ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ ଜରିମାନା: ରିଜର୍ଭ ବ୍ୟାଙ୍କ ଲଗାଇଲା

ଭୁବନେଶ୍ବର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଢ଼ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି। ପ୍ରୋଭିଜନିଂ, ସମ୍ପତ୍ତି ବର୍ଗୀକରଣ, ଏକ୍ସପୋଜର ଲିମିଟ୍‌ ଓ ଏନ୍‌ପିଏକୁ ନେଇ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ନିୟମକୁ ବ୍ୟାଙ୍କ ଠିକ୍ ଭାବେ ପାଳନ କରିନଥିଲା। ବ୍ୟାଙ୍କିଙ୍ଗ ନିୟାମକ ନିୟମ ୧୯୪୯ର ଧାରା ୪୭ଏ(୧)(ସି), ଧାରା ୪୬(୪)(୧) ଓ ୫୧(୧)ରେ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରିଜର୍ଭ ବ୍ୟାଙ୍କ ଏହି ଜରିମାନା ଲାଗୁ କରିଛି। ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ବ୍ୟାଙ୍କର ବୈଧାନିକ ନିରୀକ୍ଷଣ କରାଯାଇଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କର ଆର୍ଥିକ ସ୍ଥିତି ଅନୁସାରେ ସେହି ନିରୀକ୍ଷଣ ହୋଇଥିଲା। ସେଥିରୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଠିକ୍ ଭାବେ ପାଳନ କରିନଥିବା ଜଣାପଡ଼ିଥିଲା। ଏହା ପରେ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ବ୍ୟାଙ୍କରୁ ଉତ୍ତର ମିଳିବା ପରେ ଏବଂ ବ୍ୟକ୍ତିଗତ ଶୁଣାଣି ଆଧାରରେ ରିଜର୍ଭ ବ୍ୟାଙ୍କ ଜାଣିବାକୁ ପାଇଥିଲା ଯେ କେତେକ ନିର୍ଦ୍ଦିଷ୍ଟ ଋଣ ଖାତାକୁ ଏନ୍‌ପିଏ ବର୍ଗରେ ସାମିଲ କରିବାରେ ବ୍ୟାଙ୍କ ବିଫଳ ରହିଥିଲା। ସେଥିପାଇଁ ବ୍ୟାଙ୍କ ଉପରେ ଆର୍ଥିକ ଜରିମାନା ଲାଗୁ କରାଯାଇଛି। ରିଜର୍ଭ ବ୍ୟା‌ଙ୍କ ଏହା ସ୍ପଷ୍ଟ କରିଛି ଯେ ନିୟମ ପାଳନରେ ଅସୁବିଧା ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗ୍ରାହକଙ୍କ ସହିତ ବ୍ୟାଙ୍କର କୌଣସି କାରବାର କିମ୍ବା ଚୁକ୍ତି ସହ ଏହାର କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧିତ ଖବର