ଖୋଲିପାରୁନି ମହୁ ପ୍ରକ୍ରିୟାକରଣ କାରଖାନା, ସାଢ଼େ ତିନି ବର୍ଷ ହେଲା ଘୋଷଣାରେ ଅଟକିଛି

ଭୁବନେଶ୍ବର: ୨୦୧୬ ମସିହାରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଗଣ୍ଡମୁଣ୍ଡାଠାରେ ୧୭୪୫ ବର୍ଗଫୁଟ ଅଞ୍ଚଳରେ ‘ମହୁ ପ୍ରକ୍ରିୟାକରଣ କାରଖାନା’ ବସାଇବାର ଯୋଜନା ପ୍ରସ୍ତୁତ ହେଲା। ଏଥିପାଇଁ ୪୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହେଲା ଓ ଟେଣ୍ଡର୍‌ ଡକାଗଲା। କାମ ସରିବାକୁ ୬ ମାସ କଣ୍ଟ ରଖାଗଲା। କିନ୍ତୁ ଏହା ମଧ୍ୟରେ ତିନି ବର୍ଷ ବିତିଗଲାଣି। କାରଖାନା କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ମେସିନ୍ ବି ଆସି ନାହିଁ। ଯେଉଁ ଘରେ ମେସିନ୍ ପ୍ରତିଷ୍ଠା ହେବ, ସେହି ଘରର କାମ ବି ସମ୍ପୂର୍ଣ୍ଣ ହୋଇନି। ବିଭିନ୍ନ ସମୟରେ ବୋର୍ଡର ଅଧ୍ୟକ୍ଷ ଓ ଅଧିକାରୀମାନେ କାରଖାନା କଥା କହି ବାହାବା ନେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଆନ୍ତରିକତା ଅଭାବରୁ କାରଖାନା ପ୍ରତିଷ୍ଠା ଏ ଯାଏ ହୋଇପାରିନି।

ରାଜ୍ୟରେ ମହୁ ଉତ୍ପାଦନ ବଢ଼ାଇବା ତଥା ମହୁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାରୀସ୍ତରରେ ବହୁ ଯୋଜନା ପ୍ରସ୍ତୁତ ହୋଇଛି। ସରକାରଙ୍କ ପକ୍ଷରୁ ତାଲିମପ୍ରାପ୍ତ ୨୦ ଜଣିଆ ଦଳ ଜିଲ୍ଲାକୁ ଜିଲ୍ଲା ବୁଲି ଚାଷୀମାନଙ୍କୁ ମହୁ ଉତ୍ପାଦନ ଉପରେ ତାଲିମ୍‌ ପ୍ରଦାନ କରିବା ସହ ପ୍ରତ୍ୟେକ ଚାଷୀଙ୍କୁ ୫୦ପ୍ରତିଶତ ସବ୍‌ସିଡିରେ ୫ଟି ଲେଖାଏ ହନି ବାକ୍ସ, ଗୋଟିଏ ଧୂଆଁଯନ୍ତ୍ର ଓ ଏକ ମହୁ ସଂଗ୍ରହ ଯନ୍ତ୍ର ଯୋଗାଇ ଦେଲେ। ଏହାଦ୍ବାରା ୨୦୧୬ରୁ ୨୦୧୮ ମଧ୍ୟରେ ୯ଟି ଜିଲ୍ଲାରେ ୧୨୦୦ ମହୁଚ‌ାଷୀ ଉପକୃତ ହୋଇପାରିଲେ। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସିଧାସଳଖ ମହୁ ଚାଷୀଙ୍କଠାରୁ ମହୁ ସଂଗ୍ରହ କରି ଗତ ୩ ବର୍ଷରେ ୪୦ ଲକ୍ଷ ଟଙ୍କାର ଲାଭ ଉଠାଇ ପାରିଥିଲା। ରାଜ୍ୟର ଅନ୍ୟ ଜିଲ୍ଲାରେ ମହୁ ଚାଷ ନେଇ ଖଦି ବୋର୍ଡ ଏଭଳି ସଫଳତା ହାସଲ କରିପାରିଥିବା ବେଳେ ରାଜଧାନୀ ଭୁବନେଶ୍ବର ଏ କ୍ଷେତ୍ରରେ ବହୁ ପଛରେ ରହିଛି। ଗଣ୍ଡମୁଣ୍ଡାଠାରେ ୧୭୪୫ ବର୍ଗଫୁଟ ଅଞ୍ଚଳରେ ‘ମହୁ ପ୍ରକ୍ରିୟାକରଣ କାରଖାନା’ ବସାଇବା ପାଇଁ ବୋର୍ଡ ଯୋଜନା କରିଥିଲା। ୬ ମାସ ଭିତରେ ଭିତ୍ତିଭୂମି କାମ ଶେଷ କରି ମେସିନ୍ ସ୍ଥାପନ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଥିଲେ। ଯୋଜନା ଅନୁଯାୟୀ, ସିୱାରା ବି-ଫାର୍ମ ଉଦ୍ୟାନ, ପଞ୍ଜାବରୁ ଏହି ପ୍ରକ୍ରିୟାକରଣ ମେସିନ୍‌କୁ ମଗାଯିବ। ଏହାର ଦାମ୍‌ ପ୍ରାୟ ୧୫ଲକ୍ଷ ଟଙ୍କା। ପ୍ରତିଦିନ ଏଥିରୁ ୧୦୦ କିଲୋଗ୍ରାମ୍‌ ମହୁ ବିଶୁଦ୍ଧୀକରଣ ହୋଇ ବାହାରିବ ଓ ବର୍ଷକୁ ପ୍ରାୟ ୨୫୦ରୁ ୩୦୦ କ୍ବିଣ୍ଟାଲ ମହୁ ପ୍ରକ୍ରିୟାକରଣ ହୋଇପାରିବ। କିନ୍ତୁ କାରଖାନା କେବେ ସମ୍ପୂର୍ଣ୍ଣ ହେବ, ତା’ର ଠୋସ୍ ଉତ୍ତର କାହା ପାଖରେ ନାହିଁ। ମୁଖ୍ୟ କଥା ହେଉଛି, ଗଣ୍ଡମୁଣ୍ଡାଠାରେ କାରଖାନା ପାଇଁ ଚିହ୍ନଟ ଘର ବୋର୍ଡର ହସ୍ତଗତ ହୋଇପାରିନାହିଁ। ଫଳରେ ମହୁ ପ୍ରକ୍ରିୟାକରଣ କାରଖାନା ଖୋଲିବା ନେଇ ସାଧାରଣ‌ରେ ପ୍ରଶ୍ନବାଚୀ ହୋଇଛି।

ଏ ନେଇ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କୁ ‌ଯୋଗାଯୋଗ କରିବାରୁ ସେ କହିଲେ, କାରଖାନାର ଘର ନେଇ କିଛି ଅସୁବିଧା ଥିବାରୁ ଏହାକୁ ଠିକ୍‌ ଭାବେ ନିର୍ମାଣ କରି ବୋର୍ଡର ହସ୍ତଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଥରେ କାରଖାନା ଘର ଆମ ହାତକୁ ଆସିଗଲେ, ଏହାର ମାପରେ ମେସିନ୍‌ ତିଆରି କରି ସ୍ଥାପନ କରାଯିବ। ଆଉ ମାତ୍ର ୨ ମାସ ଭିତରେ କାରଖାନା ଖୋଲିଯିବ ବୋଲି ଶ୍ରୀ ପାଇକରାୟ କହିଛନ୍ତି।

ସମ୍ବନ୍ଧିତ ଖବର