ଜଟଣୀରେ ପୀରବାବାଙ୍କ ଉର୍ଷ ଉତ୍ସବ

ଜଟଣୀ: ସ୍ଥାନୀୟ ହରିପୁରସ୍ଥିତ ପ୍ରସିଦ୍ଧ ସର୍ବଧର୍ମୀୟ ପୀରବାବା ହଜରତ୍‌ ଗୁଦଡିସା ଆଲ୍ଲା ରେହେମତୁଲ୍ଲାହୀ ବର୍‌କାତୁହୁଙ୍କ ୩୯ତମ ବାର୍ଷିକୋତ୍ସବ ସମାହିତ ହୋଇଯାଇଛି। ପୀରବାବାଙ୍କ କାଦିମ୍‌ଦାର ସେକ୍ ନିୟାଜ ଓରଫ୍‌ ଚାନ୍ଦ୍‌ଭାଇଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ରୁଦ୍ର ମହାରଥୀ, ବିଜେଡି ନେତା ସନ୍ତୋଷ ଜେନା ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ କୁରାନ୍‌ଖାନି ଏବଂ ଅପରାହ୍ଣ ସାଢ଼େ ୪ଟାଠାରୁ ଚାଦରଚଢ଼ା ଏବଂ ସଂଧ୍ୟା ସାଢେ଼ ୬ଟାରୁ ଜଲ୍‌ସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତକରିର୍‌, କୁରାନ୍‌ ପାଠ, ସଲାମ୍‌ ପାଠ, ଚାଦରପୋଷୀ ଆଦି କାର୍ଯ୍ୟକ୍ରମ ଚାଲିଥିଲା। ଏଥର କାର୍ଯ୍ୟକ୍ରମରେ ରାଜ୍ୟ ବାହାରୁ ୬ ଜଣ ମୈାଲବୀ ଯୋଗଦେଇଥିବା ବେଳେ କୋଲକାତା, ହାଇଦ୍ରାବାଦ, ଆନ୍ଧ୍ରପ୍ରଦେଶ, ବିଶାଖାପାଟଣା, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ହଜରତ୍‌ ଗୁଦଡିସା ବାବା ଉର୍ଷ କମିଟି ପରିଚାଳନା କରିଥିବା ବେଳେ ନିକଟସ୍ଥ ଗ୍ରାମବାସୀମାନେ ସହଯୋଗ କରିଥିଲେ। ଉର୍ଷ କମିଟିର ସଭାପତି ସେକ୍ ଦିଲ‌୍ଦାର ମହମ୍ମଦ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର