ବିପିୟୁଟିର ଅନ୍‌ଲାଇନ୍‌ ପରୀକ୍ଷାକୁ ବିଜେପି ଯୁବମୋର୍ଚ୍ଚାର ବିରୋଧ, କମ୍ପେଟ୍‌ ଏଜୁଟେକ୍‌ ବିଷୟରେ ତର୍ଜମା ହେଉ

ଭୁବ‌ନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ଛାତ୍ରଛାତ୍ରୀଙ୍କ ପାଇଁ ଶେଷ ସେମିଷ୍ଟର୍‌ ଅନଲାଇନ୍‌ ପରୀକ୍ଷା ନିଷ୍ପତ୍ତି ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ଅନ୍‌ଲାଇନ୍‌ ପରୀକ୍ଷା ପାଇଁ ବିପିୟୁଟି ଦେଇଥିବା ୨୭ପୃଷ୍ଠାର ନିୟମାବଳିକୁ ପୂରଣ କରିବା ବହୁ ଛାତ୍ରଛାତ୍ରୀଙ୍କ ପକ୍ଷେ ଅସମ୍ଭବ। ୪ ଜିବି ରୢାମ୍‌, ୱେବ୍‌କ୍ୟାମ୍‌ ଓ ମାଇକ୍‌ଯୁକ୍ତ କମ୍ପ୍ୟୁଟର୍‌ ଏବଂ ୩ ଘଣ୍ଟା ଲଗାତାର ବିଦ୍ୟୁତ୍‌ ସରବରାହ, ଗ୍ରାମାଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୂରଣ କରିବା ସମ୍ଭବପର ନୁହେଁ। ଏହି ସୁବିଧା ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଯିବାର ବ୍ୟବସ୍ଥା ଯଥା କଣ୍ଟେନ୍‌ମେଣ୍ଟ ଜୋନ୍‌ ତଥା ବାହାର ରାଜ୍ୟରୁ ଆସି ପାଠ ପଢ଼ୁଥିବା ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ରାଜ୍ୟ ସରକାର ସବୁ ଜାଣି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କରୋନା ସମୟରେ ଏଭଳି ପରୀକ୍ଷା କେନ୍ଦ୍ର କରିବା ଏବଂ ନୂତନ ପରୀକ୍ଷା ପ୍ରଣାଳୀର ମଡେଲ୍‌ ଫର୍ମାଟ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଠିକ୍ ଭାବେ ଅବଗତ କରା ନ ଯିବା ବିପିୟୁଟିକୁ ସନ୍ଦେହଘେରକୁ ଆଣୁଛି। କରୋନା ସମୟରେ ଛାତ୍ରଛାତ୍ରୀ କଲେଜ ହଷ୍ଟେଲ ଛାଡ଼ି ଘରକୁ ଆସିଥିବାରୁ ସେମାନଙ୍କ ପାଖରେ ପାଠ୍ୟପୁସ୍ତକ ଉପଲବ୍ଧ ନାହିଁ। ଏଭଳି ପରିସ୍ଥିତିରେ ନୂଆ ପ୍ରଣାଳୀରେ ଖୋଲା ବହି ପରୀକ୍ଷା (ଓପନ୍‌ ବୁକ୍‌ ଟେଷ୍ଟ) ହାସ୍ୟାସ୍ପଦ ବିଷୟ। କମ୍ପେଟ୍‌ ଏଜୁଟେକ୍‌ ନାମକ ସଂସ୍ଥା(ଯାହାକି ପୂର୍ବରୁ ଗ୍ଲୋବ ଏରିନା ନାମରେ ଥିଲା)କୁ ପରୀକ୍ଷା ପରିଚାଳନା ପାଇଁ ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ସଂସ୍ଥା ସମ୍ପର୍କରେ ବିପିୟୁଟି ଅଧିକ ତର୍ଜମା କରିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଓ ବିପିୟୁଟି କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନ ରଖି କିଭଳି ସେମାନଙ୍କ ଭବିଷ୍ୟତକୁ ଆଗାମୀ ଦିନରେ ସଠିକ ଦିଗରେ ନିଆଯାଇପାରିବ, ସେ ବିଷୟରେ ଚିନ୍ତା କରନ୍ତୁ।

ହରିୟାଣା, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସରକାରଙ୍କ ସମେତ ଆଇଆଇଟି, ଏନ୍‌ଆଇଟି ଭଳି ସଂସ୍ଥା ନର୍ମାଲାଇଜେସନ୍‌ ପ୍ରଣାଳୀ ଆପଣାଇଛନ୍ତି। ଏ ସବୁକୁ ଦୃଷ୍ଟିରେ ରଖି ବିପିୟୁଟି ନିଜର ପରୀକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟ କରୁ। ଯଦି ବିପିୟୁଟି ପରୀକ୍ଷା ପ୍ରଣାଳୀରେ ପରିବର୍ତନ ନ ଆଣେ, ତେବେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେପି ଯୁବମୋର୍ଚ୍ଚା ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରିବ। ଏହି ସମ୍ମିଳନୀରେ ଯୁବମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, କଟକ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭକ୍ତବତ୍ସଳ ବସ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର