ଟ୍ରଷ୍ଟବୋର୍ଡ ବୈଠକରେ ବାଜିଲା ମୋହର: ରାତି ୧୦ଟାରେ ଉଠିବ ମହାଦୀପ

ମନ୍ଦିର ଭିତରୁ ହଟିବ କ୍ୟାବିନ୍‌, ପୂଜା ପାଉଣା ବୃଦ୍ଧି, ଉଦ୍ଧାର ହେବ ମହାପ୍ରଭୁଙ୍କ ଜମି

ପୁରୁଣା ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରୀ। ଏନେଇ ଶୁକ୍ରବାର ଦିନ ସର୍କିଟ୍‌ ହାଉସ୍‌ଠାରେ ଟ୍ରଷ୍ଟବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଥିଲା। ଜାଗରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ କରୋନା କଟକଣା ଅନୁଯାୟୀ, ଆଡ଼କାଠ ନିକଟରୁ ଶ୍ରଦ୍ଧାଳୁ ଦର୍ଶନ କରିବେ। ଏ ସଂପର୍କରେ ସମନ୍ବୟ ବୈଠକରେ ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୁହାଯାଇଛି। ସେହିପରି ସେବାୟତଙ୍କ ଶ୍ରାବଣୀ ପାଉଣା ସମ୍ପର୍କରେ ଆଲୋଚନା ହୋଇଥିଲା। ମନ୍ଦିର ଓକିଲଙ୍କ ସହ ପରାମର୍ଶ ନିଆଯାଇ ଆସନ୍ତା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା।

ଏଥିସହ ମନ୍ଦିର ଆୟବ୍ୟୟର ଆଲୋଚନା ହୋଇ ବିଭିନ୍ନ ଘରଭଡ଼ା ବୃଦ୍ଧି କରାଯିବ। ସେହିପରି ଠାକୁରଙ୍କୁ ଚଢ଼ା ଯାଉଥିବା ଫୁଲ, ବେଲପତ୍ର ପାଇଁ ୫୦ପଇସାରୁ ୨ଟଙ୍କାକୁ ଏବଂ ଅଭିଷେକ ପାଇଁ ୨ଟଙ୍କାରୁ ୫ଟଙ୍କା ପାଉଣା ବୃଦ୍ଧି କରାଯାଇଛି। ଦିଅଁଙ୍କ ଚଳନ୍ତି ପ୍ରତିମା ପାଇଁ ଜଣେ ଦାତା ରୁପା ପ୍ରଦାନ କରିଛନ୍ତି। ଏହାକୁ ଲଗାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଏସିପି ଜୋନ୍‌-୨, ବିଭିନ୍ନ ନିଯୋଗର ପ୍ରତିନିଧି ଓ ଟ୍ରଷ୍ଟବୋର୍ଡର ସଦସ୍ୟ ଉପସ୍ଥିତ ଥିଲେ।

ଅପରପକ୍ଷେ ଠାକୁରଙ୍କ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଜବରଦଖଲ ହୋଇଥିବାରୁ ଜିଲ୍ଲାପାଳ ବୈଠକରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଠାକୁରଙ୍କ ସମ୍ପତ୍ତିକୁ କପିରି ପୁନରୁଦ୍ଧାର କରାଯିବ, ସେଥିପାଇଁ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ସେହିପରି ବିଭିନ୍ନ ସେବାୟତଙ୍କୁ ମିଳିଥିବା ସେବାପୂଜା ପାଇଁ ଜମିର ସତ୍ବଲିପି କଟି ଯାଇଥିବାରୁ ସେମାନଙ୍କ ସତ୍ବଲିପି କିପରି ଫେରି ପାଇବେ, ସେଥିପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ରାଜସ୍ବ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ଉପଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହିପରି ଏଏସ୍ଆଇ ପକ୍ଷରୁ ହେବାକୁ ଥିବା ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ପାଇଁ ମନ୍ଦିର ଭିତରେ ଥିବା କ୍ୟାବିନ୍‌ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଜାଗର ପୂର୍ବରୁ ମରାମତି ସାରିବ ଏଏସ୍ଆଇ
ଜାଗର ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଚାଲିଥିବା ମରାମତି କାମ ସାରିବାକୁ ଦେ ବୋତ୍ତର ବିଭାଗ ପକ୍ଷରୁ ଏଏସ୍‌ଆଇକୁ କୁହାଯାଇଛି। ମନ୍ଦିର‌ରେ ପାଣି ଗଳିବା ସମସ୍ୟାର ସମାଧାନ ପାଇଁ ଏଏସ୍ଆଇ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ମୁଖ୍ୟ ଦେଉଳର ଫାଟ, ଜଗମୋହନ ନାଟମଣ୍ଡପର ସଂଯୋଗ ସ୍ଥଳରେ ଫାଙ୍କ, ବେଢ଼ା ଭିତରେ ଥିବା ପାର୍ବତୀ ମନ୍ଦିର, ବିଶ୍ଵକର୍ମା ମନ୍ଦିର, ଭୁବନେଶ୍ଵରୀ, ଏକାମେଶ୍ଵର, ଗଣେଶ ମନ୍ଦିର ଆଦିର ସଂଯୋଗସ୍ଥଳ ମରାମତି କାର୍ଯ୍ୟ କରିବାକୁ ଏଏସ୍‌ଆଇ ଅଣ୍ଟା ଭିଡ଼ିଛି। କିଛି ସ୍ଥାନରେ କାମ ଆରମ୍ଭ ମଧ୍ୟ ହୋଇଯାଇଛି। କିନ୍ତୁ ମାର୍ଚ ପହିଲାରେ ମହାଶିବରାତ୍ରି ପଡ଼ୁଥିବାରୁ ସେତେବେଳେକୁ କାମ ସରିନଥିଲେ, ଅସୁବିଧା ଉପୁଜିପାରେ। ତେଣୁ ମହାଶିବରାତ୍ରି ପୂର୍ବରୁ ମରାମତି କାମ ସାରିବାକୁ ଦେବୋତ୍ତର ବିଭାଗ ପକ୍ଷରୁ ଏଏସ୍ଆଇକୁ କୁହାଯାଇଛି। ମନ୍ଦିରରେ ଚଲିଥିବା ବିଭିନ୍ନ ମରାମତି କାର୍ଯ୍ୟ ସମ୍ପର୍କ‌‌ରେ ଆଜି ଦେବୋତ୍ତର ବିଭାଗ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା। ଏଥିରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବନୀ ପ୍ରସାଦ ମିଶ୍ର, ଏଏସ୍ଆଇ ଭୁବନେଶ୍ବର ସଂଗ୍ରାହଧିକ୍ଷକ ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର