ଥାନା ସାମ୍‌ନା ବାଣୀବିହାର ଫ୍ଲାଏ ଓଭରବ୍ରିଜରୁ ଲୁଟିଲେ: ଅରେଞ୍ଜ୍‌ ବାଇକ୍, ବ୍ଲାକ୍ ହେଲମେଟ୍, ବ୍ଲାକ୍ ଟି-ସାର୍ଟ

୪ କିଲୋମିଟର ପିଛା କଲେ ଯୁବତୀ

ଭୁବନେଶ୍ବର: କମଳା ରଙ୍ଗର କେଟିଏମ୍ ବାଇକ୍ ଚଢ଼ି, କଳାରଙ୍ଗର ହେଲମେଟ୍ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧି ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ଲୁଟେରା। ଗୋଟିଏ ଦିନରେ ବାଣୀବିହାର ଠାରୁ ନୟାପଲ୍ଲୀ ଓଭରବ୍ରିଜ୍ ଭିତରେ ୩ଟି ଲୁଟ୍ କରି ଆତଙ୍କ ଖେଳାଇଛନ୍ତି। ସବୁଠୁ ବଡ଼ କଥା ହେଲା, ସହିଦନଗର ଥାନା ସାମନା ବାଣୀବିହାର ଫ୍ଲାଏ ଓଭରବ୍ରିଜ୍ ଉପରୁ ଲୁଟେରାମାନେ ଜଣେ ଯୁବତୀଙ୍କ ଠାରୁ ସୁନାଚେନ୍ ଲୁଟ୍ କରି ଫେରାର ହୋଇଯାଇଥିଲେ। ଲୁଟେରାଙ୍କ ବାଇକ୍, ପିନ୍ଧିଥିବା ହେଲମେଟ୍ ଓ ଟି-ସାର୍ଟକୁ ଚିହ୍ନଟ କରି ପୁଲିସକୁ ସୂଚନା ଦେଇଥିଲେ ଲୁଟର ଶିକାର ଯୁବତୀ।

ମିଳିଥିବା ସୂଚନା ଅନୁସାରେ, ଗତ ୯ ତାରିଖ ସନ୍ଧ୍ୟା ୭ଟା ୧୫ରେ ନୟାପଲ୍ଲୀରୁ ରସୁଲଗଡ଼ ଆସୁଥିବା ବେଳେ ଥାନା ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ସ୍ମୃତିରେଖା ଦେହୁରୀଙ୍କ ଠାରୁ ସୁନାଚେନ୍ ଲୁଟି ନେଇଥିଲେ। ସ୍ମୃତିରେଖା ଏ ନେଇ ଥାନାରେ ଅଭିଯୋଗ କରିବା ସହ ଲୁଟେରାଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ସେହିପରି ନିକିତା ସାହୁ ନୟାପଲ୍ଲୀ ପଟୁ ଜୟଦେବବିହାର ଓଭରବ୍ରିଜ ଆଡ଼କୁ ସର୍ଭିସ ରୋଡରେ ଯାଉଥିବା ବେଳେ ଦୁଇ ଜଣ ଲୁଟେରା ପିଛା କରି ତାଙ୍କ ଭ୍ୟାନିଟି ଲୁଟି ନେଇଥିଲେ। ସେଥିରେ ମୋବାଇଲ ଫୋନ୍, ଆଧାର, ପାନ୍ କାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା। ତେବେ ଲୁଟେରା ଲୁଟିବା ପରେ ନିକିତା ଭୟଭୀତ ହୋଇ ନ ଥିଲେ। ସେମାନଙ୍କ ପିଛା କରିଥିଲେ। ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ନାଲକୋ ଛକ ଯାଏଁ ଗାଡ଼ିରେ ଗୋଡ଼ାଇଥିଲେ। କିନ୍ତୁ ସ୍ପିଡ୍ ବାଇକରେ ଯାଉଥିବା ଲୁଟେରା ଫେରାର ହୋଇ ଯାଇଥିଲେ। ସେହିପରି ନୟାପଲ୍ଲୀ ଓଭରବ୍ରିଜ ଉପରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ସୁନାଚେନ୍ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ମହିଳା ହେଲେ ଡୁମୁଡୁମା ଅଞ୍ଚ​ଳରେ ରହୁଥିବା ପ୍ରୀତିମୟୀ ରାଉତ।

ସେ ରସୁଲଗଡ଼ ପଟୁ ଡୁମୁଡୁମା ଫେରୁଥିବା ବେଳେ ନୟାପଲ୍ଲୀ ଫ୍ଲାଏ ଓଭରବ୍ରିଜ ଉପରେ ଲୁଟେରାଙ୍କ ଶିକାର ହୋଇଥିଲେ। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି। ଆଉ ଏକ ସାଂଘାତିକ ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ସମ୍ପର୍କୀୟଙ୍କୁ ଭେଟିବା ଲାଗି ଆସିଥିବା ବ୍ୟକ୍ତି ଲୁଟ୍‌ର ଶିକାର ହୋଇଛନ୍ତି। ଦୁଇଜଣ ଦୁର୍ବୃତ୍ତ ଲିଫ୍ଟ ଦେବା ବାହାନାରେ ତାଙ୍କୁ ନିସ୍ତୁକ ମାଡ଼ ମାରି ଲୁଟ୍ କରିଛନ୍ତି। ଲୁଟର ଶିକାର ହୋଇଛନ୍ତି ବାଲେଶ୍ବର ଜିଲ୍ଲା କ୍ଷୀରଚୋରା ଜଗନ୍ନାଥପୁର ଅଞ୍ଚଳର ଦୟାନିଧି ମହାରଣା। ମିଳିଥିବା ସୂଚନା ଅନୁସାରେ, ଦୟାନିଧିଙ୍କର ଜଣେ ସମ୍ପର୍କୀୟ ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ତାଙ୍କୁ ଦେଖା କରିବା ପାଇଁ ଘରୁ ଟ୍ରେନରୁ ଆସିଥିଲେ। ରେଳ ଷ୍ଟେସନରେ ଓହ୍ଲାଇବା ପରେ ମାଷ୍ଟରକ୍ୟାଣ୍ଟିନ ନିକଟରେ ଅଟୋକୁ ଅପେକ୍ଷା କରିଥିଲେ। ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ କେଉଁଠିକି ଯିବେ ବୋଲି ପଚାରିଥିଲେ। ସେ ହସ୍ପିଟାଲର ନାଁ କହିବା ପରେ ଦୁର୍ବୃତ୍ତ ୫୦ ଟଙ୍କା ବଦଳରେ ତାଙ୍କୁ ବାଇକରେ ନେଇ ଛାଡ଼ି ଦେବା ପାଇଁ କହିଥିଲେ। ଦୟାନିଧି ସେମାନଙ୍କ ବାଇକରେ ବସିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ନିକଟରୁ ୫,୦୦୦ ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଛନ୍ତି। ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର