ରେଳଷ୍ଟେସନରେ ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କ କାହାଣୀ: ଚଳଚ୍ଚିତ୍ର ‘ଦୋସ୍ତି’ର ଜୀବନ୍ତ ଚିତ୍ର

ଭୁବନେଶ୍ୱର: ୧୯୬୪ ମସିହାରେ ନିର୍ମିତ କଳାଧଳା ଫିଲ୍ମ ‘ଦୋସ୍ତି’ ଆଜି ବି ଲୋକଙ୍କ ମନରେ ବସା ବାନ୍ଧି ରହିଛି। ସତ୍ୟେନ୍‌ ବୋଷଙ୍କ ନିର୍ଦ୍ଦେଶିତ, ସୁଧୀର କୁମାର ଓ ସୁଶିଲ କୁମାରଙ୍କ ଅଭିନୀତ ଏହି ଫିଲ୍ମରେ ଦୁଇ ଦିବ୍ୟାଙ୍ଗଙ୍କ ବନ୍ଧୁତା ଆଜି ବି ଲୋକସ୍ମୃତିରେ ଜୀବନ୍ତ ହୋଇରହିଛି। ସେହି କାହାଣୀଟି ସତ୍ୟ ଘଟଣାକୁ ନେଇ ଆଧାରିତ କି କାଳ୍ପନିକ କାହାଣୀରୁ ନିର୍ମିତ ହୋଇଥିଲା, ଜଣାନାହିଁ। କିନ୍ତୁ ଠିକ୍ ସେମିତି ବନ୍ଧୁତା ଏବେ ଭୁବନେଶ୍ବର ରେଳଷ୍ଟେସନରେ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ଦିବ୍ୟାଙ୍ଗ ଯୁବକଙ୍କ ମଧ୍ୟରେ ବନ୍ଧୁତା ଷ୍ଟେସନ ବଜାରରେ ଲୋକଙ୍କୁ ପୁରୁଣା ସେଇ ଚଳଚ୍ଚିତ୍ର ‘ଦୋସ୍ତି’ର କଥା ମନେ ପକାଇଦିଏ। ଉକ୍ତ ଚଳଚ୍ଚିତ୍ରରେ ଜଣେ ଅନ୍ଧ ଓ ଜଣେ ଛୋଟା ଥିଲେ। କିନ୍ତୁ ଭୁବନେଶ୍ବର ରେଳଷ୍ଟେସନର ଏହି ଦୁଇ ବନ୍ଧୁଙ୍କ ମଧ୍ୟରେ ଜଣଙ୍କର ଦୁଇ ହାତ ନାହିଁ ଓ ଅନ୍ୟ ଜଣଙ୍କର ଗୋଟିଏ ଗୋଡ଼ ନାହିଁ। ବଡ଼ କଥା ହେଉଛି ସେମାନେ ଭିକ୍ଷାବୃତ୍ତି କରୁନାହାନ୍ତି। ସ୍ବାଭିମାନର ସହ ଫୁଟ୍‌ପାଥ୍‌ରେ ଉଠା ଦୋକାନଟିଏ କରି ପରିବାର ପ୍ରତିପୋଷଣ କରୁଛନ୍ତି।

ଏହି ଦୁଇ ବନ୍ଧୁ ହେଲେ କେନ୍ଦ୍ରାପଡ଼ାର ମେଘନାଦ ନାୟକ ଓ ଗଞ୍ଜାମର ନବକିଶୋର ପ୍ରଧାନ। ଜନ୍ମରୁ ନବଙ୍କର ଦୁଇ ହାତ ନାହିଁ ଓ ମେଘନାଦ ପିଲାଦିନରୁ କୌଣସି ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଛନ୍ତି। ଟ୍ରେନ୍‌ରେ ବୁଲା ବେପାର କରୁଥିବା ବେଳେ ସେମାନଙ୍କ ମଧ୍ୟରେ ବନ୍ଧୁତା ଗଢ଼ିଉଠେ। ସମୟକ୍ରମେ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଚାଲେ। ପରସ୍ପର ଦୁଃଖସୁଖର ଭାଗିଦାରୀ ହୋଇପଡ଼ନ୍ତି। ବନ୍ଧୁତା ଦୁଇ ପରିବାରର ପରିଧି ଭିତରକୁ ପ୍ରବେଶ କରେ। ବୁଲି ବୁଲି ବେପାର କରିବା ଅପେକ୍ଷା ରାଜଧାନୀର ଫୁଟ୍‌ପାଥ୍‌ରେ ଉଠା ଦୋକାନଟିଏ କରିବାକୁ ମନସ୍ଥ କରନ୍ତି। ହାତରେ କମ୍ ପୁଞ୍ଜି ଥିବାରୁ ସେମାନେ ମୋବାଇଲ୍‌ ଫୋନ୍‌ ସେଟ୍‌ର ବିଭିନ୍ନ ଉପକରଣ ବିକ୍ରି କରୁଥିଲେ। କରୋନା ପରଠାରୁ ସେମାନେ ମାସ୍କ ଓ ସାନିଟାଇଜର୍‌ ବିକ୍ରି କରୁଛନ୍ତି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପାଇଁ ବେପାର ମାନ୍ଦା ରହିଛି। ଟ୍ରେନ୍‌ ଓ ବସ୍ ଚଳାଚଳ କମି ଯାଇଥିବାରୁ ଗ୍ରାହକ ସଂଖ୍ୟା କମିଛି। କିନ୍ତୁ ପୂର୍ବରୁ ସେମାନଙ୍କ ଅବସ୍ଥା ଓ ମାନସିକତା ଦେଖି ଗ୍ରାହକମାନେ ତାଙ୍କଠାରୁ ସାମଗ୍ରୀ କିଣୁଥିଲେ। ଭଲ ବେପାର ହେଉଥିଲା। ତଥାପି ଦୁଇ ବନ୍ଧୁ ମନ ଉଣା କରିନାହାନ୍ତି। ଭଗବାନଙ୍କ ଉପରେ ଭରସା ରଖି ଚଳୁଛନ୍ତି। ବଡ଼ କଥା ହେଉଛି ଦୁହିଁଙ୍କ ପରିବାର ଅଭାବରେ ଜର୍ଜରିତ। ଏମାନେ ରୋଜଗାର କଲେ, ସେମାନଙ୍କ ପରିବାରରେ ଚୁଲି ଜଳେ। ନବଙ୍କ ବାପା ମାନସିକବିକାରଗ୍ରସ୍ତ ହୋଇଥିବାରୁ ତାଙ୍କ ପାଇଁ କିଛି ଔଷଧ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡ଼େ। ବେପାର ଲାଭରୁ କିଏ କେତେ ନେଲା, ସେମିତି କିଛି ହିସାବ ନଥାଏ ଦୁହିଁଙ୍କ ମଧ୍ୟରେ। ଦୁଇ ପରିବାର ଗୋଟିଏ ଓ ବେପାର ବି ଗୋଟିଏ ବୋଲି ସେମାନେ ଧରିନେଇଛନ୍ତି।

ଉଲ୍ଲେଖନୀୟ କଥାଟି ହେଉଛି ରେଳଷ୍ଟେସନରେ ସେମାନଙ୍କ ଦୈନଦିନ ଚଳଣି। ନବଙ୍କ ହାତ ନଥିବାରୁ ମେଘନାଦ ତାଙ୍କୁ ଖୁଆଇ ଦିଅନ୍ତି। ମେଘନାଦଙ୍କୁ ବି ନବ ସେମିତି ଚଳପ୍ରଚଳରେ ସହଯୋଗ କରନ୍ତି। ସେମାନଙ୍କ ଚଳଣି ଦେଖିଲେ, କେହି ବି ଭାବିବ ନାହିଁ ସେମାନେ ବନ୍ଧୁ ବୋଲି। ଭାଇଭଳି ଚଳୁଛନ୍ତି। ଯାତ୍ରୀ ପ୍ରତୀକ୍ଷାଗାର ହେଉଛି, ସେମାନଙ୍କ ଘର। ନିକଟସ୍ଥ ଜଳଖିଆ ଦୋକାନ ଓ ହୋଟେଲରୁ ଖାଇ ସେମାନେ ଫୁଟ୍‌ପାଥ୍‌ରେ ପସରା ମେଲାଇ ଦିଅନ୍ତି। ସକାଳ ୮ଟାରୁ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ସେମାନଙ୍କ ଉଠା ଦୋକାନ ଖୋଲାଥାଏ।

ସମ୍ବନ୍ଧିତ ଖବର