‘ସୁବର୍ଣ୍ଣ ଥ୍ରୋ’ ପାଇଁ ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

‘ତୁମେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ହେବ’

ଭୁବନେଶ୍ବର : ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳର ଏହି କୀର୍ତ୍ତି ପଛରେ କେବଳ ଓଡ଼ିଶାର ହାତ ନାହିଁ। ଆଜି ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ଜିତିଥିବା‌ ନୀରଜ ଚୋପ୍ରାଙ୍କର ସଫଳତା ପଛରେ ବି ଓଡ଼ିଶା ଅଛି। ଅଲିମ୍ପିକ୍ସ ମଇଦାନକୁ ଓହ୍ଲାଇବା ପୂର୍ବରୁ ନୀରଜ ଦୀର୍ଘ ଦୁଇ ମାସ କାଳ କଳିଙ୍ଗ ଷ୍ଟାଡିୟମରେ ରହି ଅଭ୍ୟାସ କରିଥିଲେ। ଯେତେବେଳେ କରୋନା କଟକଣା ପାଇଁ ନୀରଜଙ୍କର ଅଭ୍ୟାସ ବାଧାପ୍ରାପ୍ତ ହୋଇଥିଲା ସେତେବେଳେ ଓଡ଼ିଶା ସରକାର କଳିଙ୍ଗ ଷ୍ଟାଡିୟମରେ ନୀରଜ ଏବଂ ଜାଭେଲିନ୍ ଥ୍ରୋ ଦଳକୁ ଅଭ୍ୟାସ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେଇଥିଲେ। ଆଉ ଆଜି ନୀରଜ ସ୍ବର୍ଣ୍ଣ ପଦକ ଜିତି ଓଡ଼ିଶା ସରକାରଙ୍କ ପ୍ରୟାସର ମାନ ରଖିଛନ୍ତି।

ଆଜି ନୀରଜ ସ୍ବର୍ଣ୍ଣ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ଟ୍ବିଟ୍ କରିଛନ୍ତି ଯେ, ଏକ ସୁବର୍ଣ୍ଣ ଥ୍ରୋ! ଜା‌େଭଲିନ୍‌ ଥ୍ରୋରେ ଐତିହାସିକ ସ୍ବର୍ଣ୍ଣ ପଦକ ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ। ଦେଶ ଆପଣଙ୍କ ପାଇଁ ବହୁତ ଗର୍ବିତ। ଏହା ସହିତ ଆପଣ ଅଲିମ୍ପିକ୍ସରେ ଭାରତକୁ ସର୍ବଦା ସର୍ବୋଚ୍ଚ ପଦକକୁ ନେଇଛନ୍ତି। ତୁମେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣା ହେବ। ସେହିପରି କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ଟୁଇଟ୍ କରି ନୀରଜଙ୍କୁ ଶୁଭେଚ୍ଛା ଜଣାଇବା ସହ କିପରି ଏସିଆନ୍ ଆ‌ଥଲେଟିକ୍ସ ଚାମ୍ପିଅନସିପ୍-୨୦୧୭ରେ କଳିଙ୍ଗ ଷ୍ଟାଡିୟମ ଆସିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇଥିଲେ ଏବଂ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଅଭ୍ୟାସ କରିଥିଲେ ତା’ର କିଛି ଭିଡ଼ିଓ ଓ ଫଟୋ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର