ପାଣି ପାଇଁ ବାଲ୍‌ତି, ଗରା ଧରି ଧାରଣା

ଭୁବନେଶ୍ୱର : ଖରା ଦିନ ଆରମ୍ଭ ହେଉ ନ ହେଉଣୁ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ପାଣି ପାଇଁ ହାହାକାର ଅବସ୍ଥା ଦେଖାଗଲାଣି। ତେଣୁ ଗୁରୁବାର ପୁରୁଣା ଭୁବନେଶ୍ୱରର ବହୁ ଅଧିବାସୀ ଗରା, ବାଲ୍‌ତି ଓ ମାଠିଆ ଧରି ବଢ଼େଇବାଙ୍କ ଛକ ନିକଟରେ ଧାରଣାରେ ବସିଥିଲେ। ପରେ ସେମାନେ ପୁରୁଣା ଭୁବନେଶ୍ୱରସ୍ଥିତ ୱାଟ୍‌କୋ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇ ବିଭାଗୀୟ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ।

ଗୁରୁବାର ସକାଳୁ ସେବା ପ୍ରତିନିଧି ନୀଳମଣି ମିଶ୍ରଙ୍କ ନେତୃତ୍ବରେ ଶତାଧିକ ପୁରୁଣା ଭୁବନେଶ୍ୱର ବାସିନ୍ଦାମାନେ ବଢ଼େଇବାଙ୍କ ଛକ ନିକଟରେ ଏକାଠି ହୋଇଥିଲେ। ଗରାଏ ମାଠିଆ ଓ ବାଲ୍‌ତି ଧରି ଧାରଣାରେ ବସିଥିଲେ। ଦିନକୁ ଦୁଇ ଥର ଜଳ ଯୋଗାଣ କରିବାକୁ ଦାବି କରିଥିଲେ। ଦୀର୍ଘ ଦିନ ହେବ ଭାଙ୍ଗି ପଡ଼ିଥିବା ବୋର୍‌ୱେଲ୍‌ ଗୁଡିକୁ କାର୍ଯ୍ୟକ୍ଷମ କରିବା, ପାଣି କନେକ୍‌ସନ ନେଇଥିବା ରାସନ୍‌ କାର୍ଡଧାରୀଙ୍କ ଘରେ ମିଟର ନ ଲଗାଇବା, ଜନସାଧାରଣଙ୍କ ସ୍ୱାର୍ଥରେ ସମସ୍ତ ସାହିରେ ଜଳ କଳ ବସାଇବା ସହ ଖରାପ ଥିବା ପାଣି ଏଟିଏମ୍‌କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ଏହି ଧାରଣାରେ ଧୂଲେଶ୍ୱର ବେହେରା, ଦୀପାଞ୍ଜଳି ବେହେରା, ଶୁଭସ୍ମିତା ବେହେରା, ବାଇନ ଭୋଇ, ମଞ୍ଜୁ ଭୋଇ, ସିନି ଭୋଇ, ବଂଶୀଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର