କରୋନା ସଂକଟ ବେଳେ ତୈଳ ଦରବୃଦ୍ଧି ଏକ ଶୋଷଣ

କରୋନା ସଂକଟ ଲାଗି ରହିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ବହୁ ଲୋକ ରୋଜଗାର ହରାଇଥିବା ବେଳେ ଅନେକ ସ୍ବଳ୍ପ ଦରମାରେ କାମ କରୁଛନ୍ତି। ଏଭଳି ସମୟରେ ତୈଳ ଦରବୃଦ୍ଧି ସୀମା ଟପିଗଲାଣି। ଏଥିଯୋଗୁଁ ଗାଡ଼ି ଥିବା ଲୋକେ ଯେତିକି ପ୍ରଭାବିତ, ଭଡ଼ା ଗାଡ଼ି ଉପରେ ନିର୍ଭର କରୁଥିବା ଲୋକେ ସେତିକି ଯନ୍ତ୍ରଣା ଭୋଗୁଛନ୍ତି। ତୈଳ ଦର ବୃଦ୍ଧି ପାଇଁ ଅନ୍ୟାନ୍ୟ ବହୁ ଜିନିଷର ଦର ବୃଦ୍ଧି ଘଟିଛି ଓ ସାଧାରଣ ଲୋକଙ୍କ ଜୀବନଯାତ୍ରା କଷ୍ଟକର ହୋ‌ଇ ପଡ଼ିଲାଣି। ଲକ୍‌ଡାଉନ୍‌ ହଟିବା ପରେ ଏହାର କୁପରିଣତି ବେଶି ଅନୁଭୂତ ହେବ। ମହାମାରୀ ସଂକଟ ବେଳେ ତୈଳ ଦରବୃଦ୍ଧି ଏକ ପ୍ରକାର ଶୋଷଣ ବୋଲି ବହୁ ଲୋକଙ୍କ ମତ। ସେହିଭଳି ଅନେକ ଏହାକୁ ଏକପ୍ରକାର ଲୁଟ୍‌ ବୋଲି ଅଭିହିତ କରୁଛନ୍ତି। ତେଣୁ ସରକାର ବିଚାର କରିବା ଉଚିତ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ କୌଣସି ପନ୍ଥା ନିର୍ଣ୍ଣୟ କରି ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଚିତ ବୋଲି ଅନେକ ମତ ଦିଅନ୍ତି। ତୈଳ ଦର ବୃଦ୍ଧିକୁ ନେଇ ରାଜଧାନୀବାସୀଙ୍କଠାରୁ ମିଳିଥିବା କିଛି ମତାମତକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା…

ନିମ୍ନ ମଧ୍ୟବିତ୍ତ ବହୁ ମାତ୍ରାରେ ପ୍ରଭାବିତ
ପେଟ୍ରୋଲ, ଡିଜେଲ୍‌ ଦର ବୃଦ୍ଧି ସବୁ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଉଛି। ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ବଢୁଥିବାରୁ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନେ ବେଶି ପ୍ରଭାବିତ ହେଉଛନ୍ତି।
ସୁଜିତ୍ କୁମାର ସ୍ବାଇଁ

ଲକ୍‌ଡାଉନ୍ ଉଠିବା ପରେ କୁପରିଣାମ ଜଣାପଡ଼ିବ
ବର୍ତ୍ତମାନ ଲକ୍‌ଡାଉନ୍ ଚାଲିଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ତେଣୁ ତୈଳ ଦର ବୃଦ୍ଧିର କୁପରିଣତି ଜଣା ପଡ଼ୁନି। ବସ ଭଡ଼ା ବଢ଼ିଛି। ଲକ୍‌ଡାଉନ୍ ଖୋଲିବା ପରେ ଗରିବ ଲୋକଙ୍କ ଚଳାଚଳ ବାଧାପ୍ରାପ୍ତ ହେବ। ଗରିବ ଲୋକଟିଏ ହସ୍ପିଟାଲ ଯିବା ପାଇଁ ଅଟୋ ଭଡ଼ା ଦେବାକୁ ସକ୍ଷମ ହେବେ ନାହିଁ।
ଜୀବନ ପରିଡ଼ା

ବେସରକାରୀ କର୍ମଚାରୀମାନେ ହନ୍ତସନ୍ତ
କରୋନା ପାଇଁ ଅନେକ ବେସରକାରୀ କର୍ମଚାରୀଙ୍କ ଦରମା କାଟ ହୋଇଛି। ସେମାନେ ସ୍ବଳ୍ପ ଦରମାରେ କାମ କରୁଛନ୍ତି। କମ୍ ଦରମାରେ ଘର ଚଳାଇବା କଷ୍ଟ ହେଉଥିବା ବେଳେ ଘରୁ ଗାଡ଼ି ବାହାର କରି ହେଉନାହିଁ। ବସ୍ ଓ ଅଟୋ ଚଳାଚଳ ବନ୍ଦ ଥିବାରୁ କର୍ମକ୍ଷେତ୍ରକୁ ଯା’ଆସ କରିବାରେ ସେମାନେ ହନ୍ତସନ୍ତ ହେଉଛନ୍ତି।
ଆଶୁତୋଷ ଦାଶ

ଦରମା ପଇସା ପେଟ୍ରୋଲ ଖର୍ଚ୍ଚରେ ସରିଯିବ
ପେଟ୍ରୋଲ ଦର ବୃଦ୍ଧି ସ୍ବଳ୍ପ ଦରମାରେ କାମ କରୁଥିବା ଲୋକଙ୍କ ପାଇଁ କାଳ ସଦୃଶ ହେଲାଣି। ମାସିକ ୭/୮ ହଜାର ଦରମା ପାଉଥିବା ଠିକା ସରକାରୀ କର୍ମଚାରୀ କାର୍ଯ୍ୟାଳୟ ଯିବା ଆସିବା କରୁକରୁ ପେଟ୍ରୋଲ କିଣାରେ ସବୁ ଦରମା ସରିଯିବ।
ଦେବାଶିଷ ମିଶ୍ର, ଶିକ୍ଷକ

ସାଧାରଣ ଜନତାଙ୍କୁ ସରକାର ଲୁଟୁଛନ୍ତି
ସରକାର ଜାଣିଶୁଣି ତୈଳ ଦର ବଢ଼ାଉଛନ୍ତି। ତେଣୁ ଏହା ଏକ ପ୍ରକାର ଲୁଟ୍‌ କହିଲେ ଭୁଲ୍ ହେବ ନାହିଁ। ଆଜିକାଲି ସମୟ ବଞ୍ଚାଇବା ଜରୁରୀ ହୋଇଥିବାରୁ ଲୋକେ ଯେମିତି ହେଉ ଯାନବାହନ ଚଳାଇବେ। ତେଣୁ ସରକାର ଲୁଟିବା ଉଦ୍ଦେଶ୍ୟରେ ତୈଳ ଦର ବଢ଼ାଇବାରେ ଲାଗିଛନ୍ତି।
ସୁପ୍ରିୟା ମଲ୍ଲିକ

ରୋଜଗାର ନଥିବା ବେଳେ ଦରବୃଦ୍ଧି ବାଧୁଛି
କରୋନା ଯୋଗୁ ବହୁ ଲୋ‌କ ରୋଜଗାର ହରାଇଛନ୍ତି। ଏହି ସମୟରେ ପେଟ୍ରୋଲ, ଡିଜେଲ୍‌ ଦର ବଢ଼ୁଛି। ଫଳରେ ସବୁ ଜିନିଷର ଦର ବଢ଼ୁଛି ‌ଓ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଇଛି। ଏହା ସାଧାରଣ ଜନତାଙ୍କ ପ୍ରତି ଘୋର ଅନ୍ୟାୟ।
ପ୍ରଶାନ୍ତ କୁମାର ପଣ୍ଡା, ଭୁବନେଶ୍ବର

ଆପୋସ ବୁଝାମଣା ହେଉ
ପେଟ୍ରୋଲ, ଡିଜେଲ୍‌ ଦର ଆକାଶଛୁଆଁ ହେଲାଣି। ଖୁବ୍‌ ଶୀଘ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆପୋସ ବୁଝାମଣା ହେଉ। ତୈଳ ଦର ବୃଦ୍ଧି ନିୟନ୍ତ୍ରଣକୁ ନଆସିଲେ, ସାଧାରଣ ଲୋକେ ବଞ୍ଚିବା କଷ୍ଟକର ହୋଇପଡ଼ିବ।
ପ୍ରକାଶ ପାତ୍ର

ସାଧାରଣ ଲୋକଙ୍କ ପେଟକୁ ଲାତ
କରୋନା ସଂକ୍ରମଣରେ ଲୋକଙ୍କ ଜୀବନ ଯାଉଛି। ଅନେକ ଲୋକ ଜୀବିକା ହରାଇଛନ୍ତି। ଏହି ସଂକଟ ବେଳେ ସରକାର ପେଟ୍ରୋଲ ଦର ବୃଦ୍ଧି କରି ସିଧାସଳଖ ସାଧାରଣ ଲୋକଙ୍କ ପେଟକୁ ଲାତ ମାରୁଛନ୍ତି।
ଦୀପକ ମନ୍ତ୍ରୀ

ଜନତାଙ୍କୁ ଶୋଷଣ କରାଯାଉଛି
କୋଭିଡ୍‌ ବେଳେ ଲୋକେ ଜୀବନ ଓ ଜୀବିକା ପାଇଁ ଅହରହ ସଂଘର୍ଷ କରୁଛନ୍ତି। ଅଥଚ ସରକାର ତୈଳ ଦର ବୃଦ୍ଧି କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ବାଟ କଢ଼ାଉଛନ୍ତି। ସିଧାସଳଖ ଲୋକଙ୍କୁ ଶୋଷଣ କରିବା କଥା।
ପ୍ରିୟଙ୍କା ମଲ୍ଲିକ

ଲୋକଙ୍କୁ ଅଭାବ ଅନାଟନ ଭିତରକୁ ଠେଲି ଦିଆଯାଉଛି
ମହାମାରୀ ସମୟରେ ଦରବୃଦ୍ଧି ଲୋକଙ୍କୁ ଅଭାବ ଭିତରକୁ ଠେଲି ଦିଏ। ସରକାର ଏହା ବୁଝିବା ଜରୁରୀ। ଅନେକଙ୍କର ରୋଜଗାରର ରାସ୍ତା ବନ୍ଦ ହୋଇଥିବାରୁ ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ କାଳ ପାଲଟିବାକୁ ବସିଛି।
ଲିନା ନାୟକ

ସମ୍ବନ୍ଧିତ ଖବର