ଆମେରିକାଜ୍‌ ଗଟ୍ ଟ୍ୟାଲେଣ୍ଟ୍‌ରେ ଚମକିଲେ ଓଡ଼ିଆ ପୁଅ, ଅଷ୍ଟମ ଶ୍ରେଣୀରେ ଦେଖିଥିବା ସ୍ବପ୍ନ ସାକାର କଲେ

ଭାରତରେ ୨୩ ତାରିଖ ଭୋର ୫ଟାରେ ଏନ୍‌ବିସି ଚ୍ୟାନେଲ୍‌ରେ ଫାଇନାଲ୍

ଭୁବନେଶ୍ବର: ସ୍ବପ୍ନ ତ ଅନେକ ଦେଖନ୍ତି। ମାତ୍ର ହାତଗଣତି କିଛି ବ୍ୟକ୍ତି ତାକୁ ସାକାର କରନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ନାଚ ପ୍ରେମରେ ପଡ଼ିଥିବା ପିଲାଟିଏ ଯେ ଆମେରିକାଜ୍‌ ଗଟ୍ ଟ୍ୟାଲେଣ୍ଟ୍(ଏଜିଟି)ରେ ନାଚିବାର ସ୍ବପ୍ନ ଦେଖି ତା’କୁ ସାକାର କରିପା‌ରେ, ସେପରି ଜଣେ ଉଦାହରଣ ହେଉଛନ୍ତି ଓଡ଼ିଆ ପୁଅ ସୁମନ୍ତ। ଦ୍ରୁତ ଗତିରେ ନୃତ୍ୟ କରିବା ଓ ଘୂରି ବୁଲ ଚକ୍‌ମା ଦେଖାଇବାର କୌଶଳ ଦେଖି ଦୁନିଆର ଶ୍ରେଷ୍ଠ ନୃତ୍ୟ ପ୍ରତିଯୋଗିତାର ବିଚାରକମାନେ ବି ତାଜୁବ ହୋଇଯାଇଛନ୍ତି। ସୁମନ୍ତ ଓ ପଶ୍ଚିମବଙ୍ଗର ଝିଅ ସୋନାଲିଙ୍କ ଯୋଡ଼ି ଏଜିଟିର ଫାଇନାଲ୍‌ରେ ପହଞ୍ଚି କେବଳ ଓଡ଼ିଶା ନୁହେଁ, ଭାରତ ପାଇଁ ଗୌରବ ଆଣିଛନ୍ତି।

ସୁମନ୍ତ-ସୋନାଲି ଯୋଡ଼ି ବ୍ୟାଡ୍ ସାଲ୍ସାରେ କେବଳ ବିଚାରକ ନୁହେଁ, ଦର୍ଶକଙ୍କ ମନ ଜିଣି ନେଇଛନ୍ତି। ସୁମନ୍ତଙ୍କ ଘର ରାୟଗଡ଼ାରେ ହୋଇଥିଲେ ହେଁ ଦୀର୍ଘ ବର୍ଷ ଧରି ଭୁବନେଶ୍ବରରେ ରେଲ୍ ବିହାରରେ ନିଜ ପରିବାର ସହ ରହି ଆସୁଥି‌ଲେ। ତାଙ୍କ ବାପା (ରେଲୱେରେ କାର୍ଯ୍ୟରତ) ଏମ୍. ଜଗଦୀଶ୍ବର ରାଓଙ୍କ କହିବା ମୁତାବକ, ଯେବେ ସେ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥି‌ଲେ, ନୃତ୍ୟ ପ୍ରତି ଆଗ୍ରହ ଦେଖାଇଥିଲେ। ସୁମନ୍ତଙ୍କ ମା’ ଏମ୍ ରାଧାକୁମାରୀ ମଧ୍ୟ ଜଣେ ଯୋଗ ପ୍ରଶିକ୍ଷିକା ଓ ନୃତ୍ୟଶିଳ୍ପୀ। ତେଣୁ ମା’ ହିଁ ଥିଲେ ସୁମନ୍ତଙ୍କ ନୃତ୍ୟର ପ୍ରଥମ ପ୍ରେରଣା। ଏହା ବ୍ୟତୀତ ଶ୍ରୀ ରାଓ ଓ ତାଙ୍କ ଭଉଣୀ ମଧ୍ୟ ନୃତ୍ୟ‌ପ୍ରେମୀ ଥିଲେ। ତେଣୁ ସୁମନ୍ତଙ୍କ ଭିତରେ ଯେମିତି ନୃତ୍ୟ କଳା ପିଲାବେଳୁ ବସା ବାନ୍ଧିଥିଲା।

ଏହା ମଧ୍ୟରେ ଏକ ବିଫଳତାରୁ ସୁମନ୍ତଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା। ଶ୍ରୀ ରାଓଙ୍କ କହିବା ମୁତାବକ, ‘ଲାଇଫ୍ ଓକେ’ ଚ୍ୟାନେଲ୍ ପାଇଁ ଏକ ନୃତ୍ୟ ସୋ’ର ଅଡିସନ୍‌ ଦେବା ପାଇଁ ସୁମନ୍ତ ୨୦୧୨ ମସିହାରେ କୋଲକାତା ଯାଇଥିଲେ। ସେତେବେଳେ ସେଠାରେ ବିଭାଷ ଏକାଡେମି ଅଫ୍ ଡ୍ୟାନ୍ସରେ ଅଡିସନ୍‌ ହେଉଥିଲା। ସେ ଅଡିସନ୍‌ରେ ସିନା ସୁମନ୍ତଙ୍କୁ ଚୟନ କରାଗଲା ନାହିଁ, କିନ୍ତୁ ସୁମନ୍ତଙ୍କ ପ୍ରତିଭାକୁ ଚିହ୍ନି ପାରିଥିଲେ ବିଭାଷ ଏକାଡେମିର କୋରିଓଗ୍ରାଫର ବିଭାଷ ଚୌଧୁରୀ। ସେ ସୁମନ୍ତଙ୍କ ବାପାଙ୍କ ସହ ପରାମର୍ଶ କରି ସୁମନ୍ତଙ୍କୁ ତାଙ୍କ ନୃତ୍ୟାନୁଷ୍ଠାନରେ ନୃତ୍ୟ ତାଲିମ୍ ନେବାକୁ ପରାମର୍ଶ ଦେଇଥିଲେ। ଏଥିରେ ଶ୍ରୀ ରାଓ ରାଜି ହେବା ପରେ ୨୦୧୨ ମସିହାରେ ଅଭିଯାନ ଆରମ୍ଭ ହେଲା। ଦକ୍ଷ ଗୁରୁ ମିଳିଯିବା ପରେ ସୁମନ୍ତ ଆଉ ଅଟକି ନଥିଲେ। ୨୦୧୨ ମସିହାରେ ଇଣ୍ଡିଆଜ୍‌ ଗଟ୍ ଟ୍ୟାଲେଣ୍ଟ୍‌ରେ ସୁମନ୍ତ ଓ ସୋନାଲି ଚାମ୍ପିଅନ୍‌ ହେଲେ। ଏହା ପରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଯେଉଁଠି ବି ନୃତ୍ୟ ପ୍ରଦର୍ଶନ କଲେ, ସବୁଠି ସାବାସୀ ଓ ପୁରସ୍କାର ଜିତି ଫେରିଲେ। ଆମେରିକାଜ୍‌ ଗଟ୍ ଟ୍ୟାଲେଣ୍ଟ୍ ଆମେରିକାରେ ୨୨ତାରିଖ ସନ୍ଧ୍ୟା ୮ଟାରେ ଏନ୍‌ବିସି ଟିଭି ଚ୍ୟାନେଲ୍‌ରେ ପ୍ରଦର୍ଶିତ ହେବ। ଭାରତୀୟ ସମୟ ମୁତାବକ ୨୩ ତାରିଖ ଭୋର ୫ଟାରେ ଭାରତୀୟ ଦର୍ଶକ ଏନ୍‌ବିସି-ଟିଭିରେ ଫାଇନାଲ୍ ସୋ’ ଦେଖିପାରିବେ। ସୁମନ୍ତଙ୍କୁ ଜିତାଇବା ପାଇଁ ତାଙ୍କ ଭାଇ ତଥା ଓଡ଼ିଶାର ୨୩ବର୍ଷରୁ କମ୍ ବୟସ କ୍ରିକେଟ୍ ଦଳର ସଦସ୍ୟ ଏମ୍ ପ୍ରଶାନ୍ତ ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି। ସୁମନ୍ତ ଓ ସୋନାଲି ଫାଇନାଲ୍ ରାଉଣ୍ଡ୍ ପାଇଁ ଲସ୍ ଆଞ୍ଜେଲ୍ସରେ ପହଞ୍ଚି ସାରିଥିବା ବେଳେ ଏଜିଟିରେ ସୁମନ୍ତଙ୍କ ଚମତ୍କାର ଦେଖିବାକୁ ଅନେକ ପ୍ରତୀକ୍ଷାରେ ରହିଛନ୍ତି।

ସମ୍ବନ୍ଧିତ ଖବର