ବାଲିପାଟଣା ବିଜେଡିର ଏମିତି ବିଜୁପ୍ରେମ! ଫୁଲମାଳଟିଏ ପାଇଲାନି ବିଜୁବାବୁଙ୍କ ପ୍ରତିମୂର୍ତ୍ତି

ବାଲିପାଟଣା : ଶୁକ୍ରବାର ରାଜ୍ୟ ସାରା ମହା ଧୂମ୍‌ଧାମ୍‌ରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ ପାଳନ ହୋଇଛି। ବାଲିପାଟଣା ବ୍ଲକରେ ବି ପାଳିତ ହୋଇଛି। ବାଜାବାଣ ରୋଶଣିରେ ଶୋଭାଯାତ୍ର କରି କମ୍ପମାନ କଲେ। ସଭା ସମିତି କରି ବିଜୁବାବୁଙ୍କ କୀର୍ତ୍ତି ବଖାଣିଲେ। ମାତ୍ର ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ଦେଲେନାହିଁ। ତେଣୁ ବାଲିପାଟଣା ବିଜେଡିର ଏଭଳି ଆଚରଣକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ସରଗରମ ଚର୍ଚ୍ଚା ହେଉଛି।

ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର କୁଳନ୍ତିରା ସାପ୍ତାହିକ ହାଟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରହିଛି। କିନ୍ତୁ କାଳକ୍ରମେ ଏହି ପ୍ରତିମୂର୍ତ୍ତି କଥାକୁ ଦଳୀୟ ନେତାମାନେ ଭୁଲି ଯାଇଛନ୍ତି। ମୂର୍ତ୍ତିଟି ଭାଙ୍ଗିରୁଜି ଯାଇଥିଲେ ବି ମରାମତି କରିବା ନାଁ ଧରାଯାଉନାହିଁ। ଆଜି ଜୟନ୍ତୀ ପାଳନ ଅବସରରେ ବି ଏହି ପ୍ରତିମୂର୍ତ୍ତି କଥା ସମସ୍ତେ ଭୁଲିଗଲେ। ବିଧାୟକ ଅରବିନ୍ଦ ଢାଲି ଓ ତାଙ୍କ ବିପକ୍ଷ ବ୍ଲକ ସଭାପତି ଗୋଷ୍ଠୀ ଆଜି ପୃଥକଭାବେ ଜୟନ୍ତୀ ପାଳନ କରିଥିଲେ ବି କୁଳନ୍ତିରା ହାଟସ୍ଥିତ ପ୍ରତିମୂର୍ତ୍ତିରେ କେହି ଫୁଲମାଳଟିଏ ଦେଇନାହାନ୍ତି। ତେଣୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହାକୁ ନେଇ ବିଜେଡିର ଦୁଇ ପକ୍ଷକୁ ସମାଲୋଚନା କରିଛନ୍ତି। ସେମାନଙ୍କ ବିଜୁ ପ୍ରେମ କେବଳ ଲୋକ ଦେଖାଣିଆ ଓ ନିଜ ସ୍ବାର୍ଥ ସମ୍ବଳିତ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର