ପୁରୁଣା ବସ୍‌ଷ୍ଟାଣ୍ତରୁ ଗହଳି କମୁନି

ଖଣ୍ଡଗିରି: ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ (ବିଏସ୍ଏବିଟି) ଉଦ୍‌ଘାଟନକୁ ୩ସପ୍ତାହ ବିତିବାକୁ ବସିଲାଣି। ତଥାପି ପୁରୁଣା ବସଷ୍ଟାଣ୍ତରୁ ଗହଳି କମୁନାହିଁ। ବିଏସ୍ଏବିଟି ବେ’ରେ ବସ୍‌ଗୁଡ଼ିକ ମାତ୍ର ୧୫ ମିନିଟ୍ ରହୁଛି, ତେଣୁ ଟିକେଟ୍ କାଟିବାକୁ ଯାତ୍ରୀଙ୍କୁ ସମୟ ମିଳୁନାହିଁ। ଏବେ ଦେଖିବାକୁ ମିଳୁଛି ଯେ ଅଧିକାଂଶ ଯାତ୍ରୀ ପୁରୁଣା ବସ୍ ରହଣୀସ୍ଥଳରେ ପହଞ୍ଚି ସେଠାରେ ଟିକେଟ୍ କାଟି ବସ୍‌ରେ ବସୁଛନ୍ତି। କାରଣ ବସ୍‌ଗୁଡ଼ିକ ବେ’ରେ ଲାଗିଲାବେଳକୁ ବସ୍ ଭିତରେ ଆଉ ସିଟ୍ ଖାଲି ରହୁନାହିଁ। ଫଳରେ ବିଏସ୍ଏବିଟିରେ ଅପେକ୍ଷା କରୁଥିବା ଯାତ୍ରୀଙ୍କୁ ମନପସନ୍ଦର ସିଟ୍ ମିଳୁନି। ପୁରୁଣା ବସ୍‌ଷ୍ଟାଣ୍ଡରେ ଯେଉଁ ଯାତ୍ରୀ ଚଢ଼ୁଛନ୍ତି, ସେମାନେ ବସର ଆଗ ସିଟ୍ ମାଡ଼ି ବସୁଛନ୍ତି। ବିଏସ୍ଏବିଟିରୁ ଉଠୁଥିବା ଯାତ୍ରୀଙ୍କୁ ବସ୍‌ର ପଛସିଟ୍ ମିଳୁଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ବିଏସ୍ଏବିଟିରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଥିଲେ ମଧ୍ୟ ଅନେକ ଯାତ୍ରୀ ସେଠାକୁ ଆସୁନାହାନ୍ତି। ଖରା ଓ ବର୍ଷାରେ ମଧ୍ୟ ସେମାନେ ପୁରୁଣା ବସଷ୍ଟାଣ୍ତରେ ବସ୍‌କୁ ଅପେକ୍ଷା କରୁଥିବାର ଦୃଶ୍ୟ ସବୁଦିନ ଦେଖିବାକୁ ମିଳୁଛି। ଭଲସିଟ୍ ପାଇବାକୁ ସେମାନେ ଏଭଳି କରୁଥିବା କହୁଛନ୍ତି। ଯାତ୍ରୀଙ୍କ ସମସ୍ୟା କେବଳ ଏତିକିରେ ସରି ନାହିଁ, ଯାତ୍ରୀମାନେ ବରମୁଣ୍ଡା ଅଣ୍ଡର୍‌ପାସରେ ଓହ୍ଲାଇ ପ୍ରାୟ ଦେଢ଼ କିଲୋମିଟର ଚାଲିବା ପରେ ବିଏସ୍ଏବିଟିରେ ପହଞ୍ଚୁଛନ୍ତି। ମାତ୍ର କେଉଁ ଘରୋଇ ବସ୍ କେତେବେଳେ ଆସିବ ସେନେଇ କୌଣସି ସୂଚନା ଦିଆଯାଉ ନାହିଁ। ବସ୍‌ଷ୍ଟାଣ୍ତ ପରିଚାଳନା କରୁଥିବା ବିଏସ୍ଏବିଟି କର୍ତ୍ତୃପକ୍ଷଙ୍କ ପାଖରେ କେବଳ ସରକାରୀ ବସ୍‌ଗୁଡ଼ିକର ସମୟ ସାରଣୀ ରହିଛି। କେଉଁ ସରକାରୀ ବସ୍ କେତେବେଳେ ଆସିବ ଓ କେତେବେଳେ ଛାଡ଼ିବ, ସେନେଇ ସୂଚନା ଦିଆ ଯାଉଛି। ଘରୋଇ ବସ୍ ସମ୍ପର୍କରେ ଆଦୌ ଖବର ରହୁନାହିଁ। ଅତିବେଶୀରେ କେଉଁ ଜିଲ୍ଲାକୁ କେତେ ନମ୍ବର ବେ’ରେ ବସ୍ ଲାଗିବ, କେବଳ ସେତିକି ହିଁ ସୂଚନା କହି ପାରୁଛନ୍ତି, ନ ହେଲେ ନାହିଁ। ଏହାଦ୍ବାରା ଦେଖା ଯାଉଛି ଯେ ବିଏସ୍ଏବିଟିକୁ ଆସୁଥିବା ଯାତ୍ରୀମାନେ ନିରାଶ ହୋଇ ପୁଣିଥରେ ପିଲାଛୁଆଙ୍କୁ ଧରି ପୁରୁଣାବସଷ୍ଟାଣ୍ତକୁ ଚାଲିଚାଲି ଯାଉଛନ୍ତି। ପ୍ରାୟ ଦୁଇ ସପ୍ତାହ ହେଲା ଯାତ୍ରୀମାନେ ଏଭଳି ହିନସ୍ତା ଭୋଗୁଥିଲେ ମଧ୍ୟ କୌଣସି ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି। ଅବଶ୍ୟ ଯାତ୍ରୀଙ୍କ ସମେତ ବସ୍ ଓ ଅଟୋ ଚାଳକଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ଦେଖି ବିଡିଏ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେଥିରେ ଅଟୋ ଚାଳକମାନଙ୍କୁ କୁହାଯାଇଛି, ସେମାନେ ବସ୍ ଟର୍ମିନାଲକୁ ଆଣୁଥିବା ଯାତ୍ରୀମାନଙ୍କୁ ଏଣେତେଣେ ନ ଓହ୍ଲାଇ ବସ୍ ଟର୍ମିନାଲର ପ୍ରବେଶ ଦ୍ବାର ନିକଟରେ ଛାଡ଼ନ୍ତୁ। ବସ୍ ଟର୍ମିନାଲକୁ ଯାତ୍ରୀ ଆଣୁଥବା କୌଣସି ଅଟୋରିକ୍ସାକୁ ଜରିମାନା କରାଯାଉ ନାହିଁ। ବସ୍ ଚାଳକଙ୍କୁ କୁହାଯାଇଛି ଯେ ଖଣ୍ଡଗିରି ଛକଠାରୁ ଫାୟାର ଷ୍ଟେସନ ମଧ୍ୟରେ ବେଆଇନ ଭାବରେ ଗାଡ଼ି ଅଟକାଇ କୌଣସି ଯାତ୍ରୀଙ୍କୁ ନେବା ଆଣିବା କରନ୍ତୁ ନାହିଁ। ଏହାର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଯାତ୍ରୀଙ୍କୁ ବସ୍ ଟର୍ମିନାଲ ଭିତରେ ତଳ ମହଲାରେ ଥିବା ବସ୍ ରହଣୀ ସ୍ଥଳରେ ଛାଡ଼ନ୍ତୁ।

ସମ୍ବନ୍ଧିତ ଖବର