ରାଜ୍ୟର ୧୮ ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ଏକାଠି

ରାଜ୍ୟସ୍ତରୀୟ ଭାସ୍କର୍ଯ୍ୟ କଳା ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଏକାଡେମିର ପ୍ରତିଷ୍ଠା ଦିବସ ଅବସରରେ ଭଞ୍ଜକଳା ମଣ୍ଡପରେ ଏକ ରାଜ୍ୟସ୍ତରୀୟ ଭାସ୍କର୍ଯ୍ୟ କଳା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଏହି ଶିବିରରେ ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ମୁଖ୍ୟଅତିଥି, ସଂସ୍କୃତି ବିଭାଗ କମିସନର ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ନୀଳମାଧବ ପଣ୍ଡା, ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏକାଡେମିର ସଭାପତି ପ୍ରଖ୍ୟାତ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। ଏହି ଶିବିରରେ ଅଭିମନ୍ୟୁ ଓଝା, ଉମାଶଙ୍କର ଦାସ, କାଳୀଶଙ୍କର ଦେ, କଳ୍ପତରୁ ଓଝା, ଗଗନ ବିହାରୀ ପରିଡ଼ା, ଜମ୍ବେଶ୍ୱର ବେହେରା, ନିତ୍ୟାନନ୍ଦ ଓଝା, ପିନାକୀ ମହାନ୍ତି, ପୃଥ୍ଵିରାଜ ମହାନ୍ତି, ସୋମନାଥ ରାଉତ, ସ୍ମୃତିକାନ୍ତ ରାଉତ, ମହେନ୍ଦ୍ର ପ୍ରଧାନ, ଭକ୍ତିଭୂଷଣ ଦେ, ଜ୍ଞାନେଶ ମିଶ୍ର ଓ ଲିଙ୍ଗରାଜ ମହାରଣା ପ୍ରମୁଖ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗ ଦେଇଛନ୍ତି। ଆସନ୍ତା ୧୫ ତାରିଖରେ ଏହି ଶିବିର ଉଦ୍‌ଯାପିତ ହେବ। ଅଂଶଗ୍ରହଣକାରୀ ଶିଳ୍ପୀଙ୍କୁ ୩୦ ହଜାର ଟଙ୍କା ସହ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯିବ ବୋଲି ସଚିବ ମାନସ ରଞ୍ଜନ ଜେନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର