ଅଥୟ କଲେଣି ମଶା: ବଡ଼ଗଡ଼ରେ ଉଦ୍‌ବେଗଜନକ ସ୍ଥିତି, ସାନ୍ଦ୍ରତା ୧୬୦ ପାର୍‌

ସହରସାରା ମଶା, ଲୋକେ କଲବଲ, ଠୋସ୍‌ ପଦକ୍ଷେପ ନେଉନି ବିଏମ୍‌ସି

ଭୁବନେଶ୍ୱର: ଦିନ ରାତି କିଛି ମାନୁନାହାନ୍ତି। ଘର, ବାହାର, ବାଡ଼ି ବଗିଚା, ଛାତ ସବୁଠି ଭଣଭଣ ହୋଇ ଘେରି ଯାଉଛନ୍ତି। ଟିକିଏ ଅନ୍ଧାରିଆ ଜାଗା ପାଇଲେ କାମୁଡ଼ି କାମୁଡ଼ି ଗୋଡ଼, ହାତ, ମୁହଁ ଫୁଲାଇ ଦେଉଛନ୍ତି। ଏମିତିକି ପାଟି, ନାକରେ ବି ପଶି ଯାଉଛନ୍ତି। ଝୁଣା ଧୂଆଁ କି ନାମୀଦାମୀ ବ୍ରାଣ୍ଡ୍‌ର ମଶାବତି, କିଛି ସେମାନଙ୍କୁ କାଟୁ କରୁନି। ମଶାମରା ନେଟ୍‌ରେ ଯେତିକି ମରୁଛନ୍ତି, କବାଟ, ଝରକା ଖୋଲିଲେ ତା’ର ତିନିଗୁଣା ଘରେ ପଶି ଯାଉଛନ୍ତି। ପାଖାପାଖି ମାସେ ହେବ, ବଡ଼ଗଡ଼ବାସୀଙ୍କୁ ଏମିତି କଲବଲ କରୁଛନ୍ତି ମଶା। ନା ରାତିରେ ଆରାମରେ ଶୋଇପାରୁଛନ୍ତି ନା ଦିନରେ ବାଡ଼ି ବଗିଚାକୁ ଯାଇପାରୁଛନ୍ତି। ସଂଧ୍ୟା ହେଉ ହେଉ ଏଠାକାର ବାସିନ୍ଦା ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି।

ସୂଚନାନୁସାରେ, କିଛି ଦିନ ତଳେ ବଡ଼ଗଡ଼ ଗ୍ରାମରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଖବର ‘ସମ୍ବାଦ’ ଖବରକାଗଜରେ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ଏକ ସର୍ବେକ୍ଷଣ କରାଯାଇଥିଲା। ତେବେ ରିପୋର୍ଟରୁ ଯେଉଁ ଉଦ୍‌ବେଗଜନକ ତଥ୍ୟ ମିଳିଛି, ତାହା ସ୍ଥାନୀୟ ବାସିନ୍ଦା ଓ ବିଏମ୍‌ସିର ନିଦ ହଜାଇ ଦେଇଛି। ପୂରା ରାଜଧାନୀ‌ରେ ମଶାଙ୍କ ସାନ୍ଦ୍ରତା ବା ଘନତ୍ବ ୮୦ ରହିଥିବା ବେଳେ ବଡ଼ଗଡ଼ରେ ଏହା ୧୬୦ ଟପି ଯାଇଥିବା ଜଣାଯାଇଛି। ଜାତୀୟ ବାତଜ୍ୱର ନିରାକରଣ କାର୍ଯ୍ୟକ୍ରମ (ଏନଏଫସିପି)ର ମାନଦଣ୍ଡ ଅନୁସାରେ ପ୍ରତି ୧୦ ମ୍ୟାନ୍‌-ଆୱାର ଡେନ୍‌ସିଟି(ସାନ୍ଦ୍ରତା) ଅନୁସାରେ ୫୦ରୁ କମ୍‌ ମଶା ରହିବା କଥା। ସାନ୍ଦ୍ରତା ୫୦ରୁ ଅଧିକ ଓ ୬୫ରୁ କମ୍‌ ରହିଲେ, ଏହାକୁ ମଧ୍ୟମ ବୋଲି ଧରାଯାଇଥାଏ। ଏହା ଉପରକୁ ରହିଲେ ତାହାକୁ ଅତିଶୟ ବା ଉଦ୍‌ବେଗଜନକ ବୋଲି ଧରାଯାଏ। କିଛି ଦିନ ତଳେ ରାଜଧାନୀର ବିଭିନ୍ନ ୱାର୍ଡରେ ହୋଇଥିବା ସର୍ଭେରେ ମଶାଙ୍କ ସାନ୍ଦ୍ରତା ୮୦ରୁ ୧୦୦ ମଧ୍ୟରେ ଥିବା ବେଳେ ବଡ଼ଗଡ଼ ଗ୍ରାମ (ୱାର୍ଡ ୪୪)ରେ ଏହା ୧୬୦ ଛୁଇଁଛି। ଯଦିଓ ଏ ଅଞ୍ଚଳରେ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍‌ କିମ୍ବା ମ୍ୟାଲେରିଆ ସୃଷ୍ଟିକାରୀ ଏନୋଫୋଲିସ ମଶା ମିଳିନାହାନ୍ତି, କିନ୍ତୁ ଫାଇଲେରିଆ ରୋଗ ସୃଷ୍ଟିକାରୀ କ୍ୟୁଲେସ ଓ ଆଲଜାରିସ ମଶାଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାନଗଲେ, ଆଗାମୀ ଦିନରେ ସାନ୍ଦ୍ରତା ୨୦୦ ପାର୍‌ ହୋଇଯିବ ବୋଲି କୁହାଯାଉଛି।

ଏହି ଅଞ୍ଚଳକୁ ଲାଗି ଗୋଟିଏ ପଟେ ଦୟାୱେଷ୍ଟ ଓ ଆଉ ଗୋଟିଏପଟେ ଗଙ୍ଗୁଆ ନାଳ ପ୍ରବାହିତ ହୋଇଛି। ସହର ଯାକର ଅଧାରୁ ଅଧିକ ଆବର୍ଜନା ପଡ଼ୁଥିବା ଏହି ଦୁଇ ନାଳ କାହିଁ କେଉଁ କାଳରୁ ସଫା ହୋଇନାହିଁ। ଏହା ସାଙ୍ଗକୁ ଗାଁ ମଝିରେ ନୂଆସାହି ପୋଖରୀ, ଡୁବି ଗାଡ଼ିଆ, ଗୋପାଳୁଣୀ ଗାଡ଼ିଆ ଭଳି ଅନେକ ପରିତ୍ୟକ୍ତ ଜଳାଶୟ ରହିଛି। ଏସବୁ ଜଳାଶୟ ଏଠାରେ ମଶାବଂଶ ବୃଦ୍ଧି କରିବାରେ ସହାୟ ହେଉଥିଲେ ହେଁ ବିଏମ୍‌ସି ପକ୍ଷରୁ କୌଣସି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉନାହିଁ। ଏସବୁ ପରିତ୍ୟକ୍ତ ଜଳାଶୟଗୁଡ଼ିକରେ ମଶାତେଲ ସିଞ୍ଚନ ଓ ମଶା ଲାର୍ଭା ଖାଉଥିବା ମାଛ ଛାଡ଼ିବାକୁ ବିଏମ୍‌ସି ନିକଟରେ ବାରମ୍ୱାର ଦାବି ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। କେବଳ ନାଁକୁ ମାତ୍ର ଦୁଇ ତିନିଥର ମଶାଧୂଆଁ ଛାଡ଼ିବା ବ୍ୟତୀତ ଅନ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଶେଷଜ୍ଞଙ୍କ କହିବା କଥା, ମଶା ଧୂଆଁ ଛଡ଼ା ହେବା ଦ୍ବାରା ଅଳ୍ପ କିଛି ମଶା ମରିଥାଆନ୍ତି। ଜୀବନ ବଞ୍ଚାଇବାକୁ ମଶା ଲୋକଙ୍କ ଘର ଭିତରକୁ ପଶି ଯାଆନ୍ତି। ତେଣୁ ଏହାଦ୍ବାରା ବିଶେଷକିଛି ଲାଭ ମିଳି ନଥାଏ। ତେଣୁ ମଶାଧୂଆଁ ଛାଡ଼ିବା ସହ ସେମାନଙ୍କ ଉତ୍ପତ୍ତିସ୍ଥଳରେ ମଶାମରା ତେଲ ଓ ମଶା ଲାର୍ଭା ଖିଆ ମାଛ ଛାଡ଼ିବା ଭଳି ଏକାଧିକ ପଦକ୍ଷେପ ନିଆଗଲେ ଏ ସମସ୍ୟାରୁ ମୁକ୍ତି ମିଳିପାରିବ।

ସମ୍ବନ୍ଧିତ ଖବର