ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ

ଜମି ପ୍ରଦାନ କରିଥିବା ୧୪ ଜଣଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଯୋଗଦେଲେ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ

ଭୁବନେଶ୍ୱର : ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଚାଳିଥିବା ତ୍ରିଦିନାତ୍ମକ ଭୂମିପୂଜନ ଉତ୍ସବ ଆଜି ଶେଷ ହୋଇଛି। ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତଥା ମହାପ୍ରଭୁଙ୍କ ବାହୁଡ଼ା ତିଥିରେ ଏକାମ୍ର ପ୍ରକଳ୍ପ (ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ୍‌)ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଧ୍ୟାତ୍ମିକ ପରିବେଶରେ ମୁଖ୍ୟମନ୍ତ୍ରୀ ଯଜ୍ଞ ମଣ୍ଡପରେ ପୁଷ୍ପାଞ୍ଜଳି ଦେବା ପରେ ହରିହରାତ୍ମକ ଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି।

ମୁଖ୍ୟମନ୍ତ୍ରୀ ବୁଧବାର ନିର୍ଦ୍ଧାରିତ ସମୟ ଦିନ ୧୦ଟା ୩୦ ସୁଦ୍ଧା ମନ୍ଦିର ସମ୍ମୁଖରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ପଣ୍ଡିତଗଣଙ୍କ ସହଯୋଗରେ ଶିଳା ଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର କର୍ମ କରାଯିବା ପରେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ଉପସ୍ଥିତ ଅତିଥି, ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯଜ୍ଞ ମଣ୍ଡପ ସମ୍ମୁଖରେ କିଛି ସମୟ କଟାଇବା ପରେ ଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ। ଏହି ସମୟରେ ମନ୍ତ୍ରୀ ‌ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏହି ଅବସରରେ ପ୍ରାଖ୍ୟାତ ଘୋଷକ ମୃତ୍ୟୁଜ୍ଞୟ ରଥ ଧାରା ବିବରଣୀ ପ୍ରଦାନ କରିଥିଲେ।

ଆୟୋଜିତ ସଭାରେ ଯୋଗଦେଇ ଏକାମ୍ର ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ୧୪ ଜଣ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ ଏବଂ ସମର୍ଥା ନିଯୋଗର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଏକ ଫଟୋଚିତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ସାରକା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁରେଶ ରାଉତରାୟ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନା, ‘୫-ଟି’ ସଚିବ ଭି.କେ ପାଣ୍ଡିଆନ୍‌, ପ୍ରକଳ୍ପ ଉଦେଷ୍ଟା କମିଟିର ଅଧ୍ୟକ୍ଷ ସନ୍ତୃପ୍ତ ମିଶ୍ର, ଖୋର୍ଦ୍ଧ‌ା ଜିଲ୍ଲାପାଳ ତଥା ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ତଥା ‘ଏକାମ୍ର ପ୍ରକଳ୍ପ’ ୨୦୧୯ରେ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ମାରକୀ, ପବିତ୍ର ପୁଷ୍କରିଣୀ ଓ ଅନ୍ୟାନ୍ୟ ଜଳାଶୟର ପୁନରୁଦ୍ଧାର ସମେତ ଶ୍ରୀଲିଙ୍ଗରାଜଙ୍କ ଚତୁଃପାର୍ଶ୍ବର ୮୦ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ତେବେ ଏହି ତିନି ଦିନିଆ ଉତ୍ସବରେ ପର୍ଯ୍ୟଟକ ଏବଂ ଭକ୍ତମାନେ ଏକାମ୍ର କ୍ଷେତ୍ରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାରେ ନିମଗ୍ନ ହୋଇଥିଲେ। ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ମୁକ୍ତେଶ୍ୱର ମନ୍ଦିର, ବିନ୍ଦୁସାଗର ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ଛୋଟ ମନ୍ଦିରଗୁଡ଼ିକ ଆଲୋକମାଳାରେ ସୁସଜ୍ଜିତ ହୋଇ ଏକ ଅପୂର୍ବ ଆକର୍ଷଣୀୟ ପରିବେଶ ସୃଷ୍ଟି କରିଥିଲା। ପାରମ୍ପରିକ ଯଜ୍ଞ ରୀତିନୀତି ମାଧ୍ୟମରେ ଏହି ଉତ୍ସବର ପବିତ୍ରତା ବୃଦ୍ଧି ପାଇ ଏକ ଶାନ୍ତ ତଥା ପବିତ୍ର ବାତାବରଣ ସୃଷ୍ଟି ହୋଇଥିଲା। ଧାର୍ମିକ ସମାରୋହ ବ୍ୟତୀତ, ଉପସ୍ଥିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଆକର୍ଷଣୀୟ ସ୍କାଏ ପ୍ରୋଜେକ୍‌ସନ୍‌, ଲାଇଟ୍‌ ଏବଂ ସାଉଣ୍ଡ ସୋ’, ଭଜନ ସମାରୋହ, ନୃତ୍ୟ ପ୍ରଦର୍ଶନ ସହ ପ୍ରକଳ୍ପର ମଡେଲ ଏବଂ ତଥ୍ୟ ସମ୍ବଳିତ ପ୍ରଦର୍ଶନୀ ଦେଖିବାର ସୁଯୋଗ ପାଇଥିଲେ। ଆଜି ସଂଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଏ. ହରିହରନ୍‌, ଅନନ୍ୟା ଶ୍ରୀତମ ନନ୍ଦ, ଅଭିଲିପ୍ସା ପଣ୍ଡା, ଅଙ୍କିତ ବାତ୍ରା, ମୈଥିଲି ଠାକୁର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲେ।

ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ପ୍ରତ୍ନତତ୍ତ୍ୱ ଏବଂ ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ପୁନରୁଦ୍ଧାର ପରି ପ୍ରମୁଖ କାର୍ଯ୍ୟକ୍ରମର ରୂପାୟନ କରାଯିବ। ଯାନବାହନ ଚଳାଚଳକୁ ସୁଗମ କରିବା ନିମନ୍ତେ ୧୨ରୁ ୧୮ ମିଟର ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ୪ରୁ ୧୦ ମିଟର ଚଉଡ଼ା ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିସହ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଆନ୍ତଃସଂଯୋଗ କରୁଥିବା ମୁକ୍ତସ୍ଥାନ, ୩୦୦ ବର୍ଗମିଟରର ଦର୍ଶନ ସୁବିଧା, ଜରୁରୀକାଳୀନ ସେବା ନିମନ୍ତେ ୧୬୦୦ ବର୍ଗମିଟରର ସୂଚନା ଓ ନିୟନ୍ତ୍ରଣ କେନ୍ଦ୍ର, ବିନ୍ଦୁସାଗର ଚତୁଃପାର୍ଶ୍ବରେ ଉତ୍ସର୍ଗୀକୃତ ଚଲାପଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ଦାୟିତ୍ୱ ଦିଆଯାଇଛି ଏବଂ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ।

ସମ୍ବନ୍ଧିତ ଖବର