ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣା : ପଡ଼ିବା ପୂର୍ବରୁ ବିଷ ପିଇଥିଲେ!

ଭୁବନେଶ୍ବର : ବିଜେବି ନଗରରେ ଛାତରୁ ପଡ଼ି ଛାତ୍ରୀ କୃତ୍ତିକା ମିଶ୍ରଙ୍କ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଛାତରୁ ପଡ଼ିବା ପୂର୍ବରୁ କୃତ୍ତିକା ବିଷ ପିଇଥିଲେ। ଶବ ବ୍ୟବଚ୍ଛେଦ ବେଳେ ଏ କଥା ଜାଣିବାକୁ ପାଇଛନ୍ତି ଡାକ୍ତର। ବିଧିବଦ୍ଧ ରିପୋର୍ଟ ଆସି ନ ଥିଲେ ବି କୃତ୍ତିକା କୀଟନାଶକ ସେବନ କରିଥିବା ଜଣାପଡ଼ିଛି। ପ୍ରାୟ ୪୦ ଫୁଟ୍‌ ଉଚ୍ଚରୁ ତଳକୁ ପଡ଼ିବା ପରେ କୃତ୍ତିକାଙ୍କର ଲିଭର୍‌ ସମେତ ଏକାଧିକ ଅଙ୍ଗ ଫାଟି ଯାଇଥିଲା। ମସ୍ତିଷ୍କରେ ଶକ୍ତ ଆଘାତ ଲାଗିବା ଯୋଗୁ ଖପୁରି ଭାଙ୍ଗି ଯାଇଥିଲା। ଏହାସହ ହାତ ଓ ଗୋଡ଼ ଭାଙ୍ଗିବା ସହ ଏକାଧିକ ସ୍ଥାନରେ ଆଭ୍ୟନ୍ତରୀଣ ଆଘାତ ସୃଷ୍ଟି ହୋିଥଇିଲା। ଅତ୍ୟଧିକ ରକ୍ତସ୍ରାବ, ବ୍ରେନ୍ ହାମରେଜ୍‌ ଯୋଗୁଁ କୃତ୍ତିକାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବିଷ ପିଇଥିବା ଯଦି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୁଏ, ତା’ ହେଲେ କୃତ୍ତିକା ଆତ୍ମହତ୍ୟା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଥିଲେ ବୋଲି ଅନୁମାନ କରାଯାଉଛି। ପ୍ରଥମେ ବିଷ ପିଇବା ପରେ ଛାତ ଉପରୁ ଡେଇଁଥିବା ଅନୁମାନ କରାଯାଉଛି। ଆତ୍ମହତ୍ୟା ପଛର ରହସ୍ୟ ଉପରୁ ପରଦା ଉଠି ପାରିନାହିଁ। ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମ୍ ପୋଷ୍ଟରେ ବାଏ ବାଏ ପିପୁଲ୍ ଲେଖିବା, କପାଳରେ ପରଫେକ୍ଟ ଲେଖିବା ହୁଏତ ଆତ୍ମହତ୍ୟା ଆଡ଼କୁ ଇଙ୍ଗିତ କରୁଛି। ଜଣେ ସାଙ୍ଗର ପୋଷ୍ଟରେ କୃତ୍ତିକାଙ୍କ ନିଜ ଲୋକ ତାଙ୍କୁ ଧୋକା ଦେଇଥିବା ଲେଖିଥିଲେ। ଏଠାରେ ପ୍ରଶ୍ନ ଉଠୁଛି କୃତ୍ତିକା କାହିଁକି ଆତ୍ମହତ୍ୟା କଲେ? ନିଜ କପାଳରେ କାହିଁକି ପରଫେକ୍ଟ ଲେଖିଥିଲେ? ତାଙ୍କୁ କିଏ କହୁଥିଲା କି ପରଫେକ୍ଟ ନୁହଁନ୍ତି ବୋଲି? ସାଙ୍ଗଙ୍କ ପୋଷ୍ଟକୁ ଯଦି ତର୍ଜମା କରାଯାଏ, ତା’ ହେଲେ କିଏ ସେହି ନିଜ ଲୋକ ଯିଏ ତାଙ୍କୁ ଧୋକା ଦେଲା? ଏଭଳି ଅନକେ ପ୍ରଶ୍ନ ରହିଛି ଯାହାର ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ବଡ଼ଗଡ଼ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଗତ ୧୭ ତାରିଖରେ ବିଜେବିନଗରର ଏକ ଆପାର୍ଟମେଣ୍ଟରୁ ପଡ଼ି କୃତ୍ତିକାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର