ଓଡ଼ିଆ ଅଲିମ୍ପିଆନ୍: ଦିଲୀପଙ୍କଠୁ ଦୂତିଙ୍କ ପର୍ଯ୍ୟନ୍ତ

ଭୁବନେଶ୍ବର: ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ଅଲିମ୍ପିକ୍ସ ଖେଳିଥିବା ଓଡ଼ିଆ କ୍ରୀଡ଼ାବିତ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅଲିମ୍ପିକ୍ସ ଭଳି ବୃହତ୍ ଓ ସମ୍ମାନଜନକ କ୍ରୀଡ଼ା ମହୋତ୍ସବରେ ସାମିଲ ହୋଇ ରାଜ୍ୟକୁ ଗର୍ବିତ କରିଥିବା ଏହି ଖେଳାଳିମାନେ କିନ୍ତୁ ନିଶ୍ଚିତ ଭାବେ ପ୍ରଶଂସାର ପାତ୍ର। ଅବଶ୍ୟ ଏପର୍ଯ୍ୟନ୍ତ କେବଳ ୧୪ ଜଣ ଓଡ଼ିଆ କ୍ରୀଡ଼ା ତାରକା ଅଲିମ୍ପିକ୍ସ ଖେଳିଛନ୍ତି। ସେଥିମଧ୍ୟରେ ହକିର ୯ ଜଣ, ଦୌଡ଼କୁଦର ୪ ଜଣ ଏବଂ ଭାରୋତ୍ତୋଳନ‌ର ଜଣେ ଅଛନ୍ତି। ପରାଲିମ୍ପିକ୍ସରେ କେବଳ ଜଣେ ଓଡ଼ିଆ ସାମିଲ ରହିଛନ୍ତି।

୧୮୯୬ରେ ଆଧୁନିକ ଅଲିମ୍ପିକ୍ସ ଆରମ୍ଭ ହେବାପରଠାରୁ ଅନୁଷ୍ଠିତ ଗତ ୩୧ଟି ସଂସ୍କରଣରେ ଓଡ଼ିଆଙ୍କ ପ୍ରଦର୍ଶନ ବି ସେତେଟା ଭଲ ନାହିଁ। ରାଜ୍ୟକୁ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଅଲିମ୍ପିକ୍ସ ପଦକ ଆସିନି। ଅବଶ୍ୟ ଯୁବ ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ହକି ଦଳର ଅନ୍ୟତମ ସଦସ୍ୟ ଥିଲେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ। ହେଲେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ପଦକ ପୋଡିୟମରେ ଏ ପର୍ଯ୍ୟନ୍ତ କୌଣସି ଓଡ଼ିଆ ତାରକା ଠିଆ ହେବାର ଗୌରବ ହାସଲ କରି ପାରିନାହାନ୍ତି। ଗତବର୍ଷ ମୃତ୍ୟୁ ବରଣ କରିଥିବା ଝାଡ଼ଖଣ୍ଡ ଜନ୍ମିତ ହକି କିଂବଦନ୍ତି ମାଇକେଲ କିଣ୍ଡୋ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ହେଲେ ସେ ୧୯୭୭ରେ ଓଡ଼ିଶା ଆସିଥିବାରୁ ତାଙ୍କୁ ଓଡ଼ିଶାର ଅଲିମ୍ପିକ୍ସ ବିଜେତା ଭାବେ ପରିଣଗନା କରାଯାଏନାହିଁ। ସତ କଥା ହେଲା ଅଲିମ୍ପିକ୍ସରେ ଜଣେ ଓଡ଼ିଆଙ୍କୁ ଦେଖିବାକୁ ପାଖାପାଖି ୧୦୦ ବର୍ଷ ଲାଗି ଯାଇଥିଲା। ଅର୍ଥାତ୍ ୧୮୯୬ ମସିହା ପ୍ରଥମ ଅଲିମ୍ପିକ୍ସର ଦୀର୍ଘ ୧୦୦ ବର୍ଷ ପରେ ଅର୍ଥାତ୍ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସରେ ପଦ୍ମଶ୍ରୀ ଦିଲୀପ ତିର୍କି ପ୍ରଥମ ଓଡ଼ିଆ ଭାବେ ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ଅର୍ଜନ କରିଥି‌ଲେ। ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ଦୂତି ଏହି ତାଲିକାରେ ସାମିଲ ହୋଇ ସାରିଥିଲା ବେଳେ ଏଥରର ଯୁଗଳ ଅଲିମ୍ପିକ୍ସ ଟିକେଟ ଅନ୍ୟମାନଙ୍କଠାରୁ ତାଙ୍କୁ ଭିନ୍ନ ଓ ସ୍ବତନ୍ତ୍ର କରିଛି। ସେହିଭଳି ଟୋକିଓରେ ହକି ଖେଳାଳି ଅମିତ ରୋହିଦାସ ଓ ପାରାବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଅଲିମ୍ପିକ୍ସ ପଦାର୍ପଣ କରିବେ।

ଓଡ଼ିଶାର ପ୍ରଥମ ଅଲିମ୍ପିଆନ୍ ହେଉଛନ୍ତି ଦିଲୀପ ତିର୍କି। ୧୯୯୬ ମସିହାରେ ସେ ଭାରତୀୟ ହକି ଦଳର ସଦସ୍ୟ ଥିଲେ। ଏହା ପରେ ୮ ଜଣ ଅନ୍ୟ ଆଦିବାସୀ ହକି ଖେଳାଳି ଲାଜରୁସ ବାର୍ଲା (୨୦୦୦), ଇଗ୍ନେସ ତିର୍କି (୨୦୦୪, ୨୦୧୨), ୱିଲିୟମ୍ ଖାଲକୋ (୨୦୦୪), ବୀରେନ୍ଦ୍ର ଲାକ୍ରା (୨୦୧୨ ଲଣ୍ଡନ), ଦୀପଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ଲିଲିମା ମିଞ୍ଜ୍ ଓ ନମିତା ଟପ୍ପୋ (୨୦୧୬ ରିଓ) ଅଲିମ୍ପିକ୍ସ ମାନଚିତ୍ରରେ ଓଡ଼ିଶାର ସ୍ଥିତି ଜାହିର କରିଥିଲେ। ସେହିଭଳି ବ୍ୟକ୍ତିଗତ ବର୍ଗରେ ରଚିତା ମିସ୍ତ୍ରୀ (ପଣ୍ଡା) ଓ ଅନୁରାଧା ବିଶ୍ବାଳ ଅଲିମ୍ପିକ୍ସକୁ ଯିବାରେ ପ୍ରଥମ ଓଡ଼ିଆ ହୋଇଥିଲେ। ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସ ଲାଗି ଭାରତୀୟ ଦୌଡ଼କୁଦ ଦଳରେ ଉଭୟ ଥିଲେ। ରଚିତା ୪ ଗୁଣା ୧୦୦ ରିଲେ‌ରେ ଅଂଶଗ୍ରହଣ କରିଥିଲେ। ଅନୁରାଧାଙ୍କୁ କିନ୍ତୁ ଏହି ସୁଯୋଗ ମିଳିନଥିଲା। ଏହାର ୧୬ ବର୍ଷ ପରେ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଫଳରେ ଦୌଡ଼କୁଦରେ ଅଲିମ୍ପିକ୍ସ ଖେଳିଥିବା ଓଡ଼ିଆଙ୍କ ସଂଖ୍ୟା ୪କୁ ବଢ଼ିଥିଲା। ରିଓରେ ଦୂତି ୫୦ ଓ ଶ୍ରାବଣୀ ୫୫ତମ ସ୍ଥାନରେ ଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରୋତ୍ତୋଳନ ତାରକା ରବି କୁମାର ନିଜ ଗ୍ରୁପର ଷଷ୍ଠ ଓ ଓଭରଅଲ୍‌ରେ ପଞ୍ଚଦଶ ସ୍ଥାନରେ ରହିଥିଲେ। ମାର୍କଣ୍ଡ ରେଡ୍ଡୀ ହେଉଛନ୍ତି ପାରାଲିମ୍ପିକ୍ସ ଖେଳିଥିବା ଏକମାତ୍ର ଓଡ଼ିଆ । ୨୦୦୮ ବେଜିଂ ପରାଲିମ୍ପିକ୍ସର ଟି-୪୬ ୧୦୦ ମିଟର ହିଟ୍‌ର ପଞ୍ଚମ ସ୍ଥାନରେ ରହିଥିଲେ ସେ। ଟୋକିଓରେ ଅମିତ ରୋହିଦାସ ଅଲିମ୍ପିକ୍ସ ଖେଳିଥିବା ପ୍ରଥମ ଅଣଆଦିବାସୀ ଓଡ଼ିଆ ହକି ଖେଳାଳି ହେବେ। ପ୍ରମୋଦ ଭଗତ ମଧ୍ୟ ରାଜ୍ୟର ପ୍ରଥମ ଦିବ୍ୟାଂଗ ବ୍ୟାଡମିଣ୍ଟନ୍ ତାରକା ଭାବେ ପରାଲିମ୍ପିକ୍ସ ଖେଳିବେ।

ଅଲିମ୍ପିକ୍ସ ଯାଇଥିବା ଓଡ଼ିଆ: ଦିଲୀପ ତିର୍କି, ଲାଜରୁସ ବାର୍ଲା, ଇଗ୍ନେସ ତିର୍କି, ୱିଲିୟମ୍ ଖାଲକୋ, ବୀ‌ରେନ୍ଦ୍ର ଲାକ୍ରା, ଦୀପଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରଚିତା ମିସ୍ତ୍ରୀ (ପଣ୍ଡା), ଅନୁରାଧା ବିଶ୍ବାଳ, ଦୂତି ଚାନ୍ଦ, ଶ୍ରବଣୀ ନନ୍ଦ। ମାର୍କଣ୍ଡ ରେଡ୍ଡୀ (ପାରାଲିମ୍ପିକ୍ସ), ସୁଦୀପ ଚିର୍ମାକୋ (ଯୁବ ଅଲିମ୍ପିକ୍ସ)।

ସମ୍ବନ୍ଧିତ ଖବର