ମାଡ଼ି ଆସିଲେ ପୋକ, ଧୂଆଁ ସ୍ପ୍ରେ’ରେ ଦର୍ଶକ ଅସ୍ତବ୍ୟସ୍ତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ଭିତରକୁ ଖେଳବେଳେ ପୋକ ନ ପଶିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଆଜି ସନ୍ଧ୍ୟାରେ ସେସବୁ ବିଫଳ ହୋଇଥିଲା। ବହୁ ସଂଖ୍ୟାରେ ପୋକ ଆଜି ଷ୍ଟାଡିୟମ୍‌ ପରିସରକୁ ମାଡ଼ି ଆସିଥିଲେ। ଏକପ୍ରକାର ଷ୍ଟାଡିୟମ୍‌କୁ କବ୍‌ଜାକୁ ନେଇ ଯାଇଥିଲେ। ପୋକଙ୍କୁ ଦୂରେଇବାକୁ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ପୋକଙ୍କୁ ଘୋଉଡ଼ାଇବାକୁ ବ୍ୟବହୃତ ହୋଇଥିବା ଧୂଆଁ ସ୍ପ୍ରେ ଯୋଗୁ ଦର୍ଶକ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ଷ୍ଟାଡିୟମରେ ଫ୍ଲଡ୍ ଲାଇଟ୍ ଲାଗିବା ମାତ୍ରେ ବହୁ ସଂଖ୍ୟାରେ ପୋକ ଷ୍ଟାଡିୟମ ଭିତକରୁ ପଶି ଆସୁଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ। ଯଦିଓ ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ପୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ତଥାପି ପୋକ ନିୟନ୍ତ୍ରଣ ହୋଇପାରି ନାହିଁ। ପରିସ୍ଥିତି ଏପରି ହୋଇଛି ଯେ ମ୍ୟାଚ୍ ସମୟରେ ପୋକଙ୍କୁ ଘଉଡ଼ାଇବା ଲାଗି ମୁଖ୍ୟ ଷ୍ଟାଡିୟମ୍‌ରେ ଲାଇଟ୍ ଲଗାଇବାକୁ ପଡ଼ୁଛି। ତେବେ ସଂପୂର୍ଣ୍ଣଭାବେ ପୋକଙ୍କୁ ନିୟନ୍ତ୍ରଣ କରିହେବ ନାହିଁ ଓ ଯେତେଦିନ ପର୍ଯ୍ୟନ୍ତ ବିଶ୍ବକପ୍ ଚାଲିବ ସେ ପର୍ଯ୍ୟନ୍ତ ଷ୍ଟାଡିୟମରେ ପୋକଙ୍କୁ ଦେଖିବାକୁ ମିଳିବ ବୋଲି କୀଟ ନିୟନ୍ତ୍ରଣ ଦାୟିତ୍ବରେ ଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

କଳିଙ୍ଗ ଷ୍ଟାଡିୟମରେ କୀଟ ନିୟନ୍ତ୍ରଣ ଲାଗି ପେଷ୍ଟ କଂଟ୍ରୋଲ୍‌ ଅଫ ଇଣ୍ଡିଆ ବା ପିସିଆଇ ନାମକ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହି ସଂସ୍ଥା ପକ୍ଷରୁ ଷ୍ଟାଡିୟମରେ ପୋକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବା ସତ୍ବେ ପୋକ ନିୟନ୍ତ୍ରଣକୁ ଆସୁ ନାହାନ୍ତି। ପିସିଆଇର ସନ୍ଦୀପ କୁମାରଙ୍କ କହିବାନୁଯାୟୀ, ଲାଇଟ୍ ଲାଗିବା ମାତ୍ରେ କୋଟି କୋଟି ସଂଖ୍ୟାରେ ପୋକ ଷ୍ଟାଡିୟମକୁ ଚାଲି ଆସୁଛନ୍ତି। ବିଟିଲ୍‌ସ, ଚିନୋମେଟ୍‌ ଭଳି ପୋକ ଆଲୁଆରେ ଆକର୍ଷିତ ହୋଇ ଏଠାକୁ ଆସୁଛନ୍ତି। ଏହି ପୋକ ୧୫/୨୦ ମାଇଲ ଦୂର ଅତିକ୍ରମ କରି ଷ୍ଟାଡିୟମ୍‌କୁ ଆସୁଛନ୍ତି। ଏହି ପୋକଙ୍କ ଏବେ ପ୍ରଜନନ ସମୟ ଚାଲିଥିବା ବେଳେ ଜହ୍ନ ଆଲୁଅରେ ବିଚରଣ କରିଥାନ୍ତି। ମାତ୍ର ଫ୍ଲଡ୍ ଲାଇଟ୍‌ର ଆଲୁଆ ଆଗରେ ଚନ୍ଦ୍ର ଆଲୋକ ଫିକା ପଡ଼ିଯାଉ ଥିବାରୁ ସେମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ଫଳରେ ସେମାନେ ଲାଇଟ୍ ପାଖକୁ ଆସୁଛନ୍ତି। ମ୍ୟାଚ୍ ଚାଲିଥିବା ସମୟରେ ପୋକଙ୍କୁ ଘଉଡ଼ାଇବା ପାଇଁ ସ୍ପ୍ରେ କରିବା ସମ୍ଭବ ହେଉନାହିଁ। ଏଭଳି ସ୍ପ୍ରେ କରାଗଲେ ଖେଳାଳି ଓ ଦର୍ଶକଙ୍କୁ ଏଥିରେ ସମସ୍ୟା ଉପୁଜିବ। ପୋକଙ୍କୁ ଘଉଡ଼ାଇ ଦେଲେ ସେମାନେ ଦର୍ଶକ ଷ୍ଟାଣ୍ଡକୁ ଚାଲିଯିବେ। ଏହାସହ କେଉଁ ଆଡ଼କୁ ପୋକଙ୍କ ଘଉଡ଼ାଯିବ ସେଥିପାଇଁ ପବନର ଦିଗକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ତେଣୁ ତଳଆଡ଼ୁ କୋଲ୍‌ଡ ଫଗିଂ କରାଯାଉଛି। ଗତକାଲି ଏଭଳି ସମସ୍ୟା ଉପୁଜିଥିଲା। ତେଣୁ ମୁଖ୍ୟ ଷ୍ଟାଡିୟମର ଲାଇଟ୍ ଜଳାଇବା ଯୋଗୁଁ ମ୍ୟାଚ୍ ଖେଳାଯାଉଥିବା ଷ୍ଟାଡିୟମ୍‌ରୁ ପୋକ ସେଠାକୁ ଚାଲି ଯାଇଥିଲେ। ଅଧିକ ପୋକ ଯେପରି ଷ୍ଟାଡିୟମକୁ ନ ଆସିବେ ସେଥିପାଇଁ ଷ୍ଟାଡିୟମ୍‌ର ଆଖପାଖରେ ଥିବା ଛୋଟ ବୁଦା ଓ ଅନ୍ୟ ଗଛପତ୍ରକୁ କଟାଯିବା ସହିତ ସ୍ପ୍ରେ କରାଯାଉଛି। ୮ଜଣ ଏଥିପାଇଁ ନିୟୋଜିତ ହୋଇଛନ୍ତି। ଅତି ସତର୍କତାର ସହିତ ସ୍ପ୍ରେ କରିବାକୁ ପଡ଼ୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଯେଉଁ ରସାୟନିକ ପଦାର୍ଥକୁ ଅନୁମୋଦନ ଦିଆଯାଇଛି ତାହାକୁ ବ୍ୟବହାର କରାଯାଉଛି। ହଟ୍, କୋଲ୍‌ଡ ଫଗିଂ, ଇନଡୋର୍‌ ସ୍ପ୍ରେ ଓ ସ୍ପଟ ଟ୍ରିଟମେଣ୍ଟ କରାଯାଉଛି। ରାଜ୍ୟର ବରିଷ୍ଠ କୀଟ ବିଶେଷଜ୍ଞଙ୍କ ସହାୟତାରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ୨ଜଣ ସୁପରଭାଇଜର୍‌ କାର୍ଯ୍ୟର ତଦାରଖ କରୁଛନ୍ତି। ପ୍ରତ୍ୟେକ ଦିନ ବସ୍ତା ବସ୍ତା ପୋକଙ୍କୁ ମରାଯାଉଛି, ବିଶ୍ବକପ୍ ଶେଷ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର