ବିଏମ୍‌ସି ହସ୍ପିଟାଲ ଓଟି ଖୋଲିଲା, ଯୋଗଦେଲେ ଠିକା ଡାକ୍ତର

ପୁରୁଣା ଭୁବନେଶ୍ୱର : ନିଶ୍ଚେତକ ଡାକ୍ତର ଛୁଟିରେ ଯିବା ପରେ ବିଏମ୍‌ସି ହସ୍ପିଟାଲରେ ଦେଖା ଦେଇଥିବା ଅଚଳାବସ୍ଥାର ସମାଧାନ ହୋଇଛି। ଏଣିକି ଏନଏଚଆରଏମ ଅଧୀନରେ ଥିବା ନିଶ୍ଚେତକ ଡାକ୍ତର ହସ୍ପିଟାଲକୁ ଅସ୍ତ୍ରୋପଚାର ସମୟରେ ଆସିବେ। ଏଥିପାଇଁ ସେମାନଙ୍କୁ ପ୍ରତି ଅସ୍ତ୍ରୋପଚାର ପିଛା ୧୫ଶହ ଟଙ୍କା ପ୍ରଦାନ କରାଯିବ। ଏନଏଚଆରଏମର ଜନନୀ ସୁରକ୍ଷା କାର୍ଯ୍ୟକ୍ରମରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଗଣେଶ ପ୍ରସାଦ ଦାଶ ସୂଚନା ଦେଇଛନ୍ତି। ନିଶ୍ଚେତକ ଡାକ୍ତର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି‌ରେ ଯିବାରୁ ଗତ ୫ ଦିନ ଧରି ବିଏମ୍‌ସି ହସ୍ପିଟାଲ ଓଟି ବନ୍ଦ ରହିଥିଲା। ଅସ୍ଥାୟୀ ଠିକା ନିଶ୍ଚେତକ ଡାକ୍ତର ଆଜି ଯୋଗ ଦେବା ପରେ ୫ଟି ଅସ୍ତ୍ରୋପଚାର କରାଯାଇଛି।

ପ୍ରକାଶ ଯେ, ହସ୍ପିଟାଲରେ ବହୁ ବିଭାଗ ବନ୍ଦ ହୋଇଥିବା ବେଳେ ସର୍ଜରି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ବିଭିନ୍ନ ଅପରେସନ୍‌ ହେଉଥିଲା। ମାତ୍ର ଗତ ୧୯ତାରିଖରୁ ନିଶ୍ଚେତକ ଡାକ୍ତର ଛୁଟିରେ ରହିଥିଲେ। ତେବେ ସେ କେବେ କାର୍ଯ୍ୟରେ ଯୋଗ ଦେବେ ତାହା ସଠିକ୍‌ ଭାବେ କହିନଥିଲେ। ଫଳରେ ସେହି ଦିନଠାରୁ ଓଟି ବନ୍ଦ ହୋଇ ଯାଇଥିଲା। ଅନ୍ୟପଟେ ଅସ୍ତ୍ରୋପଚାର ଗୃହ (ଓଟି)ରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନାହିଁ। ଓଟି ରୁମ୍‌ର ଟେବୁଲ ଭାଙ୍ଗିଯାଇଛି। ଏହା ପରିବର୍ତ୍ତନ ପାଇଁ ଚିକିତ୍ସାଳୟ ସୁରକ୍ଷା କମିଟି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର