ସପ୍ଲିମେଣ୍ଟାରି ତାଲିକା ପ୍ରକାଶ ଦାବିରେ ବିକ୍ଷୋଭ

ଭୁବନେଶ୍ବର : ୨୦୧୩ ବ୍ୟାଚ୍‌ ‘କମ୍ବାଇନ୍‌ ପୁଲିସ ସର୍ଭିସ ପରୀକ୍ଷା’ର ସପ୍ଲିମେଣ୍ଟାରି ତାଲିକା ପ୍ରକାଶ କରିବା ଦାବିରେ ଆଜି ଆଶାୟୀ  ପ୍ରାର୍ଥୀ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଆଶାୟୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ  ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଦାବିନେଇ ସ୍ଳୋଗାନ୍‌ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆଶାୟୀମାନେ କହିଛନ୍ତି,  ପୁଲିସ ବିଭାଗରେ ଖାଲି ପଡ଼ିଥିବା ୮୪୪ ପଦବି ପୂରଣ ପାଇଁ ୨୦୧୩ ଡିସେମ୍ବର ୫ରେ ଓଏସ୍‌ଏସ୍‌ସି ‘କମ୍ବାଇନ୍‌ ପୁଲିସ ସର୍ଭିସ’ ନୋଟିଫିକେସନ୍‌ ଜାରି କରିଥିଲା। ପାଖାପାଖି ବର୍ଷକ ପରେ ଅର୍ଥାତ ୭ ଡିସେମ୍ବର ୨୦୧୬ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଶହେରୁ ଊର୍ଧ୍ବ ପ୍ରାର୍ଥୀ ଚାକିରିରେ ଯୋଗଦେଇ ନଥିଲେ। ନିୟମ ଅନୁଯାୟୀ ବର୍ଷକ ମଧ୍ୟରେ ଏକ ସପ୍ଲିମେଣ୍ଟାରି ତାଲିକା ପ୍ରକାଶ କରି ଖାଲିପଡ଼ିଥିବା ପଦବିରେ ନିଯୁକ୍ତି ଦେବା କଥା। ହେଲେ  ଇତି ମଧ୍ୟରେ ୨ବର୍ଷ ବିତିଯାଇ ଥିଲେ ବି  କୌଣସି ପଦକ୍ଷେପ ନିଆଯାଉ ନାହିଁ। ସରକାର ଦାବି ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଆଶାୟୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର