗଡ଼ିବା ପରେ ଅଟକି ଯାଇଥିଲା। ନଚେତ୍ ଆଉ ମାତ୍ର କିଛି ଦୂର ଗଡ଼ିବା ପରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥାନ୍ତା କିମ୍ବା ମେରାମୁଣ୍ଡଳି ଦିଗରୁ ଆସୁଥିବା କୌଣସି ଟ୍ରେନ୍‌ ସହ ଧକ୍କା ହୋଇଥାନ୍ତା। ତେବେ ଠିକଣା ସମୟରେ ପଦକ୍ଷେପ ନିଆଯିବାରୁ‌ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଟଳି ଯାଇଥିଲା।

ସମ୍ବନ୍ଧିତ ଖବର