ପ୍ରାଚୀ ଉପତ୍ୟକାରୁ ଚୋରି ହୋଇଛି ମୂଲ୍ୟବାନ୍‌ ମୂର୍ତି

ଭୁବନେଶ୍ବର: ପ୍ରାଚୀ ଉପତ୍ୟକାରେ ଥିବା ପ୍ରତ୍ୟେକ ମନ୍ଦିର ଗୋଟେ ଗୋଟେ କାହାଣୀ। ୭ମରୁ ୧୫ଶହ ଶତାବ୍ଦୀର ଏହି ପ୍ରାଚୀ ସଭ୍ୟତା ସମୟର ପ୍ରାଚୀନ ମନ୍ଦିର ଆଉ ଦେଖିବାକୁ ମି‌ଳୁନାହିଁ। ବାରଙ୍ଗର ଡାକାମ୍ବଠାରୁ ଆରମ୍ଭ ହୋଇଥିବା ପ୍ରାଚୀ ନଦୀ ଅସ୍ତରଙ୍ଗର କେଉଟଜଙ୍ଗା ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରାୟ ୮୦ ମନ୍ଦିରକୁ ଚିହ୍ନଟ କରାଯାଇଛି। ତେବେ ବଡ଼ କଥା ହେଉଛି, ମନ୍ଦିରରେ ଥିବା ବହୁ ପ୍ରାଚୀନ ପ୍ରତିମା ଚୋରି ହୋଇଯାଇଛି। ପୁଲିସ୍‌ ରେକର୍ଡ ମୁତାବକ ୫୫ଟା ମୂର୍ତି ଚୋରି ମାମଲା ପଂଜୀକୃତ ହୋଇଥିବା ‌ବେଳେ ସେଥିମଧ୍ୟରୁ ମାତ୍ର ୩ଟି ମୂର୍ତି ଉଦ୍ଧାର କରାଯାଇପାରିଛି। କେବଳ ସେତିକି ନୁହେଁ, ଏବେ ବି ମନ୍ଦିର ବାହାରେ କିମ୍ବା ଗଛ ତଳେ ପାଖାପାଖି ୨୨ଶହ ମୂର୍ତି ଅବ୍ୟବସ୍ଥିତ ଭାବେ ପଡ଼ି ରହିଛି। କେବଳ ୩୫ କିଲୋମିଟର ମଧ୍ୟରେ ୨ଶହ ପାଖାପାଖି ମନ୍ଦିର ନିଶ୍ଚିହ୍ନ ହୋଇଯାଇଛି। ଦି ଇଣ୍ଡିଆନ୍‌ ନାସ୍‌ନାଲ୍‌ ଟ୍ରଷ୍ଟ୍‌ ଫର୍‌ ଆର୍ଟ ଆଣ୍ଡ୍‌ କଲ୍‌ଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) ପକ୍ଷରୁ ପ୍ରାଚୀ ଉପତ୍ୟକା ସମ୍ପର୍କରେ ୧୮ ମାସର ଅଭିଯାନ ପରେ ପ୍ରକାଶ ପାଇଥିବା ରିପୋର୍ଟ ‘ଦି ପ୍ରାଚି ଭ୍ୟାଲି’ ସମୃଦ୍ଧ ଐତିହ୍ୟର ଏହି ବିଡ଼ମ୍ବିତ ଚିତ୍ରକୁ ସାମ୍ନାକୁ ଆଣିଛି।

ପୁସ୍ତକର ଲେଖକ ତଥା ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ୍‌ ଧିର୍‌ ପ୍ରାଚୀ ଉପତ୍ୟକାର ଏହି ଅଭାବନୀୟ ଘଟଣାକୁ ସାମ୍ନାକୁ ଆଣିଛନ୍ତି। ଶ୍ରୀ ଧିର୍‌ କହିଛନ୍ତି, ଆମେ ଭୁବନେଶ୍ବରକୁ ମନ୍ଦିର ମାଳିନୀ ସହର ଭାବେ ଅଭିହିତ କରୁଛେ। ମାତ୍ର ବାସ୍ତବ ପ୍ରାଚୀ ଉପତ୍ୟକା ଭୌଗୋଳିକ, ଐତିହାସିକ, ପ୍ରତ୍ନତାତ୍ତ୍ବିକ, ଧାର୍ମିକ ଓ ସ୍ମାରକୀରାଜିର ସମୃଦ୍ଧ ଭଣ୍ଡାର। ସଂପ୍ରତି ଏଠାରେ ରହିଥିବା ପାଖାପାଖି ୭୦ଟି ମଠ ୪ଶହରୁ ୫ଶହ ବର୍ଷ ତଳର। ଏଥିସହ ଏଠାରେ ୩୦ ପ୍ରାଚୀନ ଆଶ୍ରମ ଓ ୪୦ ଘାଟକୁ ମଧ୍ୟ ଡକ୍ୟୁମେଣ୍ଟେସନ୍‌ କରାଯାଇଛି। ୫୨ କିଲୋମିଟର ମଧ୍ୟରେ ଥିବା ଏହି ପ୍ରାଚୀ ସଭ୍ୟତା ଓ ସଂସ୍କୃତି ସବୁଠୁ ସମୃଦ୍ଧ। ଏତେ ପ୍ରାଚୀନ ସଭ୍ୟତା ଓଡ଼ିଶାରେ ଆଉ କେଉଁଠି ନାହିଁ। ସମ୍ଭବତଃ ଭାରତବର୍ଷରେ ଏପରି ସଭ୍ୟତା ଆଉ କୋଉଠି ନାହିଁ ବୋଲି ମୁଁ କହିବି। ଆମେ ସ୍ବର୍ଣ୍ଣ ତ୍ରିଭୂଜ ପର୍ଯ୍ୟଟନ ସର୍କିଟ୍‌ କଥା କହୁଛୁ। ମାତ୍ର ଏହାକୁ ଯଦି ସରକାର ପୁନରୁଦ୍ଧାର କରିପାରିବେ, ତେବେ ଏହା ଏକ ପର୍ଯ୍ୟଟନ ସର୍କିଟ୍‌ କିମ୍ବା ତୀର୍ଥ ସର୍କିଟ୍‌ ହୋଇପାରିବ। କିନ୍ତୁ ଏହାକୁ ପୁନରୁଦ୍ଧାର କରିବା ତ ଦୂରର କଥା, ଏଠାରୁ ମୂର୍ତି ଚୋରି ହୋଇଯାଉଥିଲେ ବି ଏଭଳି ଆପରାଧିକ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଭାରତୀୟ ସର୍ବେକ୍ଷଣ ସଂସ୍ଥା କିଛି କରୁନାହିଁ କି ରାଜ୍ୟ ସର୍ବେକ୍ଷଣ ସଂସ୍ଥା ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ।

୨ହଜାର ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ପ୍ରାଚୀ ଉପତ୍ୟକା ଖୋର୍ଧା, ପୁରୀ ଓ କଟକର ୯୪୦ଟି ରାଜସ୍ବ ଗ୍ରାମକୁ ସ୍ପର୍ଶ କରୁଛି। ଏ କ୍ଷେତ୍ର ମଧ୍ୟରେ ଏତେ ପ୍ରତ୍ନାତାତ୍ତ୍ବିକ ସ୍ମାରକୀ ରହିଥିଲେ ହେଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ୭ଟିର ସଂରକ୍ଷଣ ଦାୟିତ୍ବରେ ଏବଂ ରାଜ୍ୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ୧୮ଟିର ସଂରକ୍ଷଣ ଦାୟିତ୍ବ ନେଇ କାମ ସାରି ଦେଇଛି। ଫଳରେ ପର୍ଯ୍ୟଟନର ବିପୁଳ ସମ୍ଭାବନା ଥାଇ ମଧ୍ୟ ପ୍ରାଚୀ ଉପତ୍ୟକା ଅବହେଳିତ ହୋଇ ପଡ଼ିରହିଛି ବୋଲି ଅନିଲ୍‌ ଧିର୍‌ କହିଛନ୍ତି। ସଂପ୍ରତି ପ୍ରାଚୀ ନଦୀ ମୃତ ପ୍ରାୟ। ମୌସୁମୀ ୪ ମାସ ଛାଡ଼ି ଦେଲେ ଅନ୍ୟ ସମୟରେ ଏହା ଶୁଖିଲା ରହୁଛି। ଏହା ଏବେ ବି ବାତ୍ୟା ଜଳ ସମୁଦ୍ରକୁ ଛାଡ଼ିବାରେ ଭୂମିକା ନେଉଛି। ପ୍ରତ୍ନତାତ୍ତ୍ବିକ ଦୃଷ୍ଟିକୋଣରୁ ଏହା ଅତି ମୂଲ୍ୟବାନ ହୋଇଥିବାରୁ ଏ ବାବଦରେ ଆହୁରି ଗବେଷଣା ଓ ଉତ୍‌ଖନନର ଆବଶ୍ୟକତା ରହିଛି ବୋଲି ଶ୍ରୀ ଧିର୍‌ କହିଛନ୍ତି।

ରିପୋର୍ଟକୁ ପୁସ୍ତକ ଆକାରରେ ସରକାର ଛାପନ୍ତୁ : ଜଷ୍ଟିସ୍‌ ଦୀପକ ମିଶ୍ର
ଭୁବନେଶ୍ବର: ଅଠର ମାସର ଡକ୍ୟୁମେଣ୍ଟେସନ୍‌ ଅଭିଯାନ ପରେ ପ୍ରାଚୀ ଉପତ୍ୟକା ସମ୍ବନ୍ଧରେ ସବ‌ିଶେଷ ରିପୋର୍ଟ ପ୍ରକାଶ ପାଇଛି। ଇନ୍‌ଟାକ୍‌ ପକ୍ଷରୁ ଅନିଲ୍‌ ଧିର୍‌ଙ୍କ ପ୍ରସ୍ତୁତ ‘ଦି ପ୍ରାଚୀ ଭ୍ୟାଲି’ ଭାରତୀୟ ବିଦ୍ୟାଭବନ ପରିସରରେ ଉନ୍ମୋଚିତ ହୋଇଛି। ସୁପ୍ରିମକୋର୍ଟର ପ୍ରାକ୍ତନ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍‌ ଦୀପକ ମିଶ୍ର ଏହି ରିପୋର୍ଟକୁ ଲୋକାର୍ପଣ କରିଥିଲେ। ଅଭିଭାଷଣରେ ସେ କହିଲେ, ଆମେ ଓଡ଼ିଆ ବା ଓଡ଼ିଶାବାସୀ ହିସାବରେ କାହିଁକି ଗର୍ବ କରିବା ପ୍ରାଚୀ ଉପତ୍ୟକା ବାବଦରେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟ ଆମକୁ ଶିଖାଇବ। ଏହି ରିପୋର୍ଟରୁ ଜଣେ ସ୍ପଷ୍ଟ ହୋଇପାରିବ ଯେ ଏହି ପ୍ରାଚୀ ଉପତ୍ୟକାର ଇତିହାସ, ଐତିହ୍ୟ, ସଂସ୍କୃତି ଆମ ଓଡ଼ିଶାର ଗୌରବ। ତେଣୁ ରାଜ୍ୟ ସରକାର ଖୁବଶୀଘ୍ର ଏହାକୁ ପୁସ୍ତକ ଆକାରରେ ପ୍ରକାଶନର ଦାୟିତ୍ବ ନେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଇନ୍‌ଟାକ୍‌, ଓଡ଼ିଶାର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ କହିଛନ୍ତି, ପ୍ରାଚୀ ନଦୀ ଉପତ୍ୟକା ଆମ ଓଡ଼ିଶା କଳା, ପ୍ରତ୍ନତତ୍ତ୍ବ ଓ ସଂସ୍କୃତିର ଗୁପ୍ତ ରତ୍ନ। ତେଣୁ ଏହି ଉପତ୍ୟକା ମଧ୍ୟରେ ଥିବା ସମୃଦ୍ଧ ଐତିହ୍ୟକୁ ‌ଲୋକଲୋଚନକୁ ଅଣାଯାଉ ବୋଲି ସେ କହିଛନ୍ତି। ଏଥିସହ ସେ ଇନ୍‌ଟାକ୍‌ର ବିଭିନ୍ନ କାର୍ଯ୍ୟ ବାବଦରେ ସୂଚନା ଦେଇ ସଂପ୍ରତି ଇନ୍‌ଟାକ୍‌ ଓଡ଼ିଶା ଚାପ୍ଟର ୬୨୮୮ଟି ସ୍ମାରକୀକୁ ଡକ୍ୟୁମେଣ୍ଟେସନ୍‌ କରିସାରିଛି ବୋଲି କହିଥିଲେ। ଏଥିସହ ସେ ଗୋପବନ୍ଧୁଙ୍କ ଜନ୍ମ ଗ୍ରାମ ସୁଆଣ୍ଡୋର ଅବହେଳିତ ଅବସ୍ଥା ପ୍ରସଙ୍ଗ ଉଠାଇ ଏ ଦିଗରେ ପଦକ୍ଷେପ ନିଆଯାଉ ବୋଲି କହିଥିଲେ। ଇନ୍‌ଟାକ୍‌ ଭୁବନେଶ୍ବର ଚାପ୍ଟରର ଆବାହକ ବୈକୁଣ୍ଠ ପାଣିଗ୍ରାହୀ ପ୍ରାଚୀ ଉପତ୍ୟକାରେ ଐତିହ୍ୟ କୀର୍ତିରାଜିକୁ ଅବହେଳା କରାଯାଉଥିବା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସୁଧୀର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର