ନୂଆବର୍ଷ‌ରେ ସେଲିବ୍ରିଟିଙ୍କ ନୂଆ ସଂକଳ୍ପ

ନୂଆବର୍ଷ ଆଣିଛି ଅନେକ ଉତ୍ସାହ ଓ ଉଦ୍ଦୀପନା। ଗୋଟିଏ ପଟେ କରୋନା ଭୟ ଥିବା ବେଳେ ସକାରାତ୍ମକ ଭାବେ ବର୍ଷଟି ଅତିବାହିତ ହେଉ, ଏହି ଆଶା ନେଇ ବର୍ଷର ପ୍ରଥମ ଦିନ କଟିଛି। କଟକଣା ଥିବାରୁ କିଛି ସେଲିବ୍ରେଟି ନୂଆବର୍ଷକୁ ପରିବାର ସହ ଘରେ ପାଳନ କରିଥିବା ବେଳେ ଆଉ କିଛି ନୂଆ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି।

ନୂଆବର୍ଷରେ ନୂଆ କାମ
ଗତରାତିରେ ସପରିବାର ଜିରୋ-ନାଇଟ୍ ସେଲିବ୍ରେସନ୍ କରିଥିଲୁ। ଘରକୁ ଆଲୋକମାଳାରେ ସଜାଇଛି। ମୁଁ ନୂଆବର୍ଷର ପ୍ରଥମ ଦିନ, ନୂଆ କାର୍ଯ୍ୟରୁ ଆରମ୍ଭ କରେ। ତେଣୁ ବର୍ଷ ଆରମ୍ଭରୁ ଚଳଚ୍ଚିତ୍ରର ଏକ ଫିଲ୍ମ ଡବିଂ ରହିଛି। ଏହି ବର୍ଷ ଓଡ଼ିଶାବାସୀଙ୍କ ପାଇଁ ଭଲ ବର୍ଷ ହେଉ, ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା।
ଶ୍ରୀତମ ଦାଶ, ଅଭିନେତା

ପରିବାର ଓ ସାଙ୍ଗଙ୍କ ସହ ପାଳିଲି
ସରକାର କଟକଣା ଲଗାଇଥିବାରୁ ଏଥର ପରିବାର ଓ ସାଙ୍ଗମାନଙ୍କ ସହ ନୂଆବର୍ଷ ପାଳିଲି। ତେବ‌େ ଏବର୍ଷ ନୂଆନୂଆ ଚଳଚ୍ଚିତ୍ରରେ ଅଭିନୟ କରିବାର ଯୋଜନା ରଖିଛି। ଦର୍ଶକଙ୍କ ଭଲ ପାଇବା ରହିଲେ ନୂଆବର୍ଷଟି ମୋର ଭଲରେ କଟିବ।
ହରିହର ଦାଶ, ଅଭିନେତା

ପତ୍ନୀଙ୍କୁ ସମୟ ଦେଲି
କରୋନା ପାଇଁ ପରିବାର ଧରି ବାହାରକୁ ଯିବା ସମ୍ଭବ ହେଉନି। ଏମିତିରେ ବି ମୋର ପତ୍ନୀଙ୍କର ନୂଆବର୍ଷ ଦିନ ଜନ୍ମଦିନ। ତେଣୁ ତାଙ୍କ ସହ ଆଜି ପୂରା ସମୟ କାଟିଛି। ଘରେ ହିଁ ନୂଆବର୍ଷ ପାଳନ କରିଛି।
ହରିହର ମହାପାତ୍ର, ହାସ୍ୟ ଅଭିନେତା

ସୁଟିଂ ସେଟ୍‌ରେ କଟିଲା
ଏ ବର୍ଷ ସେମିତି କିଛି ଖାସ୍ ନାହିଁ। ଆଜି ନୂଆବର୍ଷର ପ୍ରଥମ ଦିନ ସୁଟିଂ ସେଟ୍‌ରେ କଟିଛି। ଘରଠାରୁ ୨୦୦ କିଲୋମିଟର ଦୂରରେ ଅଛି। କେବଳ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବି ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖି ଆଣିଦେଉ।
ଉଷସୀ ମିଶ୍ର, ଅଭିନେତ୍ରୀ

ପରିବାର ସହ ପାଳିଲି
ଗତ ୨ବର୍ଷ ପରି ଏବର୍ଷ ମଧ୍ୟ ଘରେ ରହି ପରିବାର ସହ ନୂଆବର୍ଷ ପାଳନ କରିଛି। କରୋନା ଏବଂ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଇଁ ବାହାରକୁ ଯିବା ପାଇଁ ଯୋଜନା ନଥିଲା। ମନ୍ଦିର ବନ୍ଦ ଥିବାରୁ ବାହାରୁ ଠାକୁରଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ଶୁଭ ମନାସିଛି।
ଜ୍ୟୋତି ମିଶ୍ର, ଅଭିନେତ୍ରୀ

ପଡ଼ୋଶୀଙ୍କ ସହ ମିଶି ଭୋଜି କଲି
ପରିବାର ସଦସ୍ୟ ଏବଂ ପଡ଼ୋଶୀଙ୍କ ସହ ମିଶି ଭୋଜି କରି ନବବର୍ଷକୁ ସ୍ବାଗତ କରିଛି। ବିଭିନ୍ନ ସ୍ଥାନ ବୁଲାବୁଲି କରିବାକୁ ଯିବା ପାଇଁ ଯୋଜନା ଥିଲା। ୨୦୨୨ ସମସ୍ତଙ୍କ ପାଇଁ ଏକ ଖୁସି ଆଣୁ ବୋଲି ଠାକୁରଙ୍କ ପାଖରେ ପ୍ରାର୍ଥନା କରିବି।
ସମିତା ମଣ୍ଡଲ, ଅଭିନେତ୍ରୀ

ଭଲ ବିଷୟବସ୍ତୁ ଚଳଚ୍ଚିତ୍ରରେ କାମ କରିବି
ଏବର୍ଷ ପରିବାର ସହ ନୂଆବର୍ଷକୁ କଟିବାର ସୁଯୋଗ ମିଳିଛି। ଘର ପାଖରେ ଥିବା ଶିବ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିଛି। ମୁଁ ପଶୁପ୍ରେମୀ ହୋଇଥିବାରୁ, ଘରେ ଥିବା ପଶୁପକ୍ଷୀଙ୍କ ସହ ନୂଆବର୍ଷକୁ ବେଶ୍‌ ସୁନ୍ଦର ଭାବେ ଉପଭୋଗ କରିଛି। ଏଇ ବର୍ଷ ଭଲ ବିଷୟବସ୍ତୁକୁ ବାଛି ସିନେମାରେ ଅଭିନୟ କରିବାକୁ ଚେଷ୍ଟା କରିବି ବୋଲି ନିଷ୍ପତ୍ତି ନେଇଛି।
ସୁରମୟୀ ମହାପାତ୍ର, ଅଭିନେତ୍ରୀ

ଗୋଆରେ କଟିଲା
ମୁଁ ଗୋଆରେ ଥିବାରୁ ନୂଆବର୍ଷ ମୋର ଗୋଆରେ ହିଁ କଟିଛି। ୩ ତାରିଖରେ ଫେରିଲେ ପରିବାର ସହ ମଧ୍ୟ ପାଳିବି। ଏ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ, ଭଗବାନଙ୍କୁ ପ୍ରାର୍ଥନା।
ଲିପ୍ସା ମିଶ୍ର, ଅଭିନେତ୍ରୀ

ପରିବାର ଓ ପଡ଼ୋଶୀଙ୍କୁ ଖୁଆଇଲି
ସକାଳୁ ମନ୍ଦିର ଯାଇ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛି। ଘରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ପରିବାର ଓ ପଡ଼ୋଶୀଙ୍କୁ ଖୁଆଇଥିଲି।
ଆହାନା ବରାଳ, ଅଭିନେତ୍ରୀ

ପ୍ରଶଂସକଙ୍କୁ ସମୟ ଦେଲି
ପରିବାର ଓ ସାଙ୍ଗମାନଙ୍କ ସହ ନୂଆବର୍ଷକୁ ପାଳନ କରିଛି। କିଛି ପ୍ରଶଂସକ ଦେଖା କରିବାକୁ ଆସିଥିବାରୁ ତାଙ୍କ ସହ ସମୟ ବିତାଇଛି। ଜେଜେମା ଓ ଆଇଙ୍କ ଆର୍ଶୀବାଦ ନେବା ପାଇଁ ସେମାନଙ୍କ ପାଖକୁ ଯାଇଥିଲି। ୨ ଓ ୩ରେ ପୁରୀରେ ସୁଟିଂ ଥିବାରୁ ଖୁସି ଲାଗୁଛି।
ପୁନମ୍‌ ମିଶ୍ର, ଅଭିନେତ୍ରୀ

ଯୌଥ ପରିବାରରେ ମଜା ନିଆରା
୨ ବର୍ଷ ହେଲାଣି ମହାପ୍ରଭୁ ଜଗନ୍ନାଥ ନୂଆବର୍ଷକୁ ଫିକା କରି ଦେଇଛନ୍ତି। ଏ ବର୍ଷ ମଧ୍ୟ ସରକାର କଟକଣା ଲଗାଇ ଦେଇଛନ୍ତି। କିନ୍ତୁ ମୋର ଯୌଥ ପରିବାର ହୋଇଥିବାରୁ କଟକଣା ବେଶି କିଛି ପ୍ରଭାବ ପକାଇ ପାରିନି। ପରିବାର ଭିତରେ ନୂଆବର୍ଷକୁ ପାଳନ କରିବାର ଖୁସି ନିଆରା। ସମସ୍ତେ ସୁସ୍ଥ ରୁହନ୍ତୁ, ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା।
ଗୀତା ଦାଶ, ବିଶି‌ଷ୍ଟ କଣ୍ଠଶିଳ୍ପୀ

ନୂଆ ଗୀତ ରେକର୍ଡିଂ
ପ୍ରତିବର୍ଷ ମହାପ୍ରଭୁ ଜଗନ୍ନାଥ ଓ ମା’ ଶାରଳାଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିଥାଏ। କିନ୍ତୁ ମନ୍ଦିର ବନ୍ଦ ଥିବାରୁ ଘରେ ପୂଜା କଲି। ଆଜି ମୋର ଏକ ନୂଆ ଗୀତର ରେକର୍ଡିଂ ଥିଲା। ବର୍ଷ ୨୦୨୨ ସମସ୍ତଙ୍କ ପାଇଁ ଭଲ ହେବ। ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା, ସମସ୍ତଙ୍କ କଷ୍ଟକୁ ଦୂର କରନ୍ତୁ।
ପ୍ରେମ ଆନନ୍ଦ, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ

ସମ୍ବନ୍ଧିତ ଖବର