ସରିଲା ପ୍ରେମ ସପ୍ତାହ : ପ୍ରେମ ‌ହେଲା ଖୁଲମ୍‌ଖୁଲା

ଭୁବନେଶ୍ବର : ସକାଳୁ ପ୍ରେମ ପ୍ରେମ ବାସୁଥିଲା ପୂରା ସହର। ଫୁଲ ଦୋକାନଠାରୁ ଆରମ୍ଭ କରି ମନ୍ଦିର, ପାର୍କ, ସିନେମା ହଲ୍‌, ମଲ୍‌ ଓ ରାଜଧାନୀରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀ‌‌‌‌‌ରେ ପ୍ରେମୀଯୁଗଳଙ୍କ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ବଜରଙ୍ଗ ଦଳ ଓ କଳିଙ୍ଗ ସେନା ପକ୍ଷରୁ ବିରୋଧ କରାଯାଇ ନଥିବାରୁ ହାତରେ ହାତ ଛନ୍ଦି ପ୍ରେମୀଯୁଗଳ ବିନା ଭୟରେ ବୁଲିଥିଲେ। ଆଠଦିନ ତଳେ ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିବା ପ୍ରେମ ସପ୍ତାହ ଆଜି ଭାଲେଣ୍ଟାଇନ୍‌ ଡେ’‌ରେ ଶେଷ ହୋଇଥିବା ବେଳେ ଆଜି ରାଜଧାନୀରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। କରୋନା କାଳରେ ଏତେ ଦିନ ଧରି ନିଜ ପ୍ରେମଠାରୁ ଦୂରରେ ରହିଥିବା ପ୍ରେମୀଯୁଗଳ ଆ‌ଜି ରବିବାରିଆ ଭାଲେଣ୍ଟାଇନ୍‌ ଡେ’କୁ ଉପଭୋଗ କରିବାର ଅବକାଶ ହାତଛଡ଼ା କରିନଥିଲେ।

ନିରାପଦ ସ୍ଥାନ ପାର୍କ
ପ୍ରେମ ପାଇଁ ନିରାପଦ ସ୍ଥାନ କୁହାଯାଉଥିବା ରାଜଧାନୀର ପାର୍କଗୁଡ଼ିକ ଆଜି ଚଳଚଞ୍ଚଳ ହୋଇଯାଇଥିଲା। ହାତରେ ହାତ ଧରି, କାନ୍ଧରେ ମୁଣ୍ଡ ରଖି କେତେ କ’ଣ ସୁନେଲି ଭବିଷ୍ୟତର ସ୍ବପ୍ନରେ ହଜିଯାଇଥିଲେ ପ୍ରେମପକ୍ଷୀମାନେ। ଆଇଜି ପାର୍କ, ଫରେଷ୍ଟ ପାର୍କ, ଜୟଦେବ ବାଟିକା, ନନ୍ଦନକାନନ ଓ ଏକାମ୍ର ପାର୍କ ଆଦିରେ ପ୍ରେମୀଯୁଗଳଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଘଣ୍ଟାଘଣ୍ଟା ଧରି ସେମାନେ ପରସ୍ପର ମଧ୍ୟରେ କଥା ହୋଇ ସମୟ ବିତାଇଥି‌ଲେ। ତେବେ କୌଣସି ସଂଗଠନ ପକ୍ଷରୁ ବିରୋଧାଭାସ ନଥିବାରୁ ପାର୍କଗୁଡ଼ିକରେ ପୁଲିସ ସୁରକ୍ଷାକୁ ଏତେ କଡ଼ାକଡ଼ି କରାଯାଇନଥିଲା।

ଜମିଲା ଫୁଲ ବେପାର
ରାଜଧାନୀରେ ଗୋଲାପ ଫୁଲର ବିକ୍ରି ଆଜି ବେଶ୍‌ ଜମିଥିଲା। ଚଢ଼ା ଦରରେ ବି ଗୋଲାପ ବିକ୍ରି ହେଉଥିଲା। ପ୍ରେମର ପ୍ରତୀକ ଗୋଲାପକୁ ଉପହାର ଭାବେ ଦେବାକୁ ଯୁବପିଢ଼ି ଗୋଲାପ କିଣୁଥିବା ଦେଖିବାକୁ ମିଳିଥିଲା। ଖୋଲାଖୋଲି ଭାଲେଣ୍ଟାଇନ୍‌ ଡେ’ ପାଳନ ହୋଇଥିବାରୁ ଆଜି ଗୋଲାପ ଗୋଟା ୨୫ରୁ ୩୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା। ବେଙ୍ଗାଲୁରୁ ଗୋଲାପର ଚାହିଦା ଆକାଶଛୁଁଆ ଥିବା ବେଳେ କୋଲକାତା ଗୋଲାପର ଚାହିଦା ବି କିଛି କମ୍‌ ନଥିଲା। ଗୋଟା ଗୋଲାପକୁ ଟିକେ କୋନ୍‌ ଆକାର ଦେଇ ତାହା ୫୦ଟଙ୍କ‌ା ପର୍ଯ୍ୟନ୍ତ ବିକ୍ରି କରୁଥିଲେ। ସେହିପରି କେବଳ ଗୋଲାପ ବୁକେ ୨୫୦ ଟଙ୍କା ଓ ବିଭିନ୍ନ ଫୁଲଗୁଚ୍ଛ ୫୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥିଲା। ଆଜି ବିବାହ ଋତୁ ଥିବାରୁ ଫୁଲ ବେପାର ସମସ୍ତ ରେକର୍ଡ ଭାଙ୍ଗିଛି।

ମଲ୍‌ ଓ କଫି ଟେବୁଲ୍‌ରେ ସଂଧ୍ୟା ଆସର
ନିଜ ମନର ମଣିଷ ସହ ଆଜିର ଦିନକୁ ସ୍ବତନ୍ତ୍ର କରିବାକୁ ପ୍ରେମୀଯୁଗଳମାନେ ଯଥାସାଧ୍ୟ ଉଦ୍ୟମ କରିଥିଲେ। କିଛି ଯୋଡ଼ି ଲଙ୍ଗ୍‌ଡ୍ରାଇଭ୍‌ରେ ଯାଇଥିବା ବେଳେ ଆଉ କିଛି ଲୁଚାଛପାରେ ନିଜ ମନର ମଣିଷ ସହ ସମୟ କାଟିଥିଲେ। ତେବେ ଆଜି ପ୍ରେମୀଯୁଗଳଙ୍କ ସର୍ବାଧିକ ଭିଡ଼ ଦେଖିବାକୁ ମିଳିଥିଲା ମନ୍ଦିରରେ। ସକାଳୁ ନିଜ ପ୍ରେମିକ/ପ୍ରେମିକାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ପରସ୍ପରର ମଙ୍ଗଳ ମନାସିଥିଲେ। ଏଥିସହ ସଂଧ୍ୟାରେ ସପିଂ ମଲ୍ ଓ କଫି ଟେବୁଲ୍‌ରେ ପ୍ରେମ ପକ୍ଷୀମାନଙ୍କ ଆସର ଜମି ଯାଇଥିଲା। ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ଠାରୁ ଆରମ୍ଭ କରି ଭବାନୀ ମଲ୍‌, ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ସିମ୍ଫୋନି ମଲ୍‌ ଆଦିରେ ଥିବା କଫି-ସପ୍‌ରେ ବେଶ୍‌ ପ୍ରେମୀଯୁଗଳଙ୍କ ସଂଧ୍ୟା ଆସର ବେଶ୍‌ ଜମିଥିବା ଦେଖାଯାଇଥିଲା।

କପଲ୍‌ ଅଫର୍‌ ଧମାକା
ଆଜି ବିଭିନ୍ନ ମଲ୍‌, ଘଣ୍ଟା ସୋ’ ରୁମ୍‌, ପାର୍ଲର ଓ ହୋଟେଲ୍‌ରେ ପ୍ରେମୀଯୁଗଳମାନଙ୍କ ପାଇଁ କପଲ୍‌ ଅଫର୍‌ ଲାଗିଥିଲା। କ୍ୟାଣ୍ଡେଲ୍‌ ଲାଇଟ୍‌ ଡିନର୍‌, ମ୍ୟୁଜିକାଲ୍‌ ଡିନର୍‌ ଓ କଫି ଟେବୁଲ ପାଇଁ ବିଭିନ୍ନ ରିହାତି ରହିଥିଲା। କପଲ୍‌ ଘଣ୍ଟା କିଣିଲେ ୨୦% ରିହାତି, ମଲ୍‌ରେ ୫୦% ପର୍ଯ୍ୟନ୍ତ ରିହାତି ଓ ବିଭିନ୍ନ ପାର୍ଲରରେ ହେୟାର୍‌ ସ୍ପା, ହେୟାର ଷ୍ଟାଇଲ୍‌, ଦାଢ଼ି ଷ୍ଟାଇଲ୍‌, ଫେସିଆଲ୍‌ ଓ ପେଡିକିଓର୍‌ ଆଦିରେ କପଲ୍‌ମାନଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର