ଗୁରୁବାର ଖୋଲିବ ପୋଖରୀପୁଟ ଓଭରବ୍ରିଜ୍‌

ବମିଖାଲ ଓଭରବ୍ରିଜ୍‌ କେବେ?

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କର ବହୁ ପ୍ରତୀକ୍ଷାର ଅନ୍ତ ଘଟିବ। ଦୀର୍ଘ ୬ବର୍ଷ ହେଲା ନିର୍ମାଣ ହେଉଥିବା ପୋଖରୀପୁଟ ଓଭରବ୍ରିଜ୍‌ ଆସନ୍ତା ଗୁରୁବାର ସର୍ବସାଧାରଣଙ୍କ ପାଇଁ ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୨ ମସିହାରୁ ଏହି ରେଳ ଓଭରବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚଳିତ ମାସ ପ୍ରଥମ ସପ୍ତାହରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ୬୫୩ମିଟର ଲମ୍ବ ବିଶିଷ୍ଟ ଓଭରବ୍ରିଜ୍‌ ପାଇଁ ୩୨.୫୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୪ରେ ଏହି ଓଭରବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ରେଳ ଲାଇନ୍‌ ଉପରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୨୦୧୩ ମସିହାରେ ଶେଷ ହୋଇଥିଲା। କିନ୍ତୁ ଜମି ଅଧିଗ୍ରହଣରେ ଅସୁବିଧା, ସରକାରୀ କ୍ୱାର୍ଟର୍ସ, ପୁଲିସ ବାରାକ୍‌ ଭାଙ୍ଗିବାରେ କିଛି ସମସ୍ୟା ହେବାରୁ ପୂର୍ତ୍ତ ବିଭାଗର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ୨୦୧୭ ମସିହାରେ ସମସ୍ତ ଆଇନଗତ ସମସ୍ୟାର ସମାଧାନ ହେବା ପରେ ନିର୍ମାଣ କାର୍ଯ୍ୟ ଜୋରଦାର ହୋଇଥିଲା।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହାକୁ ଅଗଷ୍ଟ ୧୦ତାରିଖରେ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଏହା ଅଗଷ୍ଟ ୧୭ତାରିଖକୁ ଘୁଞ୍ଚିଥିଲା। କିନ୍ତୁ ଅଗଷ୍ଟ ୧୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ ଏହି ଉଦ୍‌ଘାଟନୀ ପର୍ବ ପୁଣି ଘୁଞ୍ଚିଥିଲା। ଆସନ୍ତା ଗୁରୁବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରେଳ ଓଭରବ୍ରିଜ୍‌କୁ ଉଦ୍‌ଘାଟନ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ଅପରପକ୍ଷେ ଏହି ଓଭରବ୍ରିଜ୍‌ ସହ ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ସରିନି। ଏପରିକି ପୋଖରୀପୁଟ ଓଭରବ୍ରିଜ୍‌ ତୁଳନାରେ ଏଠାରେ ଜମି ଅଧିଗ୍ରହଣ ଜନିତ ସମସ୍ୟା କମ୍‌ ଥିଲେ ବି ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହାର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ବହୁତ ଧିମେଇ ଯାଇଥିବାରୁ ଆଜି ପର୍ଯ୍ୟନ୍ତ ଏହା ଶେଷ ହୋଇପାରିଲାନି। ଅକ୍ଟୋବର ସୁଦ୍ଧା ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର