‘ଭଲ ନା‌ଟକ ଲୋକେ ଟଙ୍କା ଦେଇ ଦେଖିବେ’

ଭୁବନେଶ୍ବର: ‘ଶବ୍ଦରଙ୍ଗ’ ପକ୍ଷରୁ ମେ’୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ‘ଶବ୍ଦରଙ୍ଗ ନାଟ୍ୟତ୍ସୋବ-୨୦୨୩’ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠାନ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଏହାର ଲୋଗୋ ଓ ପୋଷ୍ଟର ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମ‌ରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଯୋଗଦେଇ କହିଲେ, ଅଭିନେତା ହିସାବରେ ମୋତେ ଲୋକ ଜାଣିଲେ ମଧ୍ୟ ମୋର ମୂଳ ପିଣ୍ଡ ହେଉଛି ନାଟକ। ଗୋଟିଏ ସମୟରେ ନାଟକକୁ ଲୋ‌କେ ଟଙ୍କା ଦେଇ ଦେଖିବାକୁ ଆସୁଥିଲେ।

ପରେ ନାଟକ ସଂସ୍ଥା ସବୁ ବନ୍ଦ ହୋଇ ‌‘ସୌଖିନ୍‌’ ନାଟକର ଯୁଗ ଆରମ୍ଭ ହେଲା। ହେଲେ ‘ଆହେ ନୀଳଶଇଳ’ ନାଟକ ପରେ ଏହା ସ୍ପଷ୍ଟ ହୋଇଛି ଯେ, ‌ଭଲ ନା‌ଟକ ମଞ୍ଚସ୍ଥ ହେଲେ ଲୋକେ ଟଙ୍କା ଦେଇ ଧାଡ଼ି ବା‌ନ୍ଧି ଦେଖିବେ। ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ବହୁ ପ୍ରତିଷ୍ଠିତ କଳାକାର, ନିର୍ଦ୍ଦେଶକ, ଅଭିନେତା ଥାଇ ମଧ୍ୟ ସମସ୍ତଙ୍କ ମଧ୍ୟରେ ସଠିକ ସଂଯୋଗ ହୋଇ ପାରୁନଥିବାରୁ ଏହା ସଫଳ ହୋଇପାରୁ ନଥିଲା। ଟଙ୍କା ନେଇ ବିଭିନ୍ନ ସଂସ୍ଥା ଭଲ ନାଟକ କଲେ ଦର୍ଶକ ଟଙ୍କା ଦେଇ ନାଟକ ଦେଖିବେ। ଅନୁଷ୍ଠାନର ସଭାପତି ଗୌରହରି ଦାସ ସ୍ବାଗତ ଭାଷଣ ଦେଇ କହିଥିଲେ, ଓଡ଼ିଶାରେ ଭଲ ପ୍ରେକ୍ଷାଳୟ ନା‌ହିଁ। ତେଣୁ ବଡ଼ ସ୍ବପ୍ନ ଦେଖିବା ଓ ତାକୁ ସ‌ାକାର କରିବାକୁ ବଡ଼ ପ୍ରେକ୍ଷାଳୟର ଆବଶ୍ୟକତା ରହିଛି। ସେହିପରି ସଂସ୍କୃତି ବିଭାଗ ପକ୍ଷରୁ ନାଟକ ପରିବେଷଣ ପାଇଁ ମାତ୍ର ୨୫ ହଜାର ଟଙ୍କାର ସହାୟତା ମିଳୁଛି। ଯାହାକୁ ବଢ଼ା‌ଯାଇ ଏକ ଲକ୍ଷ ଟଙ୍କା କରିବାର ଆବଶ୍ୟକତା‌ ରହିଛି।

‘ଶବ୍ଦରଙ୍ଗ’ ନାଟକ ଉତ୍ସବର ଲୋଗୋ, ପୋଷ୍ଟର ଉନ୍ମୋଚିତ
ମେ’୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ଶବ୍ଦରଙ୍ଗ ନାଟ୍ୟତ୍ସୋବ-୨୦୨୩’

କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ସୁବୋଧ ପଟ୍ଟନାୟକ ସୂଚନା ଦେଇ କହିଥିଲେ, ଭଲ ଓ ଉଚ୍ଚମାନର ଓଡ଼ିଆ ନାଟକ ମଞ୍ଚସ୍ଥ କରି ଦର୍ଶକମାନଙ୍କୁ ଟିକେଟ କାଟି ନାଟକ ଦେଖିବାକୁ ଉତ୍ସାହିତ କରିବାର ଲକ୍ଷ୍ୟ ନେଇ ଶବ୍ଦରଙ୍ଗ ସଂଗଠନ ଏହି ଉତ୍ସବ ଆୟୋଜନ କରୁଛି। ଚଳିତ ବର୍ଷ ଏହି ଉତ୍ସବରେ ତିନୋଟି ନାଟକ ମଞ୍ଚସ୍ଥ ହେବ। ୧୧ ତାରିଖ ସନ୍ଧ୍ୟାରେ ‘ଆଷାଢ଼ରେ ଦିନେ’ ମଞ୍ଚସ୍ଥ ହେବ। ପ୍ରସିଦ୍ଧ ନାଟ୍ୟକାର ମୋହନ ରାକେଶଙ୍କ ନାଟକକୁ ରତ୍ନମାଳା ସ୍ବାଇଁଙ୍କ ଦ୍ୱାରା ନାଟ୍ୟାନୁବାଦ କରାଯାଇଛି।

୧୨ ତାରିଖ ସଂଧ୍ୟାରେ ଗାଳ୍ପିକ ମନୋଜ ଦାସଙ୍କ ‘ଆବୁ ପୁରୁଷ’ ଉପରେ ଆଧାରିତ ସୁବୋଧ ପଟ୍ଟନାୟକଙ୍କ ନାଟ୍ୟରୂପ ‘ଆବୁ’ ମଞ୍ଚସ୍ଥ ହେବାକୁ ଥିବା ବେଳେ, ୧୩ ତାରିଖ ସଂଧ୍ୟାରେ ଗୌରହରି ଦାସଙ୍କ ରଚିତ ନାଟକ ‘ଆମ ଘରର ନକ୍ସା’ ପରିବେଷିତ ହେବ। ଏହି ନାଟକ ଗୁଡ଼ିକୁ ଓଡ଼ିଶାର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକମାନେ ନିର୍ଦ୍ଦେଶନା ଦେଉଥିବାବେଳେ ସିନେମା, ଧାରାବାହିକ ଓ ମଞ୍ଚ ଅଭିନୟ କ୍ଷେତ୍ରରେ ଅଭିଜ୍ଞତା ଅର୍ଜନ କରିଥିବା କଳାକାରମାନେ ଅଭିନୟ କରିବେ। ଏହି ଉତ୍ସବ ପାଇଁ ଟିକେଟ୍ ‘ବୁକ୍ ମାଇଁ ସୋ’ ଓ ଅଲ୍ ଇଭେଣ୍ଟ୍‌ସ.ଇନ୍‌ରେ ଉପଲବ୍ଧ ହେବ। ନାଟକ ଦିନ ସଂଧ୍ୟାରେ ପ୍ରେକ୍ଷାଳୟ ସମ୍ମୁଖରୁ ଟିକେଟ କିଣି ମଧ୍ୟ ଦର୍ଶକ ନାଟକ ଦେଖି ପାରିବେ। କାର୍ଯ୍ୟକ୍ରମରେ ସମ୍ପାଦକ ଅଭିନ୍ନ ରାଉତରାୟ, ନାଟ୍ୟ ନିର୍ଦ୍ଦେଶକ ଶ୍ରୀମନ ମିଶ୍ର, ଉପ ସଭାପତି ଦର୍ପନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କୋଷାଧ୍ୟକ୍ଷା ରତ୍ନମାଳା ସ୍ବାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର