ମହାଶିବରାତ୍ରିରେ ନୀତି ବିଳମ୍ୱ ଆଶଙ୍କା: ପ୍ରଶାସନ ଶୁଣୁନି ସେବକଙ୍କ କଥା, ଅଭିଯୋଗ କଲେ ପୂଜାପଣ୍ଡା

ପୁରୁଣା ଭୁବନେଶ୍ୱର: ପ୍ରଶାସନ କେବଳ ମହାଶିବରାତ୍ରି, ଅଶୋକାଷ୍ଟମୀ ଓ ଶୀତଳଷଷ୍ଠୀରେ ସେବକଙ୍କୁ ଖୋଜିଥାନ୍ତି। ଅନ୍ୟ ପର୍ବପର୍ବାଣିରେ ସେବକଙ୍କୁ ଖୋଜୁ ନାହାନ୍ତି। ପୂଜାପଣ୍ଡାମାନଙ୍କ ଦାବି ପୂରଣ ନକଲେ ଆସନ୍ତା ମହାଶିବରାତ୍ରିରେ ନୀତି ବିଳମ୍ୱ ହେବା ପରି ପରିସ୍ଥିତି ଉପୁଜିପାରେ ବୋଲି ସେମାନେ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଏଥିସହ ୫ଦଫା ଦାବି ଉପସ୍ଥାପନ କରାଯାଇଛି। ଘଟଣା ସମ୍ପର୍କରେ ପୂଜାପଣ୍ଡା ନିଯୋଗ ପକ୍ଷରୁ ନୂତନ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଖୋର୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ଯାହାକୁ ନେଇ ଏବେ ମନ୍ଦିର ପ୍ରଶାସନ ଚିନ୍ତାରେ ପଡ଼ିଛି।

ସେମାନେ ଅଭିଯୋଗ କରିଛନ୍ତି ଯେ, ପୂଜାପଣ୍ଡା ନିଯୋଗ ସମିତି ସମ୍ପାଦକଙ୍କ ନାମରେ ମନ୍ଦିର ପ୍ରଶାସନ ଯେଉଁ ମିଥ୍ୟା ମମଲା ରୁଜୁ କରିଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।ପୂଜାପଣ୍ଡାମାନେ ଯେପରି ମହାଶିବରାତ୍ରି ଦିନ ସମସ୍ତ ଭୋଗ ନୈବେଦ୍ୟ କରିପାରିବେ ତାହାର ସୁବ୍ୟବସ୍ଥା କରାଯାଉ। ହିନ୍ଦୁ ଦେବୋତ୍ତର କମିସନରଙ୍କ କେସ୍‌ ନଂ ଓଏ ୧୨/୧୨ ଓ ୧୩/୧୨ ଆଦେଶ ଅନୁସାରେ ଭେଟର ସମସ୍ତ ଟଙ୍କା ଶ୍ରୀଜିଉଙ୍କ ଅଟେ। ଏହାକୁ ପାଳନ କରାଯାଉ। ସେହିପରି ଆଡ଼କାଠ ନିକଟରେ ଏକ ହୁଣ୍ଡି ସ୍ଥାପନ କରିବା, ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ୍ରାକୁ ଚାଲୁ ରଖିବାକୁ ଦାବି କରାଯାଇଛି। ମନ୍ଦିର ପ୍ରଶାସନ ସେବାୟତମାନଙ୍କ ମଧ୍ୟରେ ପାତର ଅନ୍ତର କରୁଥିବା ନେଇ ପୂଜାପଣ୍ଡା ନିଯୋଗ ସଭାପତି କାଶୀନାଥ ପୂଜାପଣ୍ଡା ଅଭିଯୋଗ କରିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ଏହି ଦାବି ପୂଜାପଣ୍ଡା ନିଯୋଗର ବହୁ ପୁରୁଣା। ମାମଲା ଉଠିବା ସମ୍ପର୍କରେ ସେ କୁହନ୍ତି ଥରେ କୋର୍ଟରେ ତାରିଖ ପଡ଼ିବା ପରେ କେସ୍‌ ଉଠାଇବା ପାଇଁ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର