ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ : କର୍ମବୀର ନିଜ ଭାଗ୍ୟ ନିଜେ ଗଢ଼ନ୍ତି

ଖୋର୍ଦ୍ଧା : ଜନ୍ମ ଯେଉଁ କୁଳରେ ହେଉନା କାହିଁକି ଯଦି କର୍ମ ଉପରେ ଦୃଢ଼ ବିଶ୍ବାସ ରହିଛି, ନିଜର ଦୃଢ଼ ଇଚ୍ଛାଶକ୍ତି ରହିଛି, ତେବେ ଜଣେ ସମସ୍ତ ପ୍ରତିବନ୍ଧକକୁ ପ୍ରତିହତ କରି ପ୍ରତିଷ୍ଠା ଅର୍ଜନ କରିପାରିବ, ଏହା ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରାକ୍ତନ ଆସାମ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସମଗ୍ର ଜୀବନାଦର୍ଶ। ଆଜିର ଦିନରେ ତାଙ୍କୁ ସ୍ମରଣ କରିବା ସହ ଏହି ଜୀବନାଦର୍ଶ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତ ଦେଇଛନ୍ତି।

ସ୍ଥାନୀୟ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ସ୍ମୃତି କମିଟି ଦ୍ବାରା ଆୟୋଜିତ ଜାନକୀବଲ୍ଲଭଙ୍କ ୯୪ତମ ଜୟନ୍ତୀ ପାଳନ ଅବସରରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଜାନକୀବଲ୍ଲଭ ପଟ୍ଟନାୟକ ନିଜର ଶେଷ ଜୀବନ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ, ସକ୍ରିୟ ଥିଲେ। ଇଚ୍ଛାଶକ୍ତି ଓ କର୍ମ ସମ୍ମୁଖରେ ବୟସ ଓ ବିପତ୍ତି କୌଣସି ବାଧକ ନୁହେଁ ଏହା ସେ ପ୍ରମାଣିତ କରିଥିଲେ। ତାଙ୍କର ଜନ୍ମମାଟି ଖୋର୍ଦ୍ଧାରେ ତିଆରି ହୋଇଥିବା ଏହି ଉଦ୍ୟାନ ସେହି ଦୃଢ଼ ଇଚ୍ଛାଶକ୍ତିର ପରିଚୟ। ଏକ ପରିତ୍ୟକ୍ତ ସ୍ଥାନର ଉନ୍ନତୀକରଣ କରାଯାଇ ଆଜି ଏକ ଭବ୍ୟ ପାର୍କ କରାଯାଇଛି ତାହା କୌଣସି ବ୍ୟକ୍ତି ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବ। ଏହି ପାର୍କ ନିର୍ମାଣ ପାଇଁ ସ୍ବର୍ଗତ ଡା. ବିମଳ ରଥଙ୍କଠାରୁ ଆରମ୍ଭ କରି କମିଟିର ସଦସ୍ୟମାନଙ୍କ ପରିଶ୍ରମକୁ ସେ କୃତଜ୍ଞତା ଜଣାଇ ଏହା ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ସ୍ମୃତି ଉଦ୍ୟାନରେ ଥିବା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିଲେ।

ସ୍ବାଗତ ଭାଷଣରେ ସ୍ମୃତି କମିଟିର ସମ୍ପାଦକ ସଂଜୟ ପଟ୍ଟନାୟକ ନିକଟରେ ପାର୍କର କଳେବର ଆହୁରି ୪ ଏକର ଅଞ୍ଚଳ ବୃଦ୍ଧି ହୋଇଥିବା ଓ ପାଚେରି ନିର୍ମାଣ ପାଇଁ ବିଧାୟକଙ୍କ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ସେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ କୃତଜ୍ଞତା ଜଣାଇଥିଲେ। ଡ. ଦିଲୀପ ଶ୍ରୀଚନ୍ଦନ ନିଜର ବକ୍ତବ୍ୟରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପାଣ୍ତିତ୍ୟ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ଶ୍ରୀ ମିତ୍ର ନିଜ ବକ୍ତବ୍ୟରେ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନର ଗୁରୁ ଥିଲେ ଓ ସେ ରାଜନୀତି ତାଙ୍କଠାରୁ ଶିକ୍ଷା ଲାଭ କରିଥିବା କହିଥିଲେ। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ପୂର୍ବତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଜାନକୀବଲ୍ଲଭଙ୍କ ଓଡ଼ିଶାର କୃଷି, ଜଳସେଚନ, ହୋଟେଲ୍ ଓ ଅନ୍ୟ ଶିଳ୍ପର ବିକାଶ ପ୍ରତି ଅବଦାନ ସମ୍ପର୍କରେ କହିଥିଲେ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଜାନକୀବଲ୍ଲଭଙ୍କୁ ତାଙ୍କର ରାଜନୈତିକ ଗୁରୁ ବୋଲି ସମ୍ବୋଧନ କରି ଖୋର୍ଦ୍ଧାର ବିକାଶ ହୋଇପାରିଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ଦେଇଥିଲେ। ସ୍ମୃତି କମିଟିର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଖୋର୍ଦ୍ଧା ବାର୍ ସଂଘର ଅଧ୍ୟକ୍ଷ ଶିଶିର ପରିଡ଼ା, ପ୍ଲାବନ ପଟ୍ଟନାୟକ, ଅମିତ ମହାନ୍ତି, ପ୍ରଦୋଷ ସାହୁ, ପ୍ରଦୋଷ ହରିଚନ୍ଦନ, ବିଶ୍ବରଂଜନ ପ୍ରଧାନ, ଶିଳାଦିତ୍ୟ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର