ଆସନ୍ତା ୧୫ରେ ରୁଚି ଓଡ଼ିଆ ଫିଲ୍ମ ଫେୟାର ପୁରସ୍କାର, ଆକର୍ଷଣ ସାଜିବେ କାଜୋଲ ଅଗ୍ରୱାଲ ଓ ଜୁନିୟର ଅମିତାଭ ବଚ୍ଚନ

ଭୁବନେଶ୍ବର: କଳା ଓ କଳାକାରଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ ୧୦ମ ରୁଚି ଓଡ଼ିଆ ଫିଲ୍ମ ଫେୟାର ପୁରସ୍କାର। ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ୍‌ କାନଭାସ ଓ ଓଫା ଫାଉଣ୍ଡେସନ୍‌ ପକ୍ଷରୁ ମସଲା ଉଦ୍ୟୋଗ ‘ରୁଚି’ ସହଯୋଗରେ ଜନତା ମଇଦାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତା ଅଜିତ ଦାଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ଏଥିସହ ଚଳିତ ବର୍ଷ ୨୬ଟି ଭିନ୍ନ ଭିନ୍ନ ବିଭାଗରେ ସମ୍ବର୍ଧନା ପ୍ରଦାନ କରାଯିବ। ଏଥିସହ ଗଣମାଧ୍ୟମ ସଂଯୋଜକ ସ୍ବର୍ଗତ ରବି ସ୍ବାଇଁଙ୍କ ସ୍ମୃତିରେ ରବି ସ୍ବାଇଁ ସ୍ମାରକୀ ଶ୍ରେଷ୍ଠ ସାମ୍ବାଦିକ ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ଚୁଲବୁଲି ଅଭିନେତ୍ରୀ କାଜଲ ଅଗ୍ରୱାଲ ଓ ଜୁନିୟର ଅମିତାଭ ବଚ୍ଚନ ଏହି ପୁରସ୍କାର ଉତ୍ସବର ଅତିଥି ଭାବେ ଯେଗାଦେବେ। ଏଥିସହ ଏହି ଉତ୍ସବରେ ସାମିଲ୍‌ ହେଉଥିବା ଦର୍ଶକଙ୍କ ପାଇଁ ଏଥର ମଧ୍ୟ ପୁରସ୍କାର ରାଶି ରଖାଯାଇଛି। ଉପସ୍ଥିତ ଦର୍ଶକମାନେ ଜୁନିୟର ଅମିତାଭ ବଚ୍ଚନଙ୍କ ସହ କୁଇଜ୍‌ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ୨୦ ହଜାର , ୧୫ ହଜାର, ୧୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ସ୍ବରୂପ ଜିତିପାରିବେ। ଆଜି ସାଣ୍ଡିସ ଟାୱାର୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଓଡ଼ିଆ ଫିଲ୍ମ ଫେୟାର ପୁରସ୍କାରର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ଉପାଧ୍ୟକ୍ଷ ସ୍ମୃତିଶକ୍ତି ସାମନ୍ତରାୟ, ଆବାହକ ଡ. ମନୋଜ କୁମାର ଦାଶ, ରୁଚି ମସଲାର ପରିଚାଳନା ନିର୍ଦେଶକ ଡ. ଶରତ କୁମାର ସାହୁ, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ପ୍ରମୁଖ ଏହି ପୁରସ୍କାର ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଓଫା କାର୍ଯ୍ୟକ୍ରମରେ କର୍କଟ ପୀଡ଼ିତ ଶିଶୁମାନଙ୍କୁ ଚଳିତ ବର୍ଷ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ। ଏଥିସହ ‘ମାଲ ମହୁ ଜୀବନ ମାଟି’‌ରେ ଅଂଶଗ୍ରହଣ କରିଥିବା ସୁପର-୩୦ ଟିମ୍‌ର ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଓଫାର ନିର୍ଦେଶକ ସୌମ୍ୟଜିତ ପରିଡ଼ା, ଅମୃତରଂଜନ ଦାଶ, ଜ୍ଞାନରଂଜନ ରାୟ ପ୍ରମୁଖ ସୂଚନା ଦେଇଛନ୍ତି। ଏହି ଅବସରରେ ଜଣାଶୁଣା ନୃତ୍ୟାନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ ସହ ହାସ୍ୟ ଅଭିନେତାମାନେ ହାସ୍ୟ ରସ ଭେଟିଦେବେ। ୮ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ବସି ଉପଭୋଗ କରିପାରିବେ ବୋଲି ଉପଦେଷ୍ଟା ପ୍ରଶାନ୍ତ ମହାନ୍ତି, ଅଜୟ ନାୟକ, ଉତ୍କଳ କେଶରୀ ସିଂହ, ପ୍ରଦୀପ ସାହୁ, ସୌ‌ମେନ୍ଦ୍ର ନାୟକ ଓ ଶୁଭେନ୍ଦୁ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର