ପ୍ରେମ୍ ଆନନ୍ଦ ଗଜଲ ସଂଧ୍ୟା ୨୦୨୨: ‘ମୋ ସାମନା ଘର ଝିଅ ମୋତେ ଭାରି ଭଲ ଲାଗୁଥିଲା…

ଭୁବନେଶ୍ବର: ବୁଝାଇଲେ ବୁଝୁ ନାହିଁ, ମନାଇଲେ ମାନୁ ନାହିଁ ଏ କେମିତିକା ହୃଦୟ…, ଏମିତି କେତେ ଦିନ ମତେ ଭୁଲ ବୁଝିବ…, ମୋ ସାମ୍ନା ଘର ଝିଅ ମୋତେ ଭାରି ଭଲ ଲାଗୁଥିଲା…, ତମକୁ ଛାଡ଼ି ଏକା ବଞ୍ଚିବାଟା… ଭଳି ଗଜଲଧର୍ମୀ ଓଡ଼ିଆ ଗୀତ ଶୀତୁଆ ସଂଧ୍ୟାରେ ରୋମାଞ୍ଚ ଭରି ଦେଉଥିଲା। ଓଲିଉଡ୍‌ର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଜଣଙ୍କ ପରେ ଜଣେ ମଞ୍ଚ ଉପରକୁ ଆସି ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଭେଟି ଦେଉଥିଲେ। ଅବସର ଥିଲା, ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ‘ପ୍ରେମ ଆନନ୍ଦ ଗଜଲ ସଂଧ୍ୟା ୨୦୨୨’ର। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଲିଖିତ ଓ ନିର୍ଦ୍ଦେଶିତ ୮ଟି ମନଛୁଆଁ ଗଜଲଧର୍ମୀ ସଂଗୀତ ଉପସ୍ଥିତ ଦର୍ଶକ ଓ ସଂଗୀତପ୍ରେମୀଙ୍କୁ ମନୋରଂଜନର ଭରପୂର୍‌ ଖୋରାକ୍‌ ଯୋଗାଇଥିଲା। କଣ୍ଠଶିଳ୍ପୀ ଶଶାଙ୍କ ଶେଖର, ବିଶ୍ବଜିତ୍ ମହାପାତ୍ର, ସୌରଭ ନାୟକ, ଅଭିଜିତ୍ ମିଶ୍ର, ସମୀକ୍ଷା ମିଶ୍ର, ଅରୋଶିଷ ପାଣି ଓ ଦୀପ୍ତିରେଖା ପାଢ଼ୀ ସଂଗୀତ ପରିବେଷଣ କରିଥିବା ବେଳେ ନିଜେ ପ୍ରେମ ଆନନ୍ଦ ହାରମୋନିୟମ୍‌ରେ କଣ୍ଠଶିଳ୍ପୀମାନଙ୍କୁ ସହଯୋଗ କରିଥିଲେ।

ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଭାରତ ମସଲାର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ପଣ୍ଡା, କବି ଶରତ କୁମାର ଦାଶ, ଟିମ୍ ଆଡ୍ ମାର୍କର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ ମିଡ଼ିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଲିସ ଏସିପି ବିଷ୍ଣୁ ପାତ୍ର, ସଂଗ୍ରାମ ମୁଦୁଲି, ଶୁଭାଶିଷ କର, କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ, ଗୀତା ଦାଶ, ପ୍ରଜ୍ଞା ହୋତାଙ୍କ ସମେତ ବହୁ ବିଶିଷ୍ଟ ସଂଗୀତଜ୍ଞ ଉପସ୍ଥିତ ଥିଲେ। ପ୍ରେମ୍ ଆନନ୍ଦ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ। ବିଶିଷ୍ଟ ଗୀତିକାର ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର