ଅଗଷ୍ଟ ସୁଦ୍ଧା ସାରା‌ ଦେଶରେ ବିଏସ୍‌ଏନ୍‌ଏଲ୍‌ ୪ଜି ସେବା

ନୂଆଦିଲ୍ଲୀ: ମୋବାଇଲ୍ ‌ଟେଲି ଯୋଗାଯୋଗରେ ଘରୋଇ କମ୍ପାନି ତୁଳନାରେ ପଛରେ ରହିଯାଇଥିବା ସରକାରୀ କମ୍ପାନି ବିଏସ୍‌ଏନ୍‌ଏଲ୍‌ ସ୍ଥିତି ସଜାଡ଼ିବାକୁ ଉଦ୍ୟମ ଜାରି ରଖିଛି। ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା କମ୍ପାନି ସର୍ବଭାରତୀୟ ସ୍ତରରେ ଏହାର ୪ଜି ସେବା ଆରମ୍ଭ କରିବ। ଆତ୍ମନିର୍ଭର ଭାରତ ନୀତିକୁ ଗ୍ରହଣ କରି କମ୍ପାନି ସ୍ବଦେଶୀ ଜ୍ଞାନକୌଶଳକୁ ଏଥିପାଇଁ ବ୍ୟବହାର କରିଛି। କମ୍ପାନି ୭୦୦ ମେଗାହର୍ଜ ଓ ୨୧୦୦ ମେଗାହର୍ଜ ବ୍ୟାଣ୍ଡରେ ୪ଜି ପରୀକ୍ଷଣ କରିଥିବା ବେଳେ ସେକେଣ୍ଡ ପିଛା ୪୦-୫୦ ଏମ୍‌ବି ସ୍ପିଡ୍ ହାସଲ କରିଛି। ଟାଟା ଗ୍ରୁପ୍‌ର ସଫ୍ଟୱେର କମ୍ପାନି ଟିସିଏସ୍ ଓ ସରକାରୀ ଟେଲିକମ୍ ଗବେଷଣା ସଂସ୍ଥା ସି-ଡଟ୍ ସହ ମିଶି ବିଏସ୍‌ଏନ୍‌ଏଲ୍‌ ପଞ୍ଜାବରେ ୪ଜି ସେବା ଆରମ୍ଭ କରି ସହ ୮ ଲକ୍ଷ ଗ୍ରାହକ ଯୋଡ଼ିଛି। ବିଏସ୍‌ଏନ୍‌ଏଲ୍‌ ପାଇଁ ୪ଜି ନେଟ୍‌ୱର୍କ ପ୍ରସ୍ତୁତ କରିବାର ବରାଦ ଟିସିଏସ୍‌, ‌ତେଜସ୍‌ ନେଟ୍‌ୱର୍କ ଓ ସରକାରୀ ଆଇଟିଆଇଗୁଡ଼ିକୁ ମିଳିଛି। ୧୯ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ନେଟ୍‌ୱର୍କକୁ ସହଜରେ ୫ଜିକୁ ରୂପାନ୍ତରିତ କରାଯାଇପାରିବ। ୪ଜି ଓ ୫ଜି ସେବା ପ୍ରଦାନ କରିବା ଲାଗି ବିଏସ୍‌ଏନ୍‌ଏଲ୍‌ ସାରା ଦେଶରେ ୧.୧୨ ଲକ୍ଷ ଟାୱାର ସ୍ଥାପନ କରୁଛି। ୪ଜି ପାଇଁ କମ୍ପାନିର ୯,୦୦୦ ଟାୱାର ସ୍ଥାପନ କରିଥିବା ବେଳେ ସେଥିରୁ ୬୦୦୦ ଟାୱାର ପଞ୍ଜାବ, ହିମାଚଳପ୍ରଦେଶ, ୟୁପି ପଶ୍ଚିମ ଓ ହରିୟାଣା ସର୍କଲ୍‌ରେ ସକ୍ରିୟ ରହିଛି।

ସମ୍ବନ୍ଧିତ ଖବର