‘ନୀଳ ଆକାଶ ଦୂର ବନାନୀ’ ମଞ୍ଚସ୍ଥ

ଭୁବନେଶ୍ବର: ପ୍ରେମ ଓ ସଦ୍‌ଭାବନାର କଥା ତ’ ଆମେ ସମସ୍ତେ କହୁ। ହେଲେ କେବେ କେଉଁ ପ୍ରେମ ଚଢ଼େଇକୁ ଡାଳରେ ବସିଥିବା ଦେଖିଲେ ଈର୍ଷା ବା ଘୃଣାରେ ତାକୁ ଘଉଡ଼େଇବାକୁ ଚେଷ୍ଟା କରୁ। ଆଉ କେତେ ଦିନ ପ୍ରେମ ବିରୁଦ୍ଧରେ ଆମେ ଘୃଣାଭାବ ସୃଷ୍ଟି କରି ଚାଲିଥିବା? ପ୍ରେମପକ୍ଷୀମାନଙ୍କ ପ୍ରତି ଆମ ଦୃଷ୍ଟିଭଙ୍ଗୀ ଆଉ କେବେ ବଦଳିବ? ସମ୍ପୂର୍ଣ୍ଣ ଧରିତ୍ରୀକୁ ଯଦି ପଞ୍ଜୁରି କରି ଦିଆଯାଏ, ତଥାପି ଆକାଶ ଓ ବନାନୀ ଭଳି ପ୍ରେମ ପକ୍ଷୀମାନଙ୍କୁ ବସା ବାନ୍ଧିବାକୁ କେହି ଅଟକାଇ ପାରିବେନି। ନୀଳ ଆକାଶ ଓ ଦୂର ବନାନୀର ମିଳନ ଅସମ୍ଭବ ମନେ ହେଲେ ବି ଏମାନଙ୍କର ମିଳନ ହୁଏ, ଦିଗ୍‌ବଳୟ ସେପାରିରେ… ଦୂରେ ବହୁ ଦୂରେ…। କେବେ କବିର କଳ୍ପନାରେ ଓ ଆଉ କେବେ ଚିତ୍ରକରର କାନ୍‌ଭାସ୍‌ରେ କିମ୍ବା ତାରାର ସହରମାନଙ୍କରେ…। ଏଭଳି ଏକ କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ନୀଳ ଆକାଶ ଦୂର ବନାନୀ’।

ଓଡ଼ିଶାର ବରିଷ୍ଠ ତଥା ଅନନ୍ୟ ନାଟ୍ୟ ବ୍ୟକ୍ତିତ୍ବ ଡ. ସଚ୍ଚି ଦାସଙ୍କ ସମ୍ମାନାର୍ଥେ ‘ସାଇ ବିଦ୍ୟାଧର ଚାରିଟେବୁଲ୍‌ ଟ୍ରଷ୍ଟ୍‌’ ପକ୍ଷରୁ ଆଜି ଏହି ନାଟକ ପରିବେଷିତ ହୋଇଥିଲା। ନାଟକର ରଚନା ନିଜେ ସଚ୍ଚି ଦାସ କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଅବକାଶ ମିଶ୍ର। ବିଭିନ୍ନ ଭୂମିକାରେ କରୁଣାକର ସାମଲ, ବିରଞ୍ଚି କୁମାର ଦାସ, କେ. ଚନ୍ଦ୍ରଶେଖର ସୁବୁଦ୍ଧି, ମାନସ ପରିଡ଼ା ଓ ଅମରଦୀପ ମହା‌ନ୍ତି ପ୍ରମୁଖ ଅଭିନୟ କରିଥିଲେ। ଅତିଥି ଭାବେ ବିଧାୟିକା ସୁନନ୍ଦା ଦାସ, ବିଏମ୍‌ସି ମେୟର ସୁଲୋଚନା ଦାସ ଓ ସାମ୍ବାଦିକ କିଶୋର ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅସୁସ୍ଥତା ସତ୍ତ୍ବେ ନାଟ୍ୟ ନିର୍ଦ୍ଦେଶକ ସଚ୍ଚି ଦାସ ପ୍ରେକ୍ଷାଳୟରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନାଟ୍ୟ ନିର୍ଦ୍ଦେଶକ ଆଶିଷ ବର୍ଦ୍ଧନ, ଦେବଦତ୍ତ ପଟ୍ଟନାୟକ, ଅରୂପ ଜେନା, ଦେବାନନ୍ଦ ନାୟକ, ପ୍ରଦୀପ ପଣ୍ଡା, ସାମ୍ବାଦିକ ପ୍ରିୟବ୍ରତ ମହାନ୍ତି ଓ ସମାଜସେବୀ ସନ୍ତୋଷ କୁମାର ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର