ବଣଭୋଜିକୁ ମିଳିଲା ଅନୁମତି: ଡିସେମ୍ବର ପହିଲାରୁ ବଟାନିକାଲ୍‌ ଗାର୍ଡେନ୍‌ରେ ଭୋଜି

ଅନ୍‌ଲାଇନ୍‌ରେ ବୁକିଂ ସୁବିଧା ଉପଲବ୍ଧ, ଜୟଦେବ ବାଟିକାରେ ବି ମିଳିବ ଅନୁମତି

ଭୁବନେଶ୍ବର/ବାରଙ୍ଗ/ତ୍ରିଶୁଳିଆ: ଜଙ୍ଗଲ ଭିତରେ ବଣଭୋଜି ପାଇଁ ମିଳିଲା ଅନୁମତି। ବନ ବିଭାଗ ଅଧୀନ ବଣଭୋଜି ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିବ। ଡିସେମ୍ବର ପହିଲାରୁ ନନ୍ଦନକାନନସ୍ଥିତ ଉଦ୍ଭିଦ ଉଦ୍ୟାନ(ବଟାନିକାଲ୍‌ ଗାର୍ଡେନ୍‌), ଜୟଦେବ ବାଟିକା ସମେତ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକମାନେ ବଣଭୋଜି କରିପାରିବେ। ତେବେ ଅନୁମତି ନେବା ସମୟରେ କରୋନା କଟକଣା ଯେପରି ପାଳନ ହୁଏ ସେଥିପ୍ରତି କଡ଼ା‌ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ସ୍ଥାନରେ କଟକଣା ପାଳନ ହେଉ ନ ଥିବା ଦୃଷ୍ଟିକୁ ଆସେ କର୍ତୃପକ୍ଷ ଚାହିଁଲେ ଅଧାରୁ ଭୋଜି ବନ୍ଦ କରି ଦେବାର କ୍ଷମତା ରହିଛି। ସମସ୍ତ କର୍ତୃପକ୍ଷ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବନ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଡିସେମ୍ବର ପହିଲାରୁ ନନ୍ଦନକାନନସ୍ଥିତ ରାଜ୍ୟ ଉଦ୍ଭିଦ ଉଦ୍ୟାନ(ବଟାନିକାଲ୍‌ ଗାର୍ଡେନ୍‌)ରେ ପର୍ଯ୍ୟଟକମା‌ନେ ଭୋଜି କରିପାରିବେ। ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ଏହି ଘୋଷଣା କରିବା ପରେ ପର୍ଯ୍ୟଟକମହଲରେ ଖୁସିର ଲହରି ଖେଳି ଯାଇଛି। ଏବେ ଭୋଜି କରିବାକୁ ଇଚ୍ଛା କରୁଥିବା ଲୋକେ ସିଧାସଳଖ ବା ଅନ୍‌ଲାଇନ୍‌ରେ ପିଣ୍ଡି ବୁକିଂ କରିପାରିବେ। କୋଭିଡ୍‌ କଟକଣା ପାଇଁ ଗତ ମାର୍ଚ୍ଚ ୨୨ରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ଥିଲା। ତେଣୁ ପର୍ଯ୍ୟଟକଙ୍କ ପାଇଁ ବଣଭୋଜି ବାରଣ ଥିଲା। ଆଜି କଟକଣା ହଟାଇ ଦିଆଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଡିସେମ୍ବର ୧ ଅର୍ଥାତ୍ ଆସନ୍ତା ବୁଧବାର ଠାରୁ ପର୍ଯ୍ୟଟକମାନେ ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ବତନ୍ତ୍ର ଭୋଜି ଗୃହ ପାଇଁ ଅନ୍‌ଲାଇନ୍ ଟିକେଟ୍‌ କରି ଆସିପାରିବେ। ତେବେ ବଣଭୋଜି ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣା ଭିତରେ ହେବ। ଏଠାରେ ଥିବା‌ ମୋଟ୍‌ ୬୪ ଖୋଲା ପିଣ୍ଡିରୁ ଛୋଟ ୫ଟି ପିଣ୍ଡିର ଟିକେଟ୍‌ ମୂଲ୍ୟ ୩୦୦ ଟଙ୍କା, ୫୯ଟି ବଡ଼ ପିଣ୍ଡିର ଟିକେଟ ମୂଲ୍ୟ ୫୫୦ଟଙ୍କା ରହିଛି। ୮ଟି ପିକ୍‌ନିକ୍‌ ସେଡ୍‌ ବା ରୋଷଶାଳାର ମୂଲ୍ୟ ୧୧୦୦ଟଙ୍କା ରହିଛି। ୧୦ଟି ସ୍ବତନ୍ତ୍ର ପିଣ୍ଡିର ମୂଲ୍ୟ ୧୬୦୦ ଟଙ୍କା, ୨ଟି ହଲିଉଡ୍‌ କଟେଜ୍‌ର ଟିକେଟ୍‌ ମୂଲ୍ୟ ୨୬୦୦ ଟଙ୍କା ଲେଖାଏ ଓ ଗୋଟିଏ ଏଫ୍‌ଆର୍‌ଏଚ୍ କଟେଜ୍‌ର ଟିକେଟ ମୂଲ୍ୟ ୨୬୦୦ ଟଙ୍କା ରଖାଯାଇଛି। ସେହିଭଳି ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପ୍ରବେଶ ଟିକେଟ ଦର ୨୦ ଟଙ୍କା ରହିଛି।

ଜୟଦେବ ବାଟିକାରେ ମଧ୍ୟ ବଣଭୋଜି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ। ଏଠାରେ ୩୦ଟି ସ୍ବତନ୍ତ୍ର ଟିଣ, ଚାଳ ଛପର ପିଣ୍ଡି ରହିଛି। ଏହାବ୍ୟତୀତ ଜଙ୍ଗଲ ଭିତରେ ଭୋଜି ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ଥିବା ୧୩୦ଟି ସ୍ଥାନ ଚିହ୍ନଟ ହୋଇଛି। ଯେଉଁଠାରେ ବଣଭୋଜି ପାଇଁ ପିଇବା ପାଣି ସୁବିଧା କରାଯାଇଛି। ଯେଉଁଠାରେ ପର୍ଯ୍ୟଟକମାନେ ଜଙ୍ଗଲ ଭିତରେ ଭୋଜି କରିବାର ମଜା ଉଠାଇପାରିବେ। ସ୍ବତନ୍ତ୍ର ପିଣ୍ଡିରେ ଭୋଜି କରିବା ପାଇଁ ପର୍ଯ୍ୟଟକଙ୍କୁ ୧୮୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଜଙ୍ଗଲ ଭିତରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜି ପାଇଁ ୮୦୦ ଟଙ୍କା ଲେଖାଏ ଫି’ ରହିଛି। ଏହାବାଦ୍‌ ବାଟିକାକୁ ପ୍ରବେଶ ବାବଦରେ ଅଲଗା ଫି’ ଆଦାୟ କରାଯାଏ। ପର୍ଯ୍ୟଟନ ଋତୁ ଚାଲିଥିବାରୁ ଏଠାରେ ବୁଲିବା ସହ ଭୋଜି କରିବାକୁ ପ୍ରତିଦିନ ଶହଶହ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଭୋଜି ଲାଗି ଅନୁମତି ମିଳୁ ନ ଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିଲେ। ଏନେଇ ଗତ ସପ୍ତାହରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବନ ବିଭାଗ ପଦକ୍ଷେପ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର