ସହରବାସୀଙ୍କୁ ସ୍ବାସ୍ଥ୍ୟ ସେବା ଏମିତି : ଉଦ୍‌ଘାଟନ ପରେ ତାଲା

୫ ମାସ ହେଲା କାର୍ଯ୍ୟକ୍ଷମ ‌ହୋଇପାରୁନି ପଟିଆ ହସ୍ପିଟାଲ, ତୁରନ୍ତ ଖୋଲିବାକୁ ଦାବି କଲେ ଅଞ୍ଚଳବାସୀ

ଚନ୍ଦ୍ରଶେଖରପୁର : ହସ୍ପିଟାଲ ଉଦ୍‌ଘାଟନକୁ ୫ ମାସ ବିତିଲାଣି। ତଥାପି ମୁଖ୍ୟ ଫାଟକରୁ ତାଲା ଖୋଲାଯାଇପାରୁନି। ଏହା କୌଣସି ଉପାନ୍ତ କି ଗ୍ରାମାଞ୍ଚଳର ଦୃଶ୍ୟ ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳୁଛି ଏଭଳି ବିଚିତ୍ର ଚିତ୍ର। ୫କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ପଟିଆ ହସ୍ପିଟାଲ ନିର୍ମାଣ ହୋଇଛି ସିନା ହେଲେ ଏପର୍ଯ୍ୟନ୍ତ ପାଣି କିମ୍ବା ବିଜୁଳି ସ˚ଯୋଗ ହୋଇପାରିନି। କେବେ ସ˚ଯୋଗ ହେବ? କେବେ କାର୍ଯ୍ୟକ୍ଷମ ହେବ? କେବେ ଡାକ୍ତର ଆସିବେ? କେବେ ରୋଗୀ ସେବା ଆରମ୍ଭ କରାଯିବ? ସେନେଇ କାହା ପାଖରେ ଉତ୍ତର ନାହିଁ।

ରାଜଧାନୀ ଉପକଣ୍ଠ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି। କେତେବେଳେ ପୁରୁଣା ହସ୍ପିଟାଲର ପୁନରୁଦ୍ଧାର କରାଯାଇଛି ତ ଆଉ କେତେବେଳେ ଡାକ୍ତର ପଦବି ପୂରଣ ଲାଗି ପ୍ରତିଶ୍ରୁତି ମିଳୁଛି। ତେବେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଏହି ହସ୍ପିଟାଲ ବିଲଡି˚କୁ ଦେଖିଲେ ସ୍ପଷ୍ଟ ଅନୁମେୟ। ଉତ୍ତର ଭୁବନେଶ୍ବର ଅଧୀନରେ ଥିବା ୫ ପଞ୍ଚାୟତର ଗ୍ରାମବାସୀଙ୍କ ସମେତ ପଟିଆ, ଡମଣା, ପଦ୍ମକେଶରୀପୁର, ରୋକୋଟ, ଇଞ୍ଜଣା ଆଦି ଲୋକଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ୧୯୭୪ ମସିହାରେ ପଟିଆ ଅଞ୍ଚଳରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଥିଲା। ତେବେ ସରକାରଙ୍କ ଆନ୍ତରିକତାର ଅଭାବ ହେଉ ଅଥବା ଅନ୍ୟ କୌଣସି କାରଣ ପାଇଁ ହସ୍ପିଟାଲର ବିକାଶ ହୋଇପାରି ନଥିଲା। ପ୍ରାଥମିକରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଏହା ସହାୟକ ହୋଇପାରିଲା ନାହିଁ।

ତେବେ ୨୦୧୫ରେ ବିଜେଡି ସରକାରର ଚତୁର୍ଥ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭ ଦୃଷ୍ଟି ପଡ଼ିଥିଲା। ଏହାକୁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ସହ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରିବା ଲାଗ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ହସ୍ପିଟାଲ କୋଠା ନିର୍ମାଣ କରାଗଲା। ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ସରିଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଗତ ଫେବ୍ରୁଆରି ମାସରେ ଉଦ୍‌ଘାଟନ କରାଗଲା। ଖୋଦ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ହସ୍ପିଟାଲର ଫଳକ ଉଦ୍‌ଘାଟନ କରିଥିଲେ। ଇତି ମଧ୍ୟରେ ୫ ମାସ ବିତିଗଲାଣି। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲେଣି ନବୀନ ପଟ୍ଟନାୟକ। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି ଏହି ହସ୍ପିଟାଲ।

ସେପଟେ କାର୍ଯ୍ୟକ୍ଷମ ହେଉ ନଥିବାରୁ ହସ୍ପିଟାଲ ପରିସର ଏବେ ଅସାମାଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ପ୍ରତିଦିନ ସନ୍ଧ୍ୟାରେ ମଦ୍ୟପଙ୍କ ଭିଡ଼ ଜମୁଛି। ସ୍ଥିତି ଏମିତି ହେଉଛି ଯେ ଏହି ରାସ୍ତା ଦେଇ ସନ୍ଧ୍ୟା ହେଲେ ଲୋକେ ଯିବାକୁ ଭୟ କଲେଣି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଯେ ଭୋଟ ହାତେଇବା ପାଇଁ ତରବରିଆ ଭାବେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଯାହାକି ଏବେ ଭୂତକୋଠି ପାଲଟିଛି। ଏଠାକାର ଲୋକେ ଚିକିତ୍ସା ପାଇଁ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି।

ହସ୍ପିଟାଲ କାର୍ଯ୍ୟକ୍ଷମରେ ବିଳମ୍ବ ନେଇ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆଗରୁ କ’ଣ ହୋଇଥିଲା ସେନେଇ ଜାଣି ନାହାନ୍ତି। ତେବେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ହସ୍ପିଟାଲ କାର୍ଯ୍ୟକ୍ଷମ ବିଳମ୍ବ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ମୋତେ ଅବଗତ କରାଇଛନ୍ତି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ତୁରନ୍ତ କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦେବି।

ସମ୍ବନ୍ଧିତ ଖବର