ଘରେ କଟିଲା ପହିଲି ରଜ, ମାସ୍କ ପିନ୍ଧି ଦୋଳି ‌ଖେଳିଲେ

ଭୋରୁ ବୋହିନେଲେ ଆମିଷ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର/ବାଲିଅନ୍ତା, ୧୪।୬ (ଇମିସ): ଝିପିଝିପି ବର୍ଷ‌ାରେ ଆସିଥିଲା ପହିଲି ରଜ। ସଟ୍‌ଡାଉନ୍‌ ପାଇଁ ଦାଣ୍ଡଘାଟରେ ଭିଡ଼ ନଥିଲା। ମାତ୍ର ସାହି ଗଳିକାନ୍ଦିରେ ଉତ୍ସାହ ଫିକା ପଡ଼ିନଥିଲା। ଏଥ‌ର ବାହାରେ ନୁହେଁ, ଘରେ ଝୁଲିଥିଲା ଦୋଳି। ଘରୁ ମହକି ଆସୁଥିଲା ପାରମ୍ପରିକ ପିଠାର ମହମହ ବାସ୍ନା। ଝିଅମାନେ ସଜ ହୋଇ ନିଜ ଘରେ ଖେଳର ଆସର ଜମେଇଥିଲେ। କିଏ ସାଙ୍ଗସାଥୀଙ୍କ ଘରକୁ ଯାଇ ପିଠା ଖାଇଥିଲା ତ କିଏ ଲୁଡୁ ଓ ତାସ ପାଲିରେ ମାତିଥିଲା। ତେବେ ସହର ଅପେକ୍ଷା ଉପକଣ୍ଠରେ ରଜ ଜମିଥିଲା।

ମାସ୍କ ପିନ୍ଧି ଦୋଳି ‌ଖେଳିଲେ
ରାଜଧାନୀ ଉପକଣ୍ଠ ପାଞ୍ଚ ପଞ୍ଚାୟତରେ ରଜ ଉତ୍ସବ ପାଳିତ କଟକଣା ମଧ୍ୟରେ ପାଳନ ହୋଇଥିଲା। ଚଳିତ ବ‌‌‌‌ର୍ଷ ଏହି ପରମ୍ପରାରେ ତାଲା ଲାଗିବା ଫଳରେ କିଛି ଲୋକ ଘର ନିକଟ ଗଛଗୁଡ଼ିକରେ ଦୋଳି ବାନ୍ଧିଥିଲେ। କଲ୍ୟାଣପୁର, ବରିମୁଣ୍ଡ, ରଘୁନାଥପୁର, କଳାରାହାଙ୍ଗ ଓ ଦାଢ଼ା ପଞ୍ଚାୟତରେ ‌କାଁଭାଁ ଦୋଳି ଦେଖିବାକୁ ମିଳିଥିଲା। ଦୋଳି ନିକଟରେ କୁନି ପିଲାମାନେ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ବାନ୍ଧି ଦୋଳି ଖେଳୁଥିବା ଦେଖିବାକୁ ମଳିଥିଲା। କୁନି ଝିଅମାନେ ସାଙ୍ଗମାନଙ୍କ ଘର ବୁଲି ପିଠା ଓ ମିଠା ଖାଇଥିଲେ।

ଭୋରୁ ବୋହିନେଲେ ଆମିଷ
ସଟଡାଉନ ଥିବାରୁ ଘରୁ ବାହାରିବାର ଅନୁମତି ନଥିଲା। ଆମିଷ ବଜାରକୁ କିନ୍ତୁ ସଟ୍‌ଡାଉନ୍‌ ଫିକା କରିପାରି ନଥିଲା। ଲୋକେ ସାମାଜିକ ଦୂରତାକୁ ଭୁଲି ଆମିଷ କିଣାକିଣି କରିଥିଲେ। ରବିବାର ଆମିଷ ବାରି ଥିବାରୁ ବ୍ୟବସାୟ ଭଲ ଜମିଥିଲା। ସ୍ଥିତି ଏମିତି ହେଲା ଯେ ବିନା ମୂଲଚାଲରେ ଲୋକେ ଆମିଷ ‌ବୋହିନେଲେ। କୁଇଣ୍ଟାଲ କୁଇଣ୍ଟାଲ ମାଛ, ମାଂସ ଓ ଚି‌କେନ୍‌ କଟା ହୋଇଥିଲା। ଛକ ବଜାରରେ ସବୁ ମାଛ, ମାଂସ ଓ ଚିକେନ୍‌ କାଉଣ୍ଟର ନାମକୁ ମାତ୍ର ବାହାରୁ ବନ୍ଦ ଥିଲା। ବ୍ୟବସାୟ ଅନ୍ୟତ୍ର ଲୁଚାଛପାରେ ଚାଲିଥିଲା। ଗାଁ ଗହଳିରେ ଫାର୍ମହାଉସ୍‌, ଆମ୍ବତୋଟା, ନଦୀପଠା, ଝାଉଁବଣ, ବଣବୁଦା ଭଳି ସ୍ଥାନରେ ଅସ୍ଥାୟୀ ଆମିଷ ଦୋକାନ ଖୋଲିଥିଲା। ମାଛ, ମାଂସ ନେବା ପାଇଁ ଦୋକାନ ନିକଟକୁ ଯାଇ ଲୋକେ ଘୂରି ବୁଲିଥିଲେ। ଜନଗହଳିପୂର୍ଣ୍ଣ ଛକ ବଜାର ଅଞ୍ଚଳରେ ରହୁଥିବା ଆମିଷ ପ୍ରିୟ ଲୋକମାନେ ସଟ୍‌ଡାଉନ୍ କଟକଣାକୁ ଖାତିର ନକରି ଭୋରୁ ଛୁଟିଥିଲେ। ବ୍ରଏଲର ପର ଲଗା କେଜି ୧୦୩ ଟଙ୍କାରେ ବିକ୍ରି ହୋଇଥିବା ବେଳେ କଟା ମାଂସ ୨୦୦ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଖାସି ମାଂସ ବି ଚଢ଼ା ଦରରେ ବିକ୍ରି ହୋଇଥିଲା। ଶୁଖିଲା ଖାସି ମାଂସ କେଜିକୁ ୭୦୦ଟଙ୍କା ଓ ଜିଅନ୍ତା ମାଛ କେଜି ପିଛା ୨୮୦ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି ହୋଇଥିଲା। ହେଲେ ଆମିଷର ଏଭଳି ଚଢ଼ା ମୂଲ୍ୟ ଗ୍ରାହକମାନଙ୍କ ଉପରେ କିଛି ବି ଫରକ ପକାଇନଥିଲା। ଅଧିକାଂଶ ସ୍ଥାନରେ ଗାଁର ଯୁବକମାନେ ମାଂସ କାଟି ନିଜ ନିଜ ମଧ୍ୟରେ ଭାଗ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର