ବିଜୁଳି ସଂଯୋଗ କାଟି ଦେଲା ‘କ୍ରୁଟ୍‌’: ୭ ୱାଟର୍‌ ଏଟିଏମ୍‌ ଅଚଳ

ଭୁବନେଶ୍ୱର: ବିଶ୍ବକପ୍‌ ହକି ପାଇଁ ସହର ଉଠୁଛିପଡ଼ୁଛି। ଭଲ ରାସ୍ତାକୁ ଖୋଳି ନୂଆ ରାସ୍ତା ତିଆରି କରୁଛନ୍ତି। ମେଡିଆନ୍‌ରୁ ଜୀବନ୍ତ ଗଛ ଉପାଡ଼ି ନୂଆ ଲଗାଉଛନ୍ତି। ଅନେକ ଜାଗାରେ ଅକାରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ୬ ବର୍ଷ ତଳେ ସହରବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ପ୍ରତିଷ୍ଠା ହୋଇଥିବା ୱାଟର୍‌ ଏଟିଏମ୍‌କୁ ସଜଡ଼ା ଯାଉନାହିଁ। ୪୦ଟି ୱାଟର ଏଟିଏମ୍‌ରୁ ପ୍ରାୟ ୭ଟି ଏବେ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। କେତେକ ଏଟିଏମ୍‌କୁ କ୍ରୁଟ୍‌ କରିଥିବା ମୋ’ ବସ୍‌ ଷ୍ଟାଣ୍ଡ(ବିଏସ୍‌କ୍ୟୁ)ରୁ ବିଜୁଳି ସଂଯୋଗ ଦିଆଯାଇଥିଲା। କିନ୍ତୁ ବିଏମ୍‌ସି ବିଜୁଳି ଦେୟ ବାବଦକୁ ଅର୍ଥ ନଦେବାରୁ କ୍ରୁଟ୍‌ ସଂଯୋଗ କାଟି ଦେଇଛି। କେତେକରେ ସୋଲାର ପ୍ୟାନେଲ୍‌ କାମ କରୁନାହିଁ। ଫଳରେ ସେ ସବୁ ମଧ୍ୟ କାମରେ ଆସୁନାହିଁ। ବିଶ୍ବକପ୍‌ ହକି ଆସୁଥିବାରୁ ହଜାର ହଜାର କ୍ରୀଡ଼ାପ୍ରେମୀ ଭୁବନେଶ୍ବର ଆସିବେ। କିନ୍ତୁ କୋଟି କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଥିବା ଏହି ୱାଟର୍‌ ଏଟିଏମ୍‌ କାମରେ ଲାଗିବ ନାହିଁ। ଦୁଇ ସଂସ୍ଥାଙ୍କ ମଧ୍ୟରେ କଳି ଯୋଗୁ ସାଧାରଣ ଲୋକ ଏହି ସେବାରୁ ବଞ୍ଚିତ ହେବେ।

ବଜାରରେ ପାଣି ବୋତଲ(୧ ଲିଟର) ପିଛା ୨୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କୁ କମ୍‌ ପଇସାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ୨୦୧୪ ମସିହାରେ ବିଏମ୍‌ସି ଯୋଜନା କରିଥିଲା। ୨୦୧୬ ମସିହାରେ ପିରାମଳ ସର୍ବଜଳ ଜରିଆରେ ଦୁଇ ଦଫାରେ ସହରରେ ୪୦ଟି ୱାଟର ଏଟିଏମ୍‌ ପ୍ରତିଷ୍ଠା କରିଥିଲା। ଏଥିରେ ପ୍ରାୟ ୪ କୋଟି ଖର୍ଚ୍ଚ ହୋଇଥିଲା। ଅର୍ଥାତ୍‌ ଗୋଟିଏରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମୌଳିକ ଆବଶ୍ୟକତା ପୂରଣ କରିବାକୁ ପ୍ରଥମ ଥର ପାଇଁ ଏଭଳି ଏକ ବ୍ୟବସ୍ଥା ହେବାକୁ ଯାଉଥିବା ପ୍ରସଙ୍ଗକୁ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ସହରବାସୀଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ଜଳ ଯୋଗାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ଥିଲା। ବିନା ବିଜୁଳି ସଂଯୋଗରେ ମେସିନ୍‌ ଚାଲିବା ଅସମ୍ଭବ ଥିଲା। ଏଣେ ପ୍ରତି ମେସିନ୍‌କୁ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ମଧ୍ୟ ସମ୍ଭବ ହୋଇନଥିଲା। ଏଣୁ ‘ମୋ ବସ୍‌’ ଷ୍ଟାଣ୍ଡ ପାଖାପାଖି ଥିବା ୱାଟର ଏଟିଏମ୍‌କୁ କ୍ରୁଟ୍‌ ଜରିଆରେ ବିଜୁଳି ସଂଯୋଗ କରାଯାଇଥିଲା। ବାକି ଯେଉଁଗୁଡ଼ିକ ଅନ୍ୟ ଜାଗାରେ ରହିଥିଲା ସେଗୁଡ଼ିକୁ ସୌରଶକ୍ତି ଜରିଆରେ ବିଜୁଳି ସଂଯୋଗ ଦିଆଯାଇଥିଲା। ତେବେ ଗତ ବର୍ଷ କ୍ରୁଟ୍‌ ହଠାତ୍‌ ବିଜୁଳି ସଂଯୋଗ କାଟି ଦେଇଥିଲା। ଫଳରେ ଏ ସବୁ ଅଚଳ ହୋଇପଡିଛି। ତା’ ସହିତ ଅନ୍ୟ ଜାଗାରୁ ପ୍ରାୟ ୩ ଟିରେ ସୋଲାର ପ୍ୟାନେଲ୍‌ ମଧ୍ୟ କାମ କରୁନଥିଲା। ଏଭଳି ୭ଟି ଅଚଳ ହୋଇପଡ଼ିଲା।

ଏହି ସବୁ ଅଚଳ ଏଟିଏମ୍‌କୁ ସଚଳ କରିବାକୁ ବିଏମ୍‌ସି ଉଦ୍ୟମ କଲା ନାହିଁ। କ୍ରୁଟ୍‌ ସହ ଆଲୋଚନା ମଧ୍ୟ କଲା ନାହିଁ। ବିଏମ୍‌ସିର କମିସନର କ୍ରୁଟ୍‌ର ଏମ୍‌ଡି ଅଛନ୍ତି। ସେ ମଧ୍ୟ ହସ୍ତକ୍ଷେପ କରି ବିଜୁଳି ସଂଯୋଗ ଦେବା ପାଇଁ ଉଦ୍ୟମ କଲେ ନାହିଁ। ଫଳରେ ପ୍ରାୟ ଗୋଟିଏ ବର୍ଷ ଧରି ଏ ସବୁ ଅଚଳ ହୋଇଗଲା। ଅଚଳ ହୋଇ ପଡ଼ିବାରୁ ମେସିନ୍‌ ଖରାପ ହେବାରେ ଲାଗିଛି। ଏଣେ ଲୋକଙ୍କ କାମରେ ମଧ୍ୟ ଆସୁ ନାହିଁ। ବିଏମ୍‌ସି ଯନ୍ତ୍ରୀ ସରୋଜ ମହାପାତ୍ରଙ୍କ କହିବା କଥା, ମୋ’ ବସ୍‌ ଷ୍ଟପ୍‌ଗୁଡ଼ିକ ନିକଟରେ ଥିବା ଵାଟର୍‌ ଏଟିଏମ୍‌ଗୁଡ଼ିକୁ ବସ୍‌ଷ୍ଟପ୍‌ରୁ ବିଦ୍ୟୁତ୍‌ ଶକ୍ତି ସଂଯୋଗ କରାଯାଇଥିଲା। କିନ୍ତୁ ବର୍ତ୍ତମାନ କ୍ରୁଟ୍‌ ତରଫରୁ ଏହାକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଉତ୍ସରୁ ଏଠାକୁ ବିଜୁଳି ସଂଯୋଗ ସମ୍ଭବ ହୋଇ ନାହିଁ କିମ୍ବା ନୂଆ ସୋଲାର ପ୍ୟାନେଲ୍‌ ବ୍ୟବସ୍ଥା ମଧ୍ୟ ହୋଇ ପାରୁନାହିଁ। ଏହି ବିଦ୍ୟୁତ୍‌ କାଟ୍‌ ସମ୍ବନ୍ଧରେ କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ଏ ସଂପର୍କିତ କୌଣସି ସୂଚନା ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମେ ଲୋକେ ଏଥିରେ ଟଙ୍କିକିଆ କଏନ୍‌ ପକାଇ ଜଳ ସଂଗ୍ରହ କରୁଥିଲେ। ପରେ କାର୍ଡ ସ୍ବାଇପ୍‌ କରି ଜଳ ସଂଗ୍ରହ ବ୍ୟବସ୍ଥା ହେଲା। ମାତ୍ର କିଛି ଦିନ ପରେ କାର୍ଡ କାମ ନ କରିବାରୁ ଏଥିରୁ ମାଗଣାରେ ଜଳ ଯୋଗାଇବାକୁ ଘୋଷଣା କରାଗଲା। ଏବେ ଲୋକ ମାଗଣାରେ ପିଇବା ପାଣି ସଂଗ୍ରହ କରୁଥିଲେ। କିନ୍ତୁ ଦୁଇ ସଂସ୍ଥା କ୍ରୁଟ୍‌ ଓ ବିଏମ୍‌ସିର କଳି ଯୋଗୁଁ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି। ଏହାକୁ ମରାମତି ନ କରି ବିଏମ୍‌ସି ଏକାଧିକ ସ୍ଥାନରେ ଅନ୍ୟ ଏକ ଘରୋଇ ସଂସ୍ଥା ଜରିଆରେ ପାନୀୟ ଜଳ ଉପଲବ୍ଧର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ବାଣୀବିହାର, ରବୀନ୍ଦ୍ର ମଣ୍ଡପ, ନ’ତାଲା ପ୍ରଭୃତି ପ୍ରମୁଖ ଜାଗାରେ ଏ ସବୁ ଖରାପ ହୋଇ ପଡ଼ିଛି। ପିଇବା ପାଣି ପାଇଁ ଲୋକେ ବାରଦୁଆର ହେଉଛନ୍ତି। ତେବେ ସତ୍ୟନଗର, ରାଜମହଲ, ମାର୍କେଟ୍‌ ବିଲ୍ଡିଂ ଓ ଅନ୍ୟ ଯାଗରେ ଏହା ଚାଲୁ ରହିଛି।

ସମ୍ବନ୍ଧିତ ଖବର