‘ମୋ ସାଇକେଲ୍‌’ ନେଇଗଲେ ବ୍ରହ୍ମପୁର, ସମ୍ବଲପୁର

ତଣ୍ଡ ଗଣିଲେ, ଫେରାଇଲେ କାହାକୁ ସୁନ୍ଦର ଲାଗିଲା, କିଏ ଝିଅ ପାଇଁ ନେଲା  

ଭୁବନେଶ୍ବର: ସମ୍ବଲପୁରର ଜଣେ ବ୍ୟକ୍ତି କିଛି ଦିନ ତଳେ ମାର୍କେଟିଂ ପାଇଁ ଭୁବନେଶ୍ବର ଆସିଥିଲେ। ରାଜଧାନୀରେ ବୁଲିବା ସମୟରେ ତାଙ୍କ ନଜରରେ ‘ମୋ ସାଇକେଲ୍‌’ ପଡ଼ିଲା। ଏହା କେମିତି ଚାଲିବ, କେତେ ଟଙ୍କା ଭଡ଼ା ସବୁ ପଚାରି ବୁଝିଲେ। ଏହାପରେ ମୋବାଇଲ୍‌ରେ ‘ମୋ ସାଇକେଲ୍‌’ ଆପ୍‌ ଡାଉନଲୋଡ୍‌ କରି ସାଇକେଲ୍‌ ଅନଲକ୍‌ କଲେ। କିଛି ସମୟ ବି ସାଇକେଲ୍‌ ଚଲାଇଲେ। ସାଇକେଲ୍‌ ଭଲ ଲାଗିବାରୁ ସଂଧ୍ୟାରେ ବସ୍‌ରେ ଲଦି ଘରକୁ ନେଇଗଲେ। କେବଳ ସମ୍ବଲପୁରକୁ ‘ମୋ ସାଇକେଲ୍‌’ ଯାଇନି। ବ୍ରହ୍ମପୁରରୁ ଜଣେ ବ୍ୟକ୍ତି କାର୍‌ ନେଇକି ଭୁବନେଶ୍ବର ଆସିଥିଲେ। ଜୟଦେବ ବିହାର ଛକ ପାଖାପାଖି ସେ ରାସ୍ତାରେ ମୋ ସାଇକେଲ୍‌ ଦେଖିଲେ। ଏହାପରେ ଗାଡ଼ି ରଖି ସା‌ଇକେଲ୍‌ ଚଲାଇଲେ। ସାଇକେଲ୍‌ ଚଲାଉ ଚଲାଉ ତାଙ୍କର ଝିଅ କଥା ମନେ ପଡ଼ିଲା। ଝିଅ କିଛି ଦିନହେଲା ସାଇକେଲ୍‌ କିଣିବାକୁ ଜିଦ୍‌ କରୁଥିଲା। ‌ହେଲେ ସେ ସାଇକେଲ୍‌ କିଣି ପାରି ନଥିଲେ। ରାସ୍ତାରେ ଲେଡିଜ୍‌ ସାଇକେଲ୍‌ ଦେଖି ଆଉ ଲୋଭ ସମ୍ଭାଳି ପାରିଲେନି। କାର୍‌ ମଝି ସିଟ୍‌ରେ ସାଇକେଲ୍‌ ପୂରାଇ ବ୍ରହ୍ମପୁର ଚାଲିଗଲେ।

ସେହିଭଳି କାକଟପୁରରୁ ଜଣେ ବ୍ୟକ୍ତି ଲୋୟର ପିଏମ୍‌ଜିରେ ଧାରଣା ଦେବାକୁ ଆସିଥିଲେ। ଏଠାରେ ଧାରଣା ଦେଲେ। ଆଇ ଲଭ୍‌ ମାଇଁ ଭୁବନେଶ୍ବର ପାଖରେ ଛିଡ଼ା ହୋଇ ଫଟୋ ଉଠାଇଲେ। ପାଖରେ ସାଇକେଲ୍‌ ଥୁଆ ହୋଇଥିବା ଦେଖିବା ପରେ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କୁ କହି ସାଇକେଲ୍‌ ଲକ୍ ଖୋଲିଲେ। କିଛି ସମୟ ମାଷ୍ଟରକ୍ୟାଣ୍ଟିନ ଆଖପାଖ ଅଞ୍ଚଳରେ ସାଇକେଲ୍‌ ଧରି ବୁଲିଲେ। ଏହାପ‌େର ସାଇକେଲ୍‌କୁ ବସ୍‌ରେ ଲଦି ନେଇଯିବେ ବୋଲି ଭାବିଲେ। କିନ୍ତୁ ଧରାପଡ଼ିଯିବାର ଭୟ ଘାରିବାରୁ ସେ ନିଜେ ସାଇକେଲ୍‌ ଚଲାଇ ଭୁବନେଶ୍ବରରୁ କାକଟପୁର ଚାଲିଗଲେ। ଇଏ ହେଉଛି ‘ମୋ ସାଇକେଲ୍‌’ ଭୁବନେଶ୍ବର ପାର୍‌ କରି ଦେଇଥିବା ତିନି ଜଣ ବ୍ୟକ୍ତିଙ୍କର କଥା। କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) କର୍ତ୍ତୃପକ୍ଷ ଏହି ତିନି ଜଣ ବ୍ୟକ୍ତିଙ୍କ ଠାରୁ ‘ମୋ ସାଇକେଲ୍‌’ ଉଦ୍ଧାର କରିବା ପରେ ସେମାନେ କିପରି ଓ କାହିଁକି ସାଇକେଲ୍‌ ଆଣିଲେ ବୋଲି ପଚାରିବାରୁ ତିନି ଜଣ ଯାକ ଏପରି କହିଛନ୍ତି। କ୍ରୁଟ୍‌ କର୍ତ୍ତୃପକ୍ଷ ତିନିଟି ସାଇକେଲ୍‌ ଉଦ୍ଧାର କରିବା ସହ ୭ହଜାର  ଓ ୨ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି। କେବଳ ଏତିକି ନୁହେଁ କ୍ରୁଟ୍‌ କର୍ତ୍ତୃପକ୍ଷ ସାଇକେଲ୍‌ ଚଳାଉଥିବା ସଂସ୍ଥା ମାଧ୍ୟମରେ କଟକ, ପିପିଲି, ଖୋର୍ଦ୍ଧାରୁ ବି ସାଇକେଲ୍‌ ଉଦ୍ଧାର କରିଛନ୍ତି। ଜିପିଏସ୍‌ ଟ୍ରାକିଂ କରି ଏହି ସାଇକେଲ୍‌ ଉଦ୍ଧାର କରାଯାଇଛି। ଜରିମାନା ଆଦାୟ କରି ସାଇକେଲ୍‌ ଅଣାଯାଇଛି। ଏହିପରି ପ୍ରାୟ ୨୦ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି କ୍ରୁଟ୍ କର୍ତ୍ତୃପକ୍ଷ ‘ମୋ ସାଇକେଲ୍‌’ ସେବା ଆରମ୍ଭ ହେବା ସମୟରେ କହିଥିଲେ ଯେ, ଏହି ସାଇକେଲ୍‌ଗୁଡ଼ିକ ବିଏମ୍‌ସି ଅଞ୍ଚଳ ମଧ୍ୟରେ ଚାଲିବ। ଏହି ସୀମାରେ ଜିଓଫେନସିଂ କରାଯାଇଛି। ସୀମା ପାର୍‌ ହେଲେ ସାଇକେଲ୍‌ ଅପଣା ଛାଏଁ ଲକ୍‌ ହୋଇଯିବ। ହେଲେ ଲୋକ ଭୁବନେଶ୍ବରରୁ ସାଇକେଲ୍‌ ନେଇ ସପ୍ତାହ ସପ୍ତାହ ଧରି ବ୍ରହ୍ମପୁର, ସମ୍ବଲପୁର ଓ କାକଟପୁରରେ ଚଲାଇବା ପରେ ସାଇକେଲ୍‌ ଜବତ ହେବା କର୍ତ୍ତୃପକ୍ଷଙ୍କ ଦକ୍ଷତା ଓ କାର୍ଯ୍ୟ କରିବାର ଶୈଳୀକୁ ପଦାରେ ପକାଇଛି।

୩ମାସରେ ଦୁଇ ଲକ୍ଷ ରାଇଡ୍‌

ବହୁ ବାଧା ପ୍ରତିବନ୍ଧକ ସତ୍ତ୍ବେ ମୋ ସାଇକେଲ୍‌ ଯୋଜନା ସଫଳ ହେବାରେ ଲାଗିଛି। ମୋ ସାଇକେଲ ଯୋଜନାକୁ ତିନିମାସ ବିତିଛି। ତିନିମାସରେ ଏହି ଯୋଜନା ରେକର୍ଡ କରିଛି। ୯୦ ଦିନରେ ୨ ଲକ୍ଷ ରାଇଡ୍‌ ହୋଇଛି। ଅର୍ଥାତ୍‌ ୨ ଲକ୍ଷ ଥର ଏହି ସାଇକେଲ ବ୍ୟବହାର ହୋଇଛି। ତିନିଟି ସଂସ୍ଥା ପକ୍ଷରୁ ଉପଲବ୍ଧ ହେଉଥିବା ଏହି ସାଇକେଲର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। କ୍ରୁଟ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ହେକ୍ସି ସାଇକେଲ୍‌ ୯୦ ଦିନରେ ୧ ଲକ୍ଷ ୮ ହଜାର ରାଇଡ୍‌ ହୋଇଥିବା ବେଳେ ୟୁଲୁର ୬୨ ହଜାର ଓ ୟାନାର ୩୦ ହଜାର ୬ଶହ ରାଇଡ୍‌ ହୋଇଛି।

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ମୋ ସାଇକେଲ୍‌

ଚୋରି ଉଦ୍ଦେଶ୍ୟରେ ନୁହେଁ, ବରଂ ସାଇକେଲ୍‌ଗୁଡ଼ିକୁ ନଷ୍ଟ କରିବାକୁ କେତେକ ଗୋଷ୍ଠୀ ଲାଗିଥିବା ଦେଖାଯାଇଛି। ଏମାନେ ଏଥିରୁ ସିଟ୍‌ ଓ ବେଲ୍‌ ଖୋଲି ନେଉଥିବା ବେ‌ଳେ ସାଇକେଲ୍‌କୁ ଟେକି ନେଇ ଫିଙ୍ଗି ଦେଉଛନ୍ତି। କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ପରିତ୍ୟକ୍ତ ଅବସ୍ଥାରେ ସାଇକେଲ୍‌ ଉଦ୍ଧାର କରୁଛନ୍ତି। ଏହାପରେ ଘରୋଇ ସଂସ୍ଥା ସାଇକେଲ୍‌ ମରାମତି କରି ପୁଣି ଚଳାଉଛନ୍ତି। କେବଳ ଏତିକି ନୁହେଁ ରାଜଧାନୀର ବହୁ ସ୍ଥାନରେ ମୋ ସାଇକେଲ୍‌ ସପ୍ତାହ ସପ୍ତାହ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହୁଥି‌େଲ ହେଁ ଏହାକୁ ଉଠା ଯାଉ ନଥିବା ଅଭିଯୋଗ ହେଲାଣି। କିନ୍ତୁ କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ମୋ ସାଇକେଲ୍‌ ଯୋଜନା ସଫଳ ହୋଇଛି।  ତିନି ମାସରେ ୨ଲକ୍ଷ ରାଇଡ୍ ହେବା କମ୍‌ କଥା ନୁହେଁ।

ସକାଳ ଓ ସନ୍ଧ୍ୟାରେ ଅଧିକ ବ୍ୟବହାର

ହେକ୍ସି ସଂସ୍ଥାର ଅପରେସନ ମ୍ୟାନେଜର ସୂର୍ଯ୍ୟମଣି ଦଳବେହେରା କହିଛନ୍ତି, ସାଇକେଲ୍‌ ଚଳାଇବାକୁ ଲୋକଙ୍କର ବେଶ୍‌ ଆଗ୍ରହ ରହିଛି। ସକାଳେ ଓ ସନ୍ଧ୍ୟାରେ ବହୁ ଲୋକ ସାଇକେଲ୍‌ ଚଲାଉଛନ୍ତି। ପ୍ରତ୍ୟେକ ଦିନ ନୂଆ ନୂଆ ବ୍ୟବହାରକାରୀ ଆପ୍‌ ଡାଉନ୍‌ଲୋଡ୍‌ କରୁଛନ୍ତି। ତେବେ ସଚେତନତା ଅଭାବରୁ କେତେକ ଘରକୁ ନେଇ ଯାଉଛନ୍ତି। ଦୁଇ ତିନିଟି ଘଟଣା ପରେ ଆଉ ପୁନରାବୃତ୍ତି ହୋଇନାହିଁ। ଛୋଟ ଛୋଟ ଘଟଣାକୁ ନେଇ ଆମେ କେତେକ ଗୋଷ୍ଠୀକୁ ଟାର୍ଗେଟ କରିଛୁ। କାର୍ଯ୍ୟାନୁଷ୍ଠାନ ହେଲେ ଏହା ମଧ୍ୟ ନିୟନ୍ତ୍ରିତ ହୋଇ ପାରିବ।

ବସ୍ତିି ପିଲା ଭଙ୍ଗାରୁଜା କରୁଛନ୍ତି

ୟାନାର ଅପରେସନ୍‌ ଏକ୍‌ଜିକ୍ୟୁଟିଭ୍ ସନାତନ ଚୌଧୁରୀ କହିଛନ୍ତି, କେତେକ ବସ୍ତି ପିଲା ‘ମୋ ସାଇକେଲ୍‌’କୁ ଭଙ୍ଗାରୁଜା କରୁଛନ୍ତି। ଭାଙ୍ଗିବା ବେଳେ ଆମ ପାଖରେ ଖବର ପହଞ୍ଚୁଛି। ଆମର କର୍ମକର୍ତ୍ତା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚୁଛନ୍ତି। ଆମେ ପିଲାଙ୍କୁ ଧରି ତାଗିଦ୍‌ କରୁଛୁ। ଗତ ମାସକ ମଧ୍ୟରେ ଏହା ବହୁତ କମିଛି। ସେହିପରି ୟୁଲୁର ଦେବାଶିଷ ସାହୁ କହିଛନ୍ତି, ସାଇକେଲ୍‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଛୋଟ ଛୋଟ ଘଟଣା ଘଟୁଛି।  ହେଲେ ଏହା ପୂରା ଯୋଜନାକୁ ପ୍ରଭାବିତ କରିପାରିବ ନାହିଁ।

ସମ୍ବନ୍ଧିତ ଖବର