ଆଜି ତାମିଲନାଡୁ-ପୁଡ୍ଡୁଚେରୀ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ମ୍ୟାଣ୍ଡସ୍‌

ନୂଆଦିଲ୍ଲୀ: ଭୀଷଣ ସାମୁଦ୍ରିକ ବାତ୍ୟା ମ୍ୟାଣ୍ଡସ୍‌ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଜି ମଧ୍ୟରାତ୍ର ସୁଦ୍ଧା ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର୍‌ ବତାସ ସହିତ ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ତତ୍‌ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସଦ୍ୟତମ ସୂଚନା ଅନୁସାରେ, ଆଗାମୀ ୬ ଘଣ୍ଟା ଧରି ଭୀଷଣ ସାମୁଦ୍ରିକ ବାତ୍ୟା ମ୍ୟାଣ୍ଡସ୍‌ ତା’ର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ତା’ପରେ ଏହା କ୍ରମଶଃ ଦୁର୍ବଳ ହୋଇ ସାମାନ୍ୟ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ।

ବାତ୍ୟା ପ୍ରକୋପରେ ବର୍ଷା ହେବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରିଛି। ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌କୁ ମଧ୍ୟ ସଜାଗ ରଖାଯାଇଛି।

Image Courtesy of The Indian Express

ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଆଜି ପୁଡ୍ଡୁଚେରୀ ଓ କାରଈକାଲରେ ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ରଖାଯାଇଛି। ସଦ୍ୟତମ ସୂଚନା ଅନୁସାରେ, ତାମିଲନାଡୁର ତୁତୁକୁଡ଼ି, ତେନି ଏବଂ ସିରୁମଲାଇରେ ବି ବର୍ଷାଜନିତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ‘ଇସ୍ରୋ’ ମଧ୍ୟ ଏହି ଭୀଷଣ ସାମୁଦ୍ରିକ ବାତ୍ୟାର ଫଟୋ ସେୟାର୍‌ କରିଛି। ‘ଓସେନ୍‌ କଲର୍‌ ମନିଟର୍‌’ ଏବଂ ‘ସ୍କାଟେରୋମିଟର୍‌’ରୁ ପ୍ରାପ୍ତ ‘ଉଇଣ୍ଡ୍‌ ଭେକ୍ଟର୍‌ ଡାଟା’କୁ ମିଶାଇ ଉକ୍ତ ଫଟୋ ପ୍ରସ୍ତୁତ କରାଯାଇଛି।

ତାମିଲନାଡୁ ସରକାର କହିଛନ୍ତି, ‘ଏନ୍‌ଡିଆର୍‌ଏଫ୍‌’ ଓ ‘ଷ୍ଟେଟ୍‌ ଫୋର୍ସ’ରୁ ପ୍ରାୟ ୪୦୦ କର୍ମଚାରୀଙ୍କୁ ନେଇ ଗଠିତ ୧୨ଟି ଟିମ୍‌ ୧୦ଟି ଜିଲ୍ଲାରେ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର