‘ସଂଗ୍ରାମର ସ୍ବରଲିପି’ ପରିବର୍ଦ୍ଧିତ ସଂସ୍କରଣ ଲୋକାର୍ପିତ: ଆତ୍ମଜୀବନୀ ‌ଲେଖିବା କଷ୍ଟକର

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଆତ୍ମଜୀବନୀ ‘ସଂଗ୍ରାମର ସ୍ବରଲିପି’ର ପରିବର୍ଦ୍ଧିତ ସଂସ୍କରଣ ଆଜି ରୋଟାରି ଭବନରେ ଲୋକାର୍ପିତ ହୋଇଯାଇଛି। ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ସଭାପତିତ୍ବ କରିଥିଲେ।

ଆଜିର ସମୟରେ ରାଜନୀତି କରୁଥିବା ବ୍ୟକ୍ତିମାନେ ଆତ୍ମଜୀବନୀ ଲେଖିପାରିବେ ନାହିଁ। ସେ ସ୍ବର ଆଜି ରାଜନୈତିକ ବ୍ୟକ୍ତିମାନଙ୍କ ନିକଟରେ ନାହିଁ। ଭାଗବତ ମହାନ୍ତି ସଂଘର୍ଷ ଭିତରେ ରାଜନୀତିକୁ ଆସିଥିବାରୁ ଆତ୍ମଜୀବନୀରେ ସତ ଲେଖିବାର ସାହସ କରିପାରିଛନ୍ତି। ଜଣେ ସାଧୁ, ସଚ୍ଚୋଟ ଓ ନିର୍ଭୀକ ରାଜନେତା ଭାବେ ସେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି। ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହି ମଧ୍ୟ ସେ ଜଣେ ସମାଜବାଦୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଲେଖକ ଶ୍ରୀ ମହାନ୍ତି କହିଥିଲେ, ଇଚ୍ଛା ବିରୋଧରେ ରାଜନୀତିକୁ ଆସିବା ସହ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ୫୦ ବର୍ଷ ଧରି ରହିଛି। ଜଣେ ଲେଖକ ନ ହୋଇ ମଧ୍ୟ ଇଚ୍ଛା ବିରୋଧ‌ରେ ଆତ୍ମଜୀବନୀ ଲେଖିଛି। ଜୀବନରେ ଅନେକ ଜୀବନୀ ଓ ଆତ୍ମଜୀବନୀ ପଢ଼ିଛି। ଜଣେ ରାଜନୈତିକ ବ୍ୟକ୍ତି ଆତ୍ମଜୀବନୀ ଲେଖିବା ସମ୍ଭବପର ନୁହେଁ। ଏପରିକି ଆତ୍ମଜୀବନୀ ମଧ୍ୟ ‘ମୁଁ’ ସର୍ବସ୍ବ ନ ହେବା ଉଚିତ୍। ଓଡ଼ିଶାର ବହୁ କମ୍ ମୁଖ୍ୟମନ୍ତ୍ରୀ ନିଜର ଆତ୍ମଜୀବନୀ ଲେଖିଛନ୍ତି। ଅନେକ ନିଜର ଆତ୍ମଜୀବନୀ ଲେଖିବାକୁ ଡରନ୍ତି ବୋଲି ଶ୍ରୀ ମହାନ୍ତି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୁଲିସ ମହାନିର୍ଦେଶକ ଶରତ ମିଶ୍ର, ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ଉପସ୍ଥିତ ଥିଲେ। ‘ସଂଗ୍ରାମର ସ୍ବରଲିପି’ର ଏହା ପୂର୍ବରୁ ଦୁଇଟି ସଂସ୍କରଣ ପ୍ରକାଶିତ ହୋଇସାରିଛି। ଶିକ୍ଷକ ନେତା ଅମିୟ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର