ଦୁର୍ଦାନ୍ତ ରବି ରାଓର ହାଫ୍ ସେଞ୍ଚୁରି ମାମଲା : ଢ଼େଙ୍କାନାଳରୁ ଚେର ରାଜଧାନୀ

ବିଜେଡ଼ି ଯୁବନେତା ହତ୍ୟା ମାମଲାର ମୋଷ୍ଟ ୱ‌ାଣ୍ଟେଡ୍‌

ଖଣ୍ଡଗିରି : ରବିବାର ସନ୍ଧ୍ୟାରେ ସ୍ଥାନୀୟ ଭରତପୁର ଜିଏ ପ୍ଲଟ କଲୋନି ନିକଟରେ କମିସନରେଟ୍‌ ପୁଲିସ ଏନ୍‌କାଉଣ୍ଟରରେ ଆହତ ଦୁର୍ଦାନ୍ତ ରବି ରାଓ(୩୩)ର ଅପରାଧ ତାଲିକା ବେଶ୍ ଲମ୍ବା। ତା’ ନାଁରେ ପ୍ରାୟ ୫୦ରୁ ଅଧିକ ମାମଲା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲାଣି। ଏହି ତାଲିକା ଆହୁରି ଅଧିକ ହୋଇପାରେ ବୋଲି ପୁଲିସ ଆକଳନ କରିଛି। ଢ଼େଙ୍କାନାଳ ଜିଲ୍ଲା ବିଜେଡି ଯୁବନେତା ଯ‌ଶୋବନ୍ତ ପରିଡ଼ା ହତ୍ୟା ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଥିବା ରବି ଏକ ଅନ୍ତଃରାଜ୍ୟ ଦୁର୍ଦାନ୍ତ ଅପରାଧୀ ବୋଲି ପୁଲିସ କହିଛି। ଖୋର୍ଧା, ନୟାଗଡ଼, ଗଞ୍ଜାମ, କଟକ, ଢ଼େଙ୍କାନାଳ, ଅନୁ‌ଗୋଳ ଆଦି ଜିଲ୍ଲାରେ ଡକାୟତି, ଲୁଟ୍‌, ରାହାଜାନି, ଅପହରଣ ଭଳି ସବୁ ପ୍ରକାର ମାମଲା ତା’ ନାଁରେ ରହିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ରବି ପ୍ରାୟ ୨୦ଟି ମାମଲାରେ ପୂର୍ବରୁ ଜେଲ୍‌ ଯାଇଛି। ୨୦୧୫ ମସିହାରେ ସେ କମିସନରେଟ୍‌ ପୁଲିସ ଦ୍ବାରା ଗିରଫ ହୋଇ ଶେଷଥର ପାଇଁ ଜେଲ୍‌ ଯାଇଥିଲା। ତା’ ପରଠାରୁ ସେ ପ୍ରାୟ ୩୦ରୁ ଅଧିକ କାଣ୍ଡ କରି ସାରିଲାଣି। ହତ୍ୟାକାଣ୍ଡ ଭଳି ବଡ଼ ବଡ଼ ଜଘନ୍ୟ କାଣ୍ଡ ଘଟାଇଥିଲେ ବି ପୁଲିସକୁ ଚକ୍‌ମା ଦେଇ ଫେରାର୍ ରହିବାରେ ସେ ସଫଳ ହୋଇଥିଲା। ୨୦୧୮ ମାର୍ଚ୍ଚ ୨୬ରେ ଢ଼େଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ କାମାକ୍ଷାନଗର ଗାନ୍ଧୀ ମନ୍ଦିର ଛକରେ ହତ୍ୟା କରିବା ପରେ ବି ସେ ପୁଲିସ ପଞ୍ଝାରେ ପଡ଼ି ନଥିଲା। ସେହିଦିନଠାରୁ ସେ ଢେଙ୍କାନାଳ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲା। ଖାରବେଳନଗର ଥାନା ୟୁନିଟ୍‌-୩ ଶାନ୍ତିନଗର ବସ୍ତିରେ ପିଲାଟି ଦିନରୁ ଏକ ବିଗିଡ଼ା ପରିବାରରେ ବଢ଼ିଥିବା ରବି ନାବାଳକ ଅବସ୍ଥାରୁ ହିଁ ଅପରାଧ ଦୁନିଆରେ ପାଦ ରଖିଛି। ତା’ ମା କୌଣସି କାରଣରୁ ତାଳଚେର ଚାଲିଯିବା ପରେ ସେ ଅଧିକ କ୍ରୁର ହୋଇପଡ଼ିଥିଲା ଓ ବିଭିନ୍ନ ସଂଗିନ୍ ମାମଲା‌ରେ ସଂପୃକ୍ତ ହେଲା।

ଭୁବନେଶ୍ବରରୁ କାର୍ ଲୁଟ୍‌ କରି ସେ ଗଞ୍ଜେଇ ଚାଲାଣ କରିବା ଭଳି ଚୋରା କାରବାରେ ବି ଲିପ୍ତ ଥିବା ଜଣାପଡ଼ିଛି। ସେ ପ୍ରାୟ ୧୨ଟି ଦାମୀ କାର୍ ଲୁଟିଥିବା ତଦନ୍ତରୁ ଜଣାପଡ଼ିଛି। ଗତକାଲି ତା’ ନିକଟରୁ ଜବତ ହୋଇଥିବା ଇନୋଭାକୁ ସେ ଜୁନ୍ ୧୦ ତାରିଖରେ ସେ ଖଣ୍ଡଗିରି ଘାଟିକିଆ ରାସ୍ତାରୁ ଲୁଟିଥିଲା। ତେବେ ପାଖରେ କିଛି ପୁଞ୍ଜି ହୋଇଯିବା ପରେ ତାହାକୁ ବ୍ୟବସାୟରେ ବିନିଯୋଗ କରିବା ପାଇଁ ସେ ଢେଙ୍କାନାଳରେ କିଛି ବାଲିମାଫିଆଙ୍କ ସହ ମିଶିଥିଲା। ଏହି ବ୍ୟବସାୟକୁ ହାତେଇବା ପାଇଁ ସେ ହିଁ ଯଶୋବନ୍ତଙ୍କୁ ହତ୍ୟା କରିଥିଲା। ଯଶୋବନ୍ତଙ୍କୁ ହତ୍ୟା କରିବା ପରେ ସେ ଘଟଣାସ୍ଥଳରେ ଏକ ଏକ୍ସୟୁଭି ଗାଡ଼ି ଛାଡ଼ି ପଳାଇ ଆସିଥିଲା। ଏହି ହତ୍ୟାକାଣ୍ଡ ପରେ ତା’ ବାଲି ବ୍ୟବସାୟ ସ୍ବପ୍ନରେ ଭଟ୍ଟା ପଡ଼ିବାରୁ ସେ ରାଜଧାନୀରେ ଆତ୍ମଗୋପନ କରି ଲୁଟ୍‌କୁ ପେସା କରି ଦେଇଥିଲା। କିଛି ଜେଲ୍‌ ଫେରନ୍ତା ଆସାମୀମାନଙ୍କୁ ସଂଘଟିତ କରି ‌ସେ ଏକ ଟିମ୍‌ ଗଢ଼ିଥିଲା। ସମ୍ପ୍ରତି ଏନ୍‌କାଉଣ୍ଟରର ଶିକାର ହୋଇଥିବା ଅନ୍ୟ ୪ଅପରାଧୀମାନଙ୍କର ସେ ଥିଲା ରିଂ ଲିଡରଃ ବଡ଼ କଥା ହେଉଛି, ତା’ର କୌଣସି ନିର୍ଦ୍ଦିଷ୍ଟ ଠିକଣା ନଥିବାରୁ ପୁଲିସକୁ ସେ ବଡ଼ ସହଜରେ ଚକ୍‌ମା ଦେଇ ଖସି ଯାଉଥିଲା।

ସମ୍ବନ୍ଧିତ ଖବର