ସିବିଆଇ ମୁଖ୍ୟଙ୍କୁ ଛୁଟିରେ ପଠାଇବା ମାମଲା, ପରବର୍ତ୍ତୀ ଶୁଣାଣି ୫ରେ

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କଠାରୁ ସରକାର ଦାୟିତ୍ବ କାଢ଼ି ନେଇ ତାଙ୍କୁ ଛୁଟିରେ ପଠାଇ ଦେଇଥିବାରୁ ଏହାକୁ ବିରୋଧ କରି ସେ ସୁପ୍ରିମକୋର୍ଟ ଯାଇଛନ୍ତି। ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଛି। ଏହି ସମୟରେ ଶ୍ରୀ ବର୍ମାଙ୍କ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଫଲି ଏସ ନରିମାନ ଏହି ଯୁକ୍ତି ବାଢ଼ିଛନ୍ତି ଯେ କମିଟିର ବୈଠକ ନଡାକି ସରକାର କିଭଳି ବର୍ମାଙ୍କୁ ଦାୟିତ୍ବରୁ ବିଦା କରିଦେଇ ପାରିବେ? ଯଦି ଏହା କରାଯାଇ ପାରିବ ତାହେଲେ ସିବିଆଇ ଭଳି ସଂସ୍ଥାର ସ୍ବାୟତ୍ତତା ଓ ସାଧୀନତା କିଭଳି ସୁରକ୍ଷିତ ରହିବ? ଆଇନଜୀବୀ ନରିମାନଙ୍କ ଏହି ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଧରନ୍ତୁ ସିବିଆଇ ମୁଖ୍ୟ ଲାଞ୍ଚ ନେଇ ଧରା ପଡ଼ିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କ’ଣ କମିଟିର ବୈଠକ ଡାକିବାକୁ ହେବ? ‌ସେ କ୍ଷେତ୍ରରେ ମଧ୍ୟ କମିଟିକୁ ବିଶ୍ବାସକୁ ନେବାକୁ ହେବ ଏବଂ ଅଦାଲତ ହିଁ ନିର୍ଦ୍ଦେଶକଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବେ ବୋଲି ଶ୍ରୀ ନରିମାନ ଦର୍ଶାଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବିଚାରପତି ଏସ କେ କୌଲ ଏବଂ କେ ଏମ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ନରିମାନ କହିଥିଲେ ଯେ, ୨ ବର୍ଷର ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ପାଇଁ ସିବିଆଇ ମୁଖ୍ୟଙ୍କୁ ନିଯୁକ୍ତି ଦିଆଯାଇଥାଏ। ଏହି ସମୟ ମଧ୍ୟରେ ତାଙ୍କଠାରୁ ଦାୟିତ୍ବ କାଢ଼ି ନିଆଯାଇ ପାରିବ ନାହିଁ କିମ୍ବା ବଦଳି କରାଯାଇ ପାରିବ ନାହିଁ। ନରିମାନ ଯୁକ୍ତି ବାଢ଼ିଥିଲେ ଯେ, ସିବିଆଇ ମୁଖ୍ୟଙ୍କୁ ଛୁଟିରେ ପଠାଇବା ପାଇଁ ସିଭିସିଙ୍କ ପକ୍ଷରୁ ସରକାରଙ୍କୁ ସୁପାରିସ କରାଯିବାର କୌଣସି ନିୟମ ନାହିଁ। ଏହି ଅବସରରେ ଶ୍ରୀ ନରିମାନ ବିନୀତ ନାରାଏନ୍ ମାମଲାରେ ସୁପ୍ରିମକୋର୍ଟ ୧୯୯୭ ମସିହାରେ ଦେଇଥିବା ରାୟର ଭଲଭାବେ ବ୍ୟାଖ୍ୟା କରାଯିବା ଉଚିତ ବୋଲି କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୫ ତାରିଖରେ ହେବ।

ସମ୍ବନ୍ଧିତ ଖବର