ଅବହେଳିତ ରାଜଧାନୀ ଉପକଣ୍ଠ, ଗାଁକୁ ଭଲ ରାସ୍ତା ନାହିଁ କି ଆଲୁଅ ଜଳୁନି

ଖଣ୍ଡଗିରି: ଦୀପତଳ ଅନ୍ଧାର ପରି ରାଜଧାନୀ ଉପକଣ୍ଠରେ ରହୁଥିବା ଗ୍ରାମର ଲୋକମାନେ ସବୁବେଳେ ଅବହେଳିତ। ସହରର ଅନୁଭବ ଆଜିଯାଏ ପାଇ ନାହାନ୍ତି। ସହରର ଅତି ନିକଟର ରହି ବି ବିଭିନ୍ନ ସମସ୍ୟା ଭିତରେ ରହୁଛନ୍ତି। ତମାଣ୍ଡୋ ଥାନା ୱାର୍ଡ ନମ୍ବର ୧ର ରଣସିଂହପୁର ଗ୍ରାମ। ଗ୍ରାମର ଅନତି ଦୂରରେ ରହିଛି ଅଖିଳ ଭାରତୀୟ ଅୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ୍)। ରାତି ପାହିଲେ ହଜାର ହଜାର ଲୋକ ଏଠାକୁ ଆସୁଛନ୍ତି। ହେଲେ ଏହି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଗ୍ରାମର ପ୍ରମୁଖ ରାସ୍ତା ସମେତ ଗ୍ରାମ ଭିତର କୌଣସି ଖୁଣ୍ଟରେ ବିଜୁଳି ବତି ନାହିଁ। ସଞ୍ଜ ପରେ ଗ୍ରାମ ଭିତରେ ଅନ୍ଧାର ରାଜୁତି କରୁଛି। ଏମ୍ସ ସମ୍ମୁଖ ରାସ୍ତାରେ ହାଇମାଷ୍ଟ ଲାଇଟ୍ ଲାଗିଥିବା ବେଳେ ଗ୍ରାମରେ ଗୋଟିଏ ହେଲେ ଖୁଣ୍ଟିରେ ଲାଇଟ୍ ନଥିବା ଦୁର୍ଭାଗ୍ୟଜନକ ବୋଲି ଗାଁ ଲୋକ କହିଛନ୍ତି। ରାସ୍ତାରେ ବିଜୁଳି ଜଳୁ ନଥିବାରୁ ରାତିରେ ଚୋରଙ୍କ ଉପଦ୍ରବ ବଢ଼ୁଛି। ଲୋକଙ୍କ ଦୁଆର ମୁହଁରୁ ଲାଇଟ୍, ଗାଡ଼ି ଚୋରି ହେଉଛି। କେବଳ ସେିତିକି ନୁହେଁ ଗ୍ରାମର ଅଧାରାସ୍ତା ପଞ୍ଚାୟତ ଓ ଅଧାରାସ୍ତା ବିଡିଏ ଅଧୀନରେ ରହିଛି।

ଗ୍ରାମ ରାସ୍ତା ବହୁବର୍ଷ ପରେ ଆରମ୍ଭ ହୋଇଥିଲେ ହେଁ ବିଡିଏ ଅଧୀନ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗ୍ରାମକୁ ଯିବାକୁ ୪୦ଫୁଟର ରାସ୍ତା ଯୋଜନା ଥିଲେ ହେଁ ରାସ୍ତା ୮ରୁ ୧୦ଫୁଟରେ ସୀମିତ ରହିଛି। ରାସ୍ତାର ଗୋଟିଏ ପଟକୁ ପୁଲିସ ଏକାଡେମି ପାଚେରି ରହିଛି। ତେଣୁ ରାସ୍ତା ଅଣ ଓସାରିଆ ଓ ବିପଜ୍ଜନକ ହୋଇଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରମବାସୀଙ୍କ କହିବା କଥା ଅସରାଏ ବର୍ଷାରେ ଏକାଡେମି ପଛରାସ୍ତାରେ ପାଣି ଭର୍ତ୍ତି ହୋଇଯାଉଛି। ଅଣଓସାରିଆ ରାସ୍ତା କାରଣରୁ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପାଖରେ ଥିବା ବଡବଡ ଆପାର୍ଟମେଣ୍ଟ କାମ ସବୁବେଳେ ଚାଲୁଛି। ବଡ ବଡ଼ ଗାଡି ଯାତାୟାତ କରୁଥିବାରୁ ରାସ୍ତା ଚାଲିବା ଭଳି ସ୍ଥିତିରେ ମଧ୍ୟ ନାହିଁ। ଏ ନେଇ ଗ୍ରାମର ସରପଞ୍ଚ ଚିତ୍ତରଞ୍ଜନ ରାଉତରାୟଙ୍କ କହିବା କଥା ସରପଞ୍ଚଙ୍କ ପାଣ୍ଠିରୁ ଯାହା କରାଯାଇ ପାରିବ କରାଯାଉଛି। ପର୍ଯ୍ୟାୟକ୍ରମେ ସବୁ କାମ କରାଯିବ।

ସମ୍ବନ୍ଧିତ ଖବର