ଜଳିଗଲା ୮୦ ବସ୍ତା ଧାନ

ବାଲିପାଟଣା : ବାଲିପାଟଣା ଥାନା ଅଧୀନ ମକୁନ୍ଦଦାସପୁର ଗ୍ରାମର ଏସ୍‌.କେ ଆସନଉଲ୍ଲାଙ୍କ ଖଳାରେ ଗଦା ହୋଇଥିବା ପାଖାପାଖି ୬୦ କ୍ବିଣ୍ଟାଲ ଧାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଗତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଧାନଗଦାରେ ନିଆଁ ଲଗାଇ ଦେଇଥିବା କହାଯାଉଛି। ଗ୍ରାମବାସୀ ଓ ସ୍ଥାନୀୟ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା। ଆଜି ସ୍ଥାନୀୟ ସୋମଣା ଶାସନ ରାଜସ୍ୱ ନିରୀକ୍ଷକ ବସନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସୂଚନାନୁଯାୟୀ, ଆସନଉଲ୍ଲା ତାଙ୍କ ଖଳାରେ ୭ ଏକର ଜମିର ଧାନ ଗଦା ମାରିଥିଲେ। ଗତ ରାତିରେ ପରିବାରଲୋକ ଖାଇ ପିଇ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳକୁ ହଠାତ୍‌ ଧାନଗଦା ହୁତୁହୁତୁ ହୋଇ ଜଳିଥିଲା। ପଡ଼ୋଶୀଙ୍କ ଡାକ ଶୁଣି ଆସନଉଲ୍ଲାଙ୍କ ପରିବାରଲୋକ ବାହାରକୁ ଧାଇଁ ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ବି ଘଟଣାସ୍ଥଳ‌‌ରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ନିଆଁ ଏତେ ଉଗ୍ରରୂପ ଧାରଣ କରିସାରିଥିଲା ଯେ ତାହାକୁ ଲିଭାଇବା କଷ୍ଟକର ହୋଇପଡ଼ିଥିଲା। ଫଳରେ ଆଖି ଆଗରେ ତାଙ୍କ ବର୍ଷକ ଯାକର ପରିଶ୍ରମ ଅଙ୍ଗାର ପାଲଟି ଯାଇଥିଲା।

ସମ୍ବନ୍ଧିତ ଖବର