ଆର୍‌ବିଆଇ ସମ୍ମୁଖରେ ଉଡ଼ିଲା ଟଙ୍କା: ପୁରୁଣା ଟଙ୍କା ନବଦଳାଇବାରୁ ଉତ୍ତେଜନା

ଏଣିକି ସବୁ ବ୍ୟାଙ୍କ ବଦଳାଇବେ ପୁରୁଣା ନୋଟ୍‌

ଭୁବନେଶ୍ବର: ଦିନ ପାଖାପାଖି ସାଢ଼େ ୧୧ଟା ହେବ। ଆର୍‌ବିଆଇ ସମ୍ମୁଖରେ କିଛି ଲୋକ ରୁଣ୍ଡହୋଇ ଟଙ୍କା ଉଡ଼ାଉ ଥାଆନ୍ତି। କ’ଣ ହୋଇଛି? କାହିଁକି ଲୋକମାନେ ଟଙ୍କା ଉଡ଼ାଉଛନ୍ତି? କେହି କିଛି ବୁଝିପାରି ନଥିଲେ। ପୁରୁଣା ଓ ଚିରା ଟଙ୍କା ନବଦଳାଇବାରୁ ଆର୍‌ବିଆଇ ସମ୍ମୁଖରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ୧୦ରୁ ୧୫ ବ୍ୟକ୍ତି ଏକାଠି ହୋଇ ଟଙ୍କା ଉଡ଼ାଇ ଏଭଳି ପ୍ରତିବାଦ ଜଣାଇଥିଲେ। ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ଖାରବେଳନଗର ଥାନା ପୁଲିସ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ଲୋକମାନେ କହିଥିଲେ ଯେ, ସେମାନେ କିଛି ପୁରୁଣା ଓ ଚିରା ଟଙ୍କା ବଦଳାଇବା ପାଇଁ ଆର୍‌ବିଆଇ ଆସିଥିଲେ। ହେଲେ ଆର୍‌ବିଆଇ କର୍ମଚାରୀ ଟଙ୍କା ନବଦଳାଇ ଫେରାଇ ଦେଇଥିଲେ। କେବଳ ଆଜିର ଘଟଣା ନୁହେଁ କିଛିଦିନ ହେବ ଲୋକ ଟଙ୍କା ଫେରାଇବା ପାଇଁ ଆର୍‌ବିଆଇ ସମ୍ମୁଖରେ ଲମ୍ବା ଲାଇନ୍‌ରେ ଠିଆହୋଇ ଫେରୁଛନ୍ତି। ଯାହାର ଅସନ୍ତୋଷ ଆଜି ପ୍ରତିଫଳନ ହୋଇଥିଲା।

ଅନ୍ୟପଟେ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏନେଇ ଆମେ ଆର୍‌ବିଆଇ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲୁ। କର୍ତୃପକ୍ଷଙ୍କ କହିବା କଥା ଚିରା ଓ ପୁରୁଣା ନୋଟ୍‌ ଅଧିକାଂଶ ଦଲାଲ ନେଇ ଆସୁଛନ୍ତି। ଲୋକଙ୍କୁ ଖୁବ୍‌ କମ୍‌ ଅର୍ଥାତ ୩୦ରୁ ୪୦ ପ୍ରତିଶତ ଅର୍ଥ ଦେଇ ବାକି ୭୦ରୁ ୬୦ ପ୍ରତିଶତ ଅର୍ଥ ନିଜ ପକେଟ୍‌ରେ ରଖୁଛନ୍ତି। ଲୋକମାନେ କିଭଳି ନିଜର ସମ୍ପୂର୍ଣ୍ଣ ଅର୍ଥ ପାଇବେ ସେଥିପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି। ଆଉ ଆର୍‌ବିଆଇ ନୁହେଁ; ଏଣିକି ସବୁ ବ୍ୟାଙ୍କରେ ଲୋକମାନେ ଚିରା ଓ ପୁରୁଣା ନୋଟ୍‌ ବଦଳାଇପାରିବେ। ଏଥିପାଇଁ ସମସ୍ତ ବ୍ୟାଙ୍କକୁ ଚିଠି ମଧ୍ୟ କରାଯାଇଛି। ଫଳରେ ଲୋକମାନେ ଉପକୃତ ହେବେ।

ରିଜର୍ଭ ବ୍ୟାଙ୍କ ନିୟମ କ’ଣ କହୁଛି?
ତେବେ ଏହି ଘଟଣା ଘଟିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ସୂଚନା ମିଳିଛି। ସେଥିରେ କୁହାଯାଇଛି ଯେ ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ଚଳିତବର୍ଷ ଏପ୍ରିଲ ୩ ତାରିଖରେ ବ୍ୟାଙ୍କଗୁଡ଼ିକୁ ଏକ ନିର୍ଦ୍ଦେଶନାମା ଜାରି କରିଥିଲା। ସେଥିରେ ଚିରା ଫଟା ନୋଟ୍ ଏବଂ ଧାତବ ମୁଦ୍ରା ବଦଳାଇବା ଆଦି ସେବା ଗ୍ରାହକଙ୍କୁ ସକ୍ରିୟତାର ସହ ଯୋଗାଇ ଦେବାକୁ କୁହାଯାଇଥିଲା। ଗ୍ରାହକମାନଙ୍କୁ ଏଥିପାଇଁ ରିଜର୍ଭ ବ୍ୟାଙ୍କକୁ ନଆସିବା ଲାଗି ପରାମର୍ଶ ଦିଆଯାଇଥିଲା। ଉଭୟ ବ୍ୟାଙ୍କ ଏବଂ ଗ୍ରାହକଙ୍କ ସୁବିଧା ଲାଗି ବ୍ୟାଙ୍କ କାଉଣ୍ଟରରେ ୧୦୦ଟି ଲେଖାଏଁ ଧାତବ ମୁଦ୍ରା ଥିବା ଏକ ପ୍ୟାକେଟ ରଖିବାକୁ କୁହାଯାଇଛି। ତେବେ ଟଙ୍କିକିଆ ଏବଂ ଦୁଇ ଟଙ୍କିଆ କଏନ ବା ଧାତବ ମୁଦ୍ରା ଓଜନ ଆକାରରେ ଗ୍ରହଣ କରାଯିବ। ସବୁ କାର୍ଯ୍ୟ ଦିବସରେ ସବୁ ବ୍ୟାଙ୍କ ଶାଖା ଲୋକଙ୍କୁ ଉପରୋକ୍ତ ସୁବିଧା ବିନା ପାତରଅନ୍ତରରେ ପ୍ରଦାନ କରିବେ। କେତେକ କରେନ୍ସି ଚେଷ୍ଟ୍‌ ଶାଖାରେ ପ୍ରତି ମାସରେ ଗୋଟିଏ ରବିବାର ଟଙ୍କା ବଦଳାଇବା ପାଇଁ ଯେଉଁ ଯୋଜନା ରହିଛି ତାହା ଅପରିବର୍ତ୍ତିତ ରହିବ। ବ୍ୟାଙ୍କ ଶାଖାରେ ଟଙ୍କା ବଦଳାଇବା ସୁବିଧା ନେଇ ବ୍ୟାଙ୍କଗୁଡ଼ିକ ବ୍ୟାପକ ପ୍ରଚାର ପ୍ରସାର କରିବେ। କୌଣସି ବ୍ୟାଙ୍କ ଶାଖା ସେମାନଙ୍କ କାଉଣ୍ଟରରେ ଛୋଟ ମୂଲ୍ୟର ନୋଟ୍‌ ଓ ମୁଦ୍ରା ନେବାକୁ ମନା କରିପାରିବେ ନାହିଁ। ବିଭିନ୍ନ ସମୟରେ ପ୍ରଚଳଳ ହୋଇଥିବା ଭିନ୍ନ ଭିନ୍ନ ଆକାର, ଥିମ୍‌ ଓ ଡିଜାଇନର ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଏବଂ ୨୦ ଟଙ୍କା କଏନଗୁଡ଼ିକୁ ବ୍ୟାଙ୍କ ଶାଖା ଗ୍ରହଣ କରିବେ। କାରଣ ସେହି ମୁଦ୍ରାଗୁଡ଼ିକ ଆଇନତଃ ବୈଧ। ତେବେ ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ଭାରତ ସରକାର କିମ୍ବା ରିଜର୍ଭ ବ୍ୟାଙ୍କ ଠାରୁ ହଜି ଯାଇଥିବା, ଚୋରି ହୋଇଥିବା, ଚିରି ଫାଟି ଯାଇଥିବା ଆଦି ନୋଟ୍ ଏବଂ ମୁଦ୍ରାକୁ ଫେରି ପାଇବା ପାଇଁ ଅଧିକାର ବୋଲି ଦାବି କରିପାରିବ ନାହିଁ। କିନ୍ତୁ ଲୋକଙ୍କ ଅସୁବିଧାକୁ ଦୂର କରିବାକୁ ଯାଇ ବ୍ୟାଙ୍କ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର