ଭୁବନେଶ୍ବରରେ ଯୁକ୍ତ୨ ପରୀକ୍ଷା ଫଳ, ରେକର୍ଡ ପାସ୍‌ହାର

ଭୁବ‌ନେଶ୍ବର: ବିଜ୍ଞାନ ଓ ବାଣିଜ୍ୟ ପରି ଯୁକ୍ତ୨ କଳାରେ ଭୁବନେଶ୍ବରର ନାମକରା କଲେଜଗୁଡ଼ିକ ଏଥର ଉନ୍ନତ ପ୍ରଦର୍ଶନ କରିଛନ୍ତି। କଳା ବିଭାଗରେ ସହରର ୪୦ରୁ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି। ବିଜେବି ଜୁନିଅର କଲେଜର ଅଧିକାଂଶ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୩୦ରୁ ଅଧିକ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। କେବଳ ବିଜେବି ନୁହେଁ, ସହରରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ କଲେଜ ଗତବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ହାତଗଣତି ଅଳ୍ପ କିଛି ଛାତ୍ରଛାତ୍ରୀଙ୍କୁ ଛାଡ଼ିଦେଲେ ଅଧିକାଂଶ ୫୦%ରୁ ଅଧିକ ମାର୍କ ରଖିବାକୁ ସମର୍ଥ ହୋଇଛନ୍ତି। ମାଟ୍ରିକ୍‌ରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀ ଭୁବନେଶ୍ବରରେ ପଢ଼ୁଥିବାରୁ ଯୁକ୍ତ୨ କଳା ବିଭାଗରେ ଏଭଳି ପରୀକ୍ଷା ଫଳ ଦେଖିବାକୁ ମିଳିଛି।

ଯୁକ୍ତ୨ କଳାରେ ନାମଲେଖା ବେଳେ ଅଧିକ କଟ୍‌ ଅଫ୍‌ ମାର୍କ ରହୁଥିବା ବିଜେବି, ରମାଦେବୀ, ରାଜଧାନୀ, ମହର୍ଷି, ଏକାମ୍ର, ଦେବରାୟ ଓ ବିଜୁ ପଟ୍ଟନାୟକ ପରି କଲେଜର ପରୀକ୍ଷା ଫଳ ଉନ୍ନତ ହୋଇଛି। ଗତ ୫ ବର୍ଷର ହିସାବକୁ ଦେଖିଲେ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ବହୁ ପରିମାଣରେ ବୃଦ୍ଧି ପାଇଥିବା ଜଣାପଡ଼ୁଛି। ୨୦୧୬ରେ ଭୁବନେଶ୍ବରର ଯେତିକି ସଂଖ୍ୟକ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖି ପାସ୍‌ କରୁଥିଲେ ଚଳିତବର୍ଷ ତାହା ବହୁ ପରିମାଣରେ ବଢ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଭୁବନେଶ୍ବରରେ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ସିବିଏସ୍‌ଇ ଛାତ୍ରଛାତ୍ରୀ। ସିବିଏସ୍‌ଇ ବୋର୍ଡ ଅଧୀନରେ ଦଶମ ଶ୍ରେଣୀ ପାସ୍‌ କରିବା ପରେ ପିଲାମାନେ ଓଡ଼ିଆ ବୋର୍ଡ ଅଧୀନକୁ ଆସୁଛନ୍ତି। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କଳା, ବିଜ୍ଞାନ, ବାଣିଜ୍ୟରେ ପଢ଼ୁଛନ୍ତି। ବିଜ୍ଞାନ, ବାଣିଜ୍ୟ ପରି କଳା ବିଭାଗରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଲା। ସିବିଏସ୍‌ଇ ବୋର୍ଡରୁ ପିଲା ଆସିଥିବାରୁ ବିକଳ୍ପ ମୂଲ୍ୟାୟନ ବେଳେ ସେମାନଙ୍କର ଅଧିକ ନମ୍ବର ରହିଛି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜାଣିବା ଦିଗରେ ସହରର କଲେଜ ଅଧ୍ୟକ୍ଷମାନେ ଏଥର ବି ଗୁରୁତ୍ବ ଦେଇନାହାନ୍ତି। ଅପରାହ୍ନ ୧ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍‌ସର ଇ-ସ୍ପେସ୍‌କୁ ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯାଇଥିଲା। ତେବେ ରାତି ୧୦ଟା ସୁଦ୍ଧା ଅଧିକାଂଶ କଲେଜ ଅଧ୍ୟକ୍ଷ ସେମାନଙ୍କ ପିଲାଙ୍କ ରେଜଲ୍ଟ ସମ୍ପର୍କରେ ଜାଣି ନ ଥିବା ‘ସମ୍ବାଦ’କୁ କହିଛନ୍ତି। ବିଜେବି ଜୁନିଅର କଲେଜ, ରମାଦେବୀ ମହିଳା ମହାବିଦ୍ୟାଳୟ, ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, ରାଜଧାନୀ କଲେଜ, ବେସିକ୍‌ ସାଇନ୍ସ କଲେଜ, ସିଟି ଓମେନ୍ସ କଲେଜ, ମହର୍ଷି ମହିଳା ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରୁ ସେମାନଙ୍କ ପାଖରେ ପରୀକ୍ଷା ଫଳ ସମ୍ପର୍କରେ ତଥ୍ୟ ନ ଥିବା କହିଛନ୍ତି।

ସତ୍ୟସାଇ ମହିଳା ମହାବିଦ୍ୟାଳୟ
ଯୁକ୍ତ୨ କଳାରେ ସତ୍ୟସାଇ ମହିଳା ମହାବିଦ୍ୟାଳୟର ୧୮୭ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୯ ଜଣ ପାସ୍‌ କରିଛନ୍ତି। ଅର୍ଣ୍ଣିମା ମାରାଣ୍ଡି ୪୮୭ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ହୋଇଛନ୍ତି। ୨୬ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୦ ଜଣ ଦ୍ବିତୀୟ ଓ ୮୩ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷା ମାନସୀ ବସ୍ତିଆ ସମସ୍ତ କୃତୀ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
କମଳା ନେହରୁ ମହିଳା ମହାବିଦ୍ୟାଳୟ
କଳା ବିଭାଗରେ ପରୀକ୍ଷା ଦେବା ଲାଗି ୨୪୫ ଜଣ ଛାତ୍ରୀ ଫର୍ମପୂରଣ କରିଥିଲେ। ବିକଳ୍ପ ପଦ୍ଧତିରେ ହୋଇଥିବା ମୂଲ୍ୟାୟନରେ ସେମାନଙ୍କ ମଧ୍ୟରୁ ୨୪୦ ଜଣ ପାସ୍ କରିଛନ୍ତି। ୯୨ ଜଣ ଛାତ୍ରୀ ପ୍ରଥମ, ୧୦୪ ଜଣ ଦ୍ବିତୀୟ , ୪୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସତ୍ୟଭାମା ଦେବୀ ମୂକବଧିର ମହାବିଦ୍ୟାଳୟ
ଯୁକ୍ତ୨ କଳାରେ ସମସ୍ତ ୧୦୫ ଜଣ ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ ପ୍ରଥମ, ୨୧ ଜଣ ଦ୍ବିତୀୟ ଓ ୬୭ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ରୀ ସରିତା ପ୍ରଧାନ ୪୫୧, ବିଶ୍ବଜିତ୍‌ ରାୟ ୪୪୫, ମାନସ କହଁର ୪୪୪, ରାଜେଶ ସାହୁ ୪୪୧ ଓ ଉମାଶଙ୍କର ଠାକୁର ୪୩୯ ନମ୍ବର ରଖିଛନ୍ତି। ବିଦ୍ୟାଳୟ ପରିଚାଳିତ ସମିତିର ମ୍ୟାନେଜିଂ ଟ୍ରଷ୍ଟି ନିରୋଜାଲକ୍ଷ୍ମୀ ମହାପାତ୍ର କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର